*****
କୋଡ଼ି, ଝୁଡ଼ି,ପିକାସ୍, ଖଣତି, ଖୋଦେଇ,
ଶ୍ରମ ଶାବଳ ହୁଂ-କାରେ ହାଡ଼କୁ ମଜେଇ,
ଘର୍ମ ଝରଇ ହୃଦେ ଖରା-ଝାଞ୍ଜି ପାଇ,
ସୃଷ୍ଟି ସ୍ରଷ୍ଟା ଜୀବନ୍ତ ପାଷାଣ ଖୁଣ୍ଟେଇ ।
ବର୍ଷା,ମେଘଶିଳା, ପ୍ରକୃତି ମୁଣ୍ଡେ ବୋହି,
ଫଟେଇ ଖୋଜଇ ମୂର୍ତ୍ତିକା ଶିଳା ଧୋଇ,
ତଳି ତଳେ କାଳ କରାଳ ଜୀବଜନ୍ତୁ,
କଳିନପାରେ ବିଷାକ୍ତ ଅମୃତ ସିନ୍ଧୁ ।
ଖଟ୍ ଖଟ୍ ଫଟ୍କା ବବୁନି ରାତ୍ର କାଳ,
ଗଞ୍ଜି ଅଧାଚଡ଼ି ଅରଟ ଅଖ ଗୋଲ,
ଶ୍ରମିକ ଶ୍ରମ ଦାନେ ମାର୍ବଲ୍ ମହଲ,
ରକ୍ତ ସିଜେଇ ସଜାଏ ଗୋଲାପ ଜଳ ।
ରକ୍ତ ବୁହାଇଲା ନିହାଣ ବାର୍ସି ଛୁଇଁ,
କାଷ୍ଠେ ଚିତ୍ରିତ ମୂର୍ତ୍ତି ଦୋଳନେ ଝୁଲଇ,
ଛୁଞ୍ଚି ଅଗ୍ରେ ଯୋଖି ଗଢ଼େ ସେ ଆଭୂଷଣ,
କଇଁଚି ଘର୍ଷଣେ ଘୋଷିତ ଆକର୍ଷଣ ।
ପିଞ୍ଜରାର ରନ୍ଧ୍ରେ ରନ୍ଧ୍ରେ ଲେଖେ ଯେ' ଦୁଃଖ,
ମୁଣ୍ଡଫଟା ଖରା ତଳେ ମାଗେ ଯେ' ସୁଖ,
ଜଣେଇଛି କି'ବା ସେ' ହାଡ଼ ଭଙ୍ଗା ମୂଲ,
ବୋହେ ମୁଣ୍ଡ ଝାଳ ତୁଣ୍ଡକୁ ଯା' ଅମୂଲ ।
ନିତମ୍ବ ଭାଗେ ଚାପିଛି ଯେ' ଝଜି ଖଣ୍ଡେ ,
ବଞ୍ଚିଛି ପରାଣେ ଚାହିଁ ପେଟ ଚାଖଣ୍ଡେ,
ହାତ ଫାଟିଛି କାନ୍ଧେ ବିଣ୍ଡି ଦିଶେ ଝଟକି ,
ମୁଣ୍ଡ ବାଳ ପାଣ୍ଡେରା କହେ ତା' ଝଟତି ।
ଶ୍ରମିକ ଶ୍ରମ ଚିହ୍ନିଛି କେ'ବା ଜଗତେ,
ଅଟହାସ୍ଯେ ପରିଚିତ ପାଉଛି କେତେ,
ମୃତ୍ୟୁ ସଙ୍ଗେ ଲଢେଇ ଲଢୁଆ ବୀର ସେ,
ମରୁ ବା ବଞ୍ଚୁ ସେ ହସେ ମତ୍ଯ ହରଷେ ।।
ଭଜରାମ ସେଠୀ
ନିରାଳ ,ଆସିକା, ଗଞ୍ଜାମ




0 Comments