ପୌରାଣିକ ଗ୍ରନ୍ଥଟାକୁ ଜାବୁଡି ଧରି ବେଳୁ ବେଳୁ ବେଶ୍ ଉଦ୍ ବିଘ୍ନ ହୋଇ ପଡୁଥିଲା ବାନାମ୍ବର , ହଜାର ହଜାର ବର୍ଷ ତଳର କାହାଣୀ ଚଳଣିକୁ ମୁଣ୍ଡରେ ପୁରାଇ ନେଇ ଏଣୁ ତେଣୁ ଭାବନାରେ ଗୁଞ୍ଜରୀ ଉଠୁଥିଲା ସିଏ । ପୁରାଣ ବର୍ଣ୍ଣିତ ଚରୀତ୍ର ଓ ସେମାନଙ୍କର ସାମାଜିକ ଚିତ୍ର, ପ୍ରକୃତି, ପ୍ରବୃତିକୁ ବାରମ୍ବାର ଆଲୋଚନା, ସମାଲୋଚନା ଭିତରେ ପୁରା ଭାଙ୍ଗି ପଡୁଥାଏ ସିଏ ।
ଦ୍ୱାପର ଯୁଗର କଥା ।
ସେତେବେଳେ ସବୁ ଦେବାଦେବୀ ମାନେ ସ୍ୱର୍ଗପୁରରେ ଆସ୍ଥାନ ଜମାଇ ଯେ ଯାହାର ବିଭାଗ ମାନ ମାଡି ବସିଥିଲେ । ଶରୀର ଗଠନର ବର୍ଣ୍ଣନା କହିବା ବାହୁଲ୍ୟ । କାହାର ତିନିମୁଣ୍ଡ ତ କିଏ ବୃଷଭ ମୁଣ୍ଡିଆ । କାହାର ଚତୁର୍ଭୁଜ ତ କିଏ ଅଷ୍ଟଭୁଜା, ଦଶଭୂଜା । ମନ୍ତ୍ର ବଳରେ ବଳୀୟାନ ଥିଲେ ସମସ୍ତେ।
ସେତେବେଳେ ଆଜିକାଲି ପରି ନିର୍ବାଚନ ହୋଉଥିଲା କି ନାଇଁ କିମ୍ବା ନିର୍ବାଚନରେ EVM ବ୍ୟବହାର ହେଉଥିଲା କି ନାହିଁ କୋଉ ପୁରାଣରେ କିନ୍ତୁ ବର୍ଣ୍ଣିତ ହୋଇନାହିଁ । ସମଗ୍ର ସ୍ୱର୍ଗପୁରୀ ପାଇଁ ସର୍ବୋଚ୍ଚ ଶାସନ କର୍ତ୍ତା ଥିଲେ ଦେବରାଜ ଇନ୍ଦ୍ର। ଅଥଚ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱରଙ୍କର ଅଖଣ୍ଡ ପ୍ରଭୁତ୍ୱ ଥିଲା। ସାରା ସ୍ୱର୍ଗପୁରୀ, ଇନ୍ଦ୍ର ଓ ଅନ୍ୟ ସମସ୍ତେ ସେଇ ତିନି କର୍ତ୍ତାଙ୍କ ରିମୋଟ ରେ ପରିଚାଳିତ ହେଉଥିଲେ। କାରଣ ବ୍ରହ୍ମା ଥିଲେ ସୃଷ୍ଟିକର୍ତ୍ତା , ବିଷ୍ଣୁ ଥିଲେ ପାଳନକର୍ତ୍ତା ଏବଂ ମହେଶ୍ୱର ଥିଲେ ସଂହାରକର୍ତ୍ତା । ଏମାନେ ହିଁ ସ୍ୱର୍ଗର ସୁବର୍ଣ୍ଣ ତ୍ରିଭୂଜ ଥିଲେ ।
ବାନାମ୍ବର ଚାହିଁଲା..! କାନ୍ଥରେ ଟଙ୍ଗା ଥିବା ଅନେକ ଦେବାଦେବୀଙ୍କ ତୈଳ ଚିତ୍ରପଟକୁ । ଅନେକ ଆକୃତିର ସମସ୍ୟା ବହୁଳ ବେଶଭୂଷା ଓ ପରିପାଟିକୁ, ସିଂହବାହିନୀ ଦଶଭୂଜା ମା କାଳୀଙ୍କ କରାଳ ରୂପକୁ । ମହୀଷାସୁର କାହିଁକି ଯିଏ ବି ଥରେ ଅଧେ ସେ କରାଳ ରୂପକୁ ଭେଟଣ ହୋଇଗଲେ ସାଷ୍ଟାଙ୍ଗ ହୋଇଯିବେ। ମାଆ ' ଙ୍କୁ ମନେ ମନେ କୃତଜ୍ଞତା ଜଣାଇଲା ବାନାମ୍ବର । ଗୋଟାଏ ଦୁର୍ଦ୍ଦଷ ଅସୁରକୁ ସଂହାର କରି ଏକ ଜନ କଲ୍ୟାଣ କରିଥିବାରୁ ମାଆ ଙ୍କ ଶକ୍ତି ଆଗରେ ଆପେ ଆପେ ତାର ମୁଣ୍ଡ ନଇଁଗଲା ।
ଅଥଚ ଅନେକ ଅଡୁଆ ପ୍ରଶ୍ନ ତା ମନରେ
ଅଙ୍କୁଶବିଦ୍ଧ ପରି ମନେହେଲା ।
ମହାଭାରତର ବର୍ବରୋଚିତ୍ତ କାଣ୍ଡ ଭିଆଇଥିବା ସେହି ଭିଷ୍ମ, ଦ୍ରୋଣ, କର୍ଣ୍ଣ, ଶଲ୍ୟ, ଅଶ୍ୱଥାମା ଏବଂ ଜୟଦ୍ରଥଙ୍କ ପରି ଯୋଦ୍ଧା ମାନଙ୍କ ଉପରେ , ତାର ଭୀଷଣ କ୍ରୋଧ ଜାତ ହେଉଥିଲା । ଜଣେ ବାର ବରଷର ବାଳକ ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହ ଭିତରେ ଫସାଇ ଶେଷରେ ଲହୁଲୁହାଣ କରି ମୃତ୍ୟୁ ମୁଖକୁ ଠେଲି ଦେଲେ । ସେଇମାନଙ୍କ ଉପରେ ଖୁବ ଉତ୍ତେଜିତ ହୋଇ ଉଠୁଥିଲା ବାନା ଓରଫ ବାନାମ୍ବର । ହଜାର ହଜାର ବର୍ଷ ପୂର୍ବେ ସେମାନଙ୍କ ସଂଘବଦ୍ଧ ଭାବେ ଅତର୍କିତ ଆକ୍ରମଣ ଆଜି ବୋଧେ କାର୍ବନ କପି ଭଳି କାମ ଦେଇଛି । ଆଜି ଜଣେ ସତ୍ୟ ନ୍ୟାୟ ପାଇଁ ଲଢେଇ ଜାରି ରଖିଥିବା ଶୁଦ୍ଧ ଚରୀତ୍ର ଟାକୁ ଘରୁ ଡାକିଆଣି ଦିନ ଦ୍ବିପ୍ରହରରେ ମୁଣ୍ଡରେ ବନ୍ଧୁକ ଲଗାଇ ସଂଘବଧ ଭାବେ ଲାଛି ଦିଆଯାଉଛି ।
ବାନାମ୍ବର ଅସହାୟ ଭାବେ ତୁଳନା କରୁଥିଲା, କାହିଁକି ସପ୍ତରଥୀ ନିରୀହ ଅଭିମନ୍ୟୁକୁ ସଂଘବଧ ଭାବେ ମାରିଦେଲେ। ହେଲେ ଆଜି ଯାହା ଏଠି ଘଟୁଛି ସେଇଟା କଣ ଠିକ୍ ତାର ପ୍ରତିଫଳନ..?
କ୍ଷମତାର ଯୁଦ୍ଧ ଆଜି କିଏ ଆମକୁ ଶିଖାଇଛି କେଜାଣି..? ଇନ୍ଦ୍ର ପଦବୀକୁ ନିଜ ଭିତରେ ଦୀର୍ଘ ମିଆଦ ସୁତ୍ରରେ ବାନ୍ଧି ରଖିବା ପାଇଁ ପରମକ୍ରୋଧି ବିଶ୍ଵାମିତ୍ରଙ୍କ ଦ୍ୱିତୀୟ ସ୍ୱର୍ଗ ନିର୍ମାଣର ନିଶାକୁ ପଣ୍ଡ କରିଦେବା ପାଇଁ ଜଣେ ଦାୟିତ୍ୱର ଦାସୀ ସ୍ୱର୍ଗ ଅପସରୀ ମେନକାଙ୍କୁ ପ୍ରେରଣ କରାଗଲା। ଛଳେବଳେ କଉଶଳେ ପ୍ରତାପି ବିଶ୍ଵାମିତ୍ରଙ୍କୁ କାବୁ କରି ପରି ଶେଷରେ ମେନକା ବା ପାଇଲେ କଣ..? ଗୋଟାଏ ଜାରଜ ସନ୍ତାନକୁ ଭୁମିଷ୍ଟ କରାଇ ଅଗନାଅଗନୀ ବନସ୍ତରୁ ଧୁଆ ଧୁଇ ହୋଇ ଫେରିଗଲେ ସ୍ଵର୍ଗପୁରୀକୁ। ଇନ୍ଦ୍ର ବି ବହୁତ ଖୁସିରେ ଆତ୍ମହରା ହୋଇପଡିଥିବେ।
ସ୍ଵ ଅଙ୍ଗଲାଗି ଅନେକ ଆଭୂଷଣମାନ ମେନକାଙ୍କୁ ଟିପ୍ସ ଦେଇଥିବେ। ହେଲେ ଶୂନ୍ୟ କୋଳରେ
ହାହାକାର ହୋଇ ଉଠିଥିବେ ମେନକା। ଖୋଜୁଥିବେ ତାଙ୍କ ସଦ୍ୟଜାତ କନ୍ୟା (ଶକୁନ୍ତଳାଙ୍କୁ) ର କୁଆଁ କୁଆଁ କ୍ରନ୍ଦନ ସିନା ମେନକାଙ୍କୁ ଶ୍ରୁତ ହୋଇନଥିବ। ହେଲେ ଛୁଆ କାନ୍ଦିଲେ ମା ସ୍ତନରୁ କ୍ଷୀର ଗଡେ, ସେଇ ନୀତିରେ ନବସୁଧା ପୂର୍ଣ୍ଣ ମେନକାଙ୍କ ଯୁଗଳ ବକ୍ଷୋଜରୁ ବୁନ୍ଦା ବୁନ୍ଦା
ସୁଧାଝରି ଭିଜି ଯାଇଥିବ ଅନ୍ତଃବସ୍ତ୍ର ମାନ ।
ସେଦିନ ଠୁ ପୁରାଣ ବର୍ଣ୍ଣିତ ସେହି ଶୁଦ୍ଧ ସାକାହାରି ଦେବତାମାନଙ୍କ ନିନ୍ଦନୀୟ ଘଟଣାବଳୀ ତ୍ରେତୟା ଓ କଳି ପାଇଁ ଏକ ଉଦାହରଣ ପାଲଟି ଯାଇଛି। ଏଠି ଗାଁ ବସ୍ତି ସହର ନଅର ରେ ଅନେକ କୁଆଁରୀ ମାତୃତ୍ୱ, ଗର୍ଭପାତ । କାହିଁକି ଏପରି ସେମାନେ କରୁଥିଲେ । କିଛି ବୁଝିପାରୁନଥିଲା ବାନାମ୍ବର , ବିଶ୍ଵାମିତ୍ରଙ୍କ ପରି ଜ୍ଞାନୀ ଗୁଣି କ୍ରୋଧି ମହର୍ଷି ଟିକିଏ ସୁଖ ପାଇଁ
ଛି ଛି ଛି ଛି...! ସ୍ୱର୍ଗବାସୀ ହୋଇ ଅପର ରମଣୀ ସାଥେ ଅନୈତିକ ସମ୍ପର୍କ ସ୍ଥାପନ କରାଇ ଖୁସି ପାଇବାର ଚିତ୍ର ପୁରାଣ ମାଧ୍ୟମରେ ଭାଇରାଲ ହୋଇଯିବା ପରେ ଏବେ ଆସନ୍ତୁ ଦେଖିବେ ଏ ଭୂଖଣ୍ଡର ପ୍ରତ୍ୟେକ ଅଂଶରେ କେମିତି ଶତ ସହସ୍ର ବାରଙ୍ଗନା ଦେହଜିବି ମାନଙ୍କର ମେଳା ଲାଗିଛି। କିନ୍ତୁ ତା ଠାରୁ ବହୁତ ଭଲ ଥିଲେ ଲକ୍ଷ୍ୟହୀରା ।
ମହାଭାରତର ଆଉ ପାଦଟିଏ ଆଗକୁ ଯାଇ ନୀରବି ଗଲା ବାନାମ୍ବର। କି ଆଶ୍ଚର୍ଯ୍ୟ ଆଦେଶ, ଲାଖ ବିନ୍ଧାରୁ ସଦ୍ୟ ଜିତି ମଧ୍ୟମ ପାଣ୍ଡବ ଧରି ଆଣିଥିବା ନିଜ ପତ୍ନୀ ଦ୍ରୌପଦୀଙ୍କ ପାଇଁ ଏତେ ଅମାନୁଷିକ ବାଧ୍ୟତା ବାନାମ୍ବରକୁ ବିଚଳିତ କରି ପକାଉଥିଲା। ପାଞ୍ଚଭ୍ରାତ ସମ୍ମାନ ସହକାରେ ମାତା କୁନ୍ତିଙ୍କ ପାଦଧୂଳି ନେଉ ନେଉ ଏତେ ଉଲ୍ଲସିତ କାହିଁ ପାଇଁ ମାତା ପଚାରିଲା ବେଳେ, ଆମେ ଏମିତି ଏକ ଦ୍ରବ୍ୟ ଆଣିଛୁ ମାତେ ଯାହା ତୁମକୁ ଚକିତ କରିଦେବ । କଥାଟାକୁ ମାତା କୁନ୍ତି ଅତି ହାଲୁକା ଭାବେ ପରୀକ୍ଷା ନିରୀକ୍ଷା ନ କରି ଆଦେଶ ଦେଲେ ତୁମେ ଯାହା ବି ଆଣିଛ ସମ ଭାବରେ ବାଣ୍ଟି ଖାଇ ନିଅ । ଆରେ ଏଠି କାହାକୁ ବାଣ୍ଟି ଖାଇବେ, ଦ୍ରୌପଦୀ କଣ ପକ୍ୱରମ୍ବା, ରସାଳଆମ୍ବ ନା ପଣସ ହେଇଛନ୍ତି ଯେ ବାଣ୍ଟିକୁଣ୍ଟି ଖାଇବେ..? ମାତୃ ଆଦେଶକୁ ସମ୍ମାନ ଜଣାଇ ଇଛାରେ ହେଉ କି ଅନିଚ୍ଛାରେ ହେଉ ବାଧ୍ୟ ପୁତ୍ର ମାନେ ତାଙ୍କୁ ବାଣ୍ଟି ଖାଇଗଲେ ।
ଛୋଟ ମଗଜ ଭିତରେ ବାନାମ୍ବରର କେତେଟା ପ୍ରଶ୍ନ ସହଜରେ ଦେଇ ପାରୁନଥିଲା । ଏଇତ ବୋଧେ ଭାରତ ପାଇଁ ଆଉ ଏକ ଝଲକ ପାଣ୍ଡବଙ୍କ ପକ୍ଷରୁ ମିଳିଥିଲା । ଉଗ୍ର ଆଧୁନିକ ଯୁଗରେ ଆଜିବି ଅନେକ ଘଟଣା ଦୁର୍ଘଟଣା ମାନ ଘଟି ସାରିଛି । ଏକ ପରି କିମ୍ବା ଏକ ପତ୍ନୀରେ ଆଜି ଅନେକ ବି ସନ୍ତୁଷ୍ଟ ନୁହନ୍ତି । ବିବାହିତା ନାରୀ ବେଳେବେଳେ ପାଲଟି ଯାଇଛି ପାଞ୍ଚାଳି boy friend, bye friend ଙ୍କୁ ଅଜାଚିତ ଅଙ୍ଗଦାନ ପୂର୍ବକ ପାଞ୍ଚାଳି ପରି ବଞ୍ଚି ରହିବାକୁ ଖୁବ ଭଲ ପାଇଛି ।
ଧନ୍ୟ ତୁମେ ପଞ୍ଚୁପାଣ୍ଡବେ ,ଅନେକ ଭଲଗୁଣ ଭିତରେ ବି ନାରକୀୟ ଘୃଣ୍ୟ କର୍ମ ମାନ ତୁମ ପାଖରେ ମହଜୁଦ୍ ଥିଲା ।
ସୃଷ୍ଟିକର୍ତ୍ତା ଶ୍ରୀ ବିଷ୍ଣୁଙ୍କର ବା କେଉଁଥିରେ ଅଭାବ ? ଲକ୍ଷ୍ମୀମାତାଙ୍କର ପରି ସୁଲକ୍ଷଣା ପତ୍ନୀ ଥାଉ ଥାଉ କଣ ଦରକାର ଥିଲା ବାଲ୍ୟ ପ୍ରେମିକା ଶ୍ରୀ ରାଧାଙ୍କ ପ୍ରେମରେ ଉବୁଡୁବୁ ହେବା। ନିରୀହ ଚନ୍ଦ୍ରସେଣଙ୍କ ହାତ ଧରି ବାହା ହୋଇଥିବା କୂଳବଧୂ ରାଧାଙ୍କ ସାଥେ ଅହରହ ରାସଲୀଳାରେ ମାତି ରହିବା । କେବେକେବେ ନାବକେଳି, ଭୁତ କୋଳି, ନଟୁ ଚୋରି ପରି ଅନେକ ଖେଳ ଖେଳିବା କିମ୍ବା ଷୋଳସହସ୍ର ଗୋପାଙ୍ଗନାଙ୍କୁ ମୋହନ ବଂଶୀର ମଧୁର ମୂର୍ଚ୍ଛନାରେ ମୋହଗ୍ରସ୍ତ କରାଇ ପରକୀୟା ପ୍ରୀତିରେ ମଜ୍ଜି ରହିବା କଣ ଦରକାର ଥିଲା..?
ସୃଷ୍ଟି ତ ଆପଙ୍କର ଭିଆଣ, ଆପଣ ଜଗତରେ ପରମ ପୂଜ୍ୟ । ଏମିତି କି ବାର୍ତ୍ତା ବାଣ୍ଟି ଦେଇ ଗଲେ ଯେ ଆଜି ଆପଣଙ୍କ ଦ୍ଵାପରର ରାସ ଲୀଳା ସ୍କେଚ ଆଉଟ ହୋଇ, କଳିଯୁଗ ପାଇଁ କେମିତି ମାଡ଼ି ଆସିଲାଣି..! ଆପଣ ଥରଟିଏ ଖାଲି ମର୍ତ୍ତ୍ୟ କୁ ଆସନ୍ତୁ ମହାପ୍ରଭୁ, ଦେଖିବେ ଏଠି କେମିତି ରାସଲୀଳା ଚାଲିଛି । ବାଇକ୍ ଲୀଳା, ନଗ୍ନ ଭିଡିଓ ଭାଇରାଲ ଲୀଳା ଆଉ ପ୍ରତି ନିତ୍ୟ ମନ ଚୋରି । ଆସ୍ତେ ଆସ୍ତେ ସାରା ଏ ପୃଥିବି ଆଜି କେମିତି ଗୋପପୁରି ଲୀଳାରେ ମସଗୁଲ ହୋଇ ଉଠିଛି । ଆପଣଙ୍କର ସେ ସନ୍ଦେଶକୁ ସମ୍ମାନ ଦେଇ ଆବାଳ ବୃଦ୍ଧ ବନୀତା କେମିତି ନିମ୍ନଗାମୀ ହୋଇ ସାରିଲେଣି । ଏବେ ଏ ଭୂଖଣ୍ଡ ପାଇଁ ଆଉ ଏକ କୋକୁଆ ଦରକାର ପ୍ରଭୁ..
ଆମ ପାଇଁ କୋକୁଆ ଟିଏ ଦିଅ ।
ବାନାମ୍ବର କାନ୍ଥରେ ଟଙ୍ଗା ହୋଇଥିବା ଦର୍ପଣ ଟାକୁ ଅନେଇ ରହିଲା। ତା ମଥା ଚର୍ଚ୍ଚିତ ଚନ୍ଦନ ଟିପା ଟିକୁ ଜୋରରେ ହାତରେ ଘଷି ଘଷି ଲିଭେଇଦେଲା।
ଶଃ -- ଖୋଜିଲେତ କମ୍ବର ଯାକ ବାଳ ।
ପଡୋଶି ଘର ଟିକି ଛୁଆଟା ଡାକ
ପାରିଲା ଦାଦା ଦାଦା--ମମି ଡାକୁଛି। ନାରାୟଣ ଭାଇନାର ଭାଉଜ , ଭାଇନା ଦୁର ସୀମାନ୍ତରେ ପ୍ରହରା ଦେଉ ଦେଉ ଦେଶ ପାଇଁ ଜୀବନ ଦେଇଦେଲା। ନିଜ ଘର କବାଟଟାକୁ
ଆଉଜେଇ ଦେଇ ବାରଣ୍ଡାକୁ ଉଠିଲା ବାନାମ୍ବର । ଭାଉଜ ଭାଉଜ ଡାକି ଘର ଭିତରକୁ ପଶିଲା , ଚୁମକି କୁ ବାହାରକୁ ଖେଳିବାକୁ କହି ପଠାଇଦେଲା ପରେ କବାଟ କୋଣରେ ଧକେଇ ଧକେଇ କାନ୍ଦୁଥିଲେ ଭାଉଜ ।
ଆରେ କଣ ହୋଇଛି ଭାଉଜ...? କାନ୍ଦୁଛ କାହିଁକି..? ତମେ ଯେତେ କାନ୍ଦିଲେ ବି ଭାଇନା କଣ ଆଉ ଫେରିବେ ଭାଉଜ..! ବାନାମ୍ବରର ଦୁଇ ପାପୁଲି ଉପରେ ମୁହଁ ଗୁଞ୍ଜି ଗୁଞ୍ଜି କାନ୍ଦୁ କାନ୍ଦୁ ସେ କହିଲେ , ମତେ ତମେ ରକ୍ଷା କର ବାନା। ତମେ ଚାହିଁଲେ ମୁଁ ବଦନାମରୁ ମୁକୁଳି ଯିବି, ଏକ ଘରିଆ ହେବିନି । ତଟସ୍ତ ହୋଇ ଶୁଣୁଥିଲା ବାନାମ୍ବର..! ପୁଣି ପଚାରିଲା ହେଲେ ତମର କଣ ହେଇଛି ଭାଉଜ।
ମୁଁ ଅନ୍ତସତ୍ତା ।
ଚମକି ଯାଇ ଟିକେ ଦୂରକୁ ଘୁଞ୍ଚିଗଲା ବାନାମ୍ବର ।
ହଁ ବାନା ବିଧବା ହୋଇ ବି ମୁଁ ଗୋଟେ ମସ୍ତବଡ ଭୁଲ କରି ଦେଇଛି।
ସାନ୍ତ୍ୱନା ଛଳରେ ବାନାମ୍ବର କହି ଉଠିଲା ସବୁ ଠିକ ହୋଇଯିବ, ତମେ ଧର୍ଯ୍ୟ ଧର । ମୁଁ ତାର ସବୁ ବନ୍ଦୋବସ୍ତ କରିଦେବି। ଝଡ଼ ପରି ଚାଲି ଆସିଲା ବାନାମ୍ବର । ଥକ୍କା ମାରି ବସିପଡ଼ିଲା ତା ଘର ସାମନାରେ କୋଉ ଆବାହାମାନ କାଳୁ ଅସ୍ତାନ ପାତି ପଡି ରହିଥିବା ସେଇ ଚେକି ପଥର ଉପରେ।
ମଣିଷ କୋଉ ବାଟେ ଯାଇବି ଶାନ୍ତିରେ ରହିପାରିବନି, ସବୁ ବାଟ ତ ନିଷିଦ୍ଧାଞ୍ଚଳ,
ବୋଉ ବାପାଙ୍କ ପିଣ୍ଡ ଦିମୁଠା ଦେବା ପାଇଁ ସେ ଏଠାରେ ପଡିରହିଛି। ଅବିବାହିତ ଜୀବନ ନେଇ ନିଃସଙ୍ଗ ସେ ଈଶ୍ୱର ସତ୍ତା ଖୋଜିବାକୁ ମନସ୍ତ କରିଥିଲେ ବି ପ୍ରତି ମୁହୂର୍ତ୍ତରେ ଏପରି ଅସଂଯତ ଅବର୍ଣ୍ଣନୀୟ ଧାରାକୁ ଦେଖି, ସେ ଯେମିତି ନିର୍ବାକ ନିଶ୍ଚଳ ପାଲଟି ଯାଇଛି।
ଗୌତମଙ୍କ ପତ୍ନୀ ଅହଲ୍ୟାଙ୍କର କଣ ବା ଦୋଷ ଥିଲା। ପତି ବେଶରେ ଗୃହ ଭିତରେ ପ୍ରବେଶ କରି କପଟି ଇନ୍ଦ୍ର ଯେତେବେଳେ ମୁନୀ ପତ୍ନୀ ଅହଲ୍ୟାଙ୍କୁ ହରଣ କରି ନିମିଷକ ସୁଖ ପାଇଁ ଇନ୍ଦ୍ରପୁରୀକୁ ପ୍ରତ୍ୟବର୍ତ୍ତନ କଲେ ସିନା ମହର୍ଷିଙ୍କର ଅଭିଶାପରେ ସହସ୍ର ଯୋନୀର କଷ୍ଟ ଭୋଗିଲେ। ଇନ୍ଦ୍ରପରା ସ୍ୱର୍ଗପୁରୀର ବହୁ ଚର୍ଚ୍ଚିତ ପ୍ରଧାନ ଶାସକ, କ୍ଷଣକ କାମନା ଶିଥିଳତା ପାଇଁ ଏତେ ଜଘନ୍ୟ କାଣ୍ଡ ଘଟାଇ ଦେଲେ । ବହୁତ ବାଧୁଥିଲା ବାନାମ୍ବରକୁ । ଇନ୍ଦ୍ର ସିନା ରୂପ ବଦଳାଇ ଅହଲ୍ୟାଙ୍କୁ ଯାଦୁ କରି କାମନା ଚରିତାର୍ଥ କରିଥିଲେ, କିନ୍ତୁ ନାରାୟଣ ଭାଇନାଙ୍କ ବିଧବା ପତ୍ନୀ..! ମୁଣ୍ଡ ଝିମ ଝିମ ହୋଇ ଉଠିଲା ।ଲଣ୍ଡା ସାଇକେଲ ଟାକୁ ଠେଲି ଠେଲି ବାହାରି ପଡ଼ିଲା ବାନାମ୍ବର ତା ଭାଉଜ ପାଇଁ ଗର୍ଭନଷ୍ଟ କରିବାର ବଟିକା ଆଣିବା ପାଇଁ।
ବାହାର ବାରଣ୍ଡାରେ ଦଉଡି଼ଆ ଖଟଟା ପକାଇ ଗଡୁ ଗଡୁ କେତେବେଳେ ନିଦ ଲାଗିଗଲା ଜାଣିନି ବାନାମ୍ବର । ନିସ୍ତବ୍ଧ ଅର୍ଦ୍ଧ ରାତ୍ରରେ ବିଳିବିଳେଇ ହୋଇ ଉଠିଲା ସେ ।
ଶତାଧିକ ରାଣୀ, ପାଟରଣୀ, ଦାସୀ ବିଳାସର ସାମଗ୍ରୀ ରୂପେ ମହଜୁଦ ଥିବା ସତ୍ତ୍ୱେ ମହାଜ୍ଞାନୀ ଦଶଶିର ରାବଣଙ୍କ ଏମିତି କେମିତି ଦୁର୍ବୁଦ୍ଧି ଘଟିଲା ଯେ.. ବନବାସ ଯନ୍ତ୍ରଣାରେ ଜର୍ଜରିତ ସତୀ ସୀତାଙ୍କୁ ଜବରଦସ୍ତ ଉଠାଇ ନେଇ ଆସିଲା ପୁଷ୍ପକ ବିମାନରେ । ଯାହାଙ୍କ ପରାକ୍ରମରେ ଇନ୍ଦ୍ର, ଚନ୍ଦ୍ର, ବାୟୁ , ବରୁଣ ଥରହର.. ସେ ପୁଣି ଏ ନାରକୀୟ ଘଟଣାର ମୁଖ୍ୟ ନାୟକ ସାଜିଲେ..? ଏ ସଂସାରକୁ କି ସନ୍ଦେଶ ଦେଇ ଗଲେ..? ତ୍ରେତୟାର ରାମ ରାଜ୍ୟର ଏ ଅଘଟଣ । ବାଧୁଥିଲା ବାନାଙ୍କୁ, ଯେତେ ଜ୍ଞାନୀ ମାନୀ ବିଦୁଷ ବ୍ରାହ୍ମଣ ହେଲେ କଣ ହେଲା.. ରାକ୍ଷାସ ପ୍ରବୃତିରୁ ରାବଣ ଦୁରେଇ ରହି ପାରିନଥିଲେ ।
ଆଜି ସେଇ ରାବଣକୃତ ଅପହରଣ ସାରା ବିଶ୍ୱରେ ଗୁଞ୍ଜରଣ ସୃଷ୍ଟି କରିଛି। ପ୍ରଥମେ ଚୋରା ଚାହାଣି, ଚାରି ଆଖିର ମିଳନ। ପରେ ପରେ ମନ ଦିଆନିଆ, ପରସ୍ପରକୁ ଆପଣାଇ ନେବାର ପ୍ରୟାସ, ତାପରେ ମିଳନର ପର୍ବ । ଜାତି ଅଜାତି ଉଚ୍ଚନିଚ୍ଚ କୁଳ ରୀତି ଭୁଲିଯାଇ, ରାବଣଙ୍କ ତରିକାରେ କନ୍ୟା ଅପହରଣ । ଆଖିର ଲୁହ ଆଖିରେ ମାରିଦେଇ କିଛି ଦିନ ପାଇଁ ବାପା ମାଆଙ୍କର ବ୍ୟାକୁଳତା ପରେ ପରେ ସବୁ ଶୁନ ।
ଆଉ ନିଦ ଆସିଲାନି, ବାନାମ୍ବର ସେଇ ଖଟିଆରେ ଏକାକି ବସି ରହି ଚାହିଁ ରହିଥିଲା ଅନନ୍ତ ଆକାଶର ସେଇ ତାରାପୁଞ୍ଜ ମାନଙ୍କୁ।
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ଅନନ୍ୟ ପ୍ରତିଭାରେ ଗୁଣମୁଗ୍ଧ ହୋଇ ନିତ୍ୟ ସୁମରଣ କରୁଥିବା ବାନାମ୍ବରର ଆଖି ଲୁହରେ ଛଳ ଛଳ ହୋଇ ଉଠିଲା । ନିଜର ଫାଇଦା ନିମିତ୍ତ ଅଗଣିତ ଭଲ୍ଲୁକ ସେନା, କପିସେନା ସହ ସୁଗ୍ରୀବ, ଶୁଷେଣ, ହନୁମାନ, ଜାମ୍ବୋବାନ, ନଳ ନୀଳଙ୍କ ସହାୟତାରେ ଲଙ୍କାପୁର ପ୍ରବେଶ କରି , ରାବଣ ବଧ କରିବା, ବନ୍ଦିନୀ ସତୀ ସୀତାଙ୍କୁ ଉଦ୍ଧାର କରିବା ପରି ଯଶ ସମ୍ପୂର୍ଣ ରାମାୟଣ ପାଇଁ ଏକ ଗର୍ବ ଓ ଗାରିମା ତୋଳି ଆଣିଥିଲା। ହେଲେ ରାମାୟଣ ବର୍ଣ୍ଣିତ ବାଳୀବଧ ତାକୁ ବହୁତ ମର୍ମାହତ କରୁଥିଲା।
ବାଳୀ ଓ ପ୍ରଭୁ ରାମଚନ୍ଦ୍ରଙ୍କର ଭିତରେ ଶତ୍ରୁତା ନଥିଲା। ଦୁଇ ଭାଇଙ୍କର ଗୃହ କଳିର ସମାଧାନ ପାଇଁ ପ୍ରଭୁଙ୍କୁ ମଧ୍ୟସ୍ତି କରି ବି ଡାକି ନଥିଲେ । ଅଥଚ ସୁଗ୍ରୀବ ମିତ ହୋଇଗଲେ ବୋଲି ଦୁଇ ଭାଇଙ୍କ ଭିତରେ ଗୋଟିଏ ଯୁଦ୍ଧ ଲଗାଇ, ଦୁର୍ବଳ ସୁଗ୍ରୀବଙ୍କ ପକ୍ଷ ନେଇ ବାଳୀଙ୍କୁ ବଧ କରିବାର କି ମତଲବ ଥିଲା। ଏଇଟା କଣ ପ୍ରଭୁ ଶ୍ରୀରାମଙ୍କର ପକ୍ଷପାତିତା ନଥିଲା..!?
ବାଳୀଙ୍କର ସେଇ ଗୋଟାଏ ଅହଂକାର ଥିଲା,
ନିଜ ସାନୁଜ ସୁଗ୍ରୀବଙ୍କୁ 'କିଷ୍କିନ୍ଧ୍ୟାରୁ' ବିତାଡିତ କରାଇ ଭାଇବୋହୁ ରୋମାଙ୍କୁ ଉପପତ୍ନୀ କରି ରଖିବା । ଯେତେ ହେଲେ ସେମାନେ ବାନର ଜାତି, ସେମାନଙ୍କର ବି ଗୋଟାଏ ରୀତିନୀତି, ନିୟମ ରହିଛି । ସେ ସମସ୍ତ ନୀତି ନିୟମକୁ ଉଚ୍ଛେଦ କରାଇ ପ୍ରଭୁ ଯେ କାହିଁକି ଅନଧିକାର ପ୍ରବେଶ ପୂର୍ବକ ବାଳୀଙ୍କୁ ବଧ କଲେ..?
ଏ କଥାଟା ବାନାମ୍ବରକୁ ଜମା ସୁହାଉ ନଥିଲା ।
ଜଗତର ସ୍ୱାମୀ ହୋଇ ଯୋଉପରି ବାଳୀବଧ କରାଇଲେ ଆଜି ସେଇ ଷ୍ଟାଇଲରେ ଅନେକ ବଧ ଚାଲିଛି, ସୁପାରୀ କିଲର କେବେ ବି ବୁଝିବାକୁ ଚେଷ୍ଟା କରନ୍ତିନି। ମୁଁ କାହିଁକି କାହାରିକୁ ହତ୍ୟା କରିବାକୁ ବାହାରିଛି ? ସେ କିଏ ? ତାର ବା ଦୋଷ କଣ..? ସୁପାରୀ (ମୋଟା ଟଙ୍କାର ଅର୍ଥ) ମିଳିଲା ତ ବାସ୍.. ସେ ଖଲାସ୍ । ଆଜି ଏଠି ରାମରାଜ୍ୟ ନୀତିରେ ଦାଦା, ଭାଇ ଓ ସୁପାରୀ କିଲରଙ୍କ ବିତ୍ପାତ ବଢି ବଢି ଚାଲିଛି । ଯଦି ଏହି ସବୁ କାଣ୍ଡ ପ୍ରାଚୀନ ରୀତିରେ ପ୍ରଚଳନ ହୋଇ ନଥାନ୍ତା ତାହେଲେ ସୁପାରୀ କିଲର ଶବ୍ଦ ହିଁ ଏ ଧରାରେ ନଥାନ୍ତା।
ସେ ଦିନ ବଡ଼ ଦେଉଳରେ ଗୋଟାଏ ଅଘଟଣ ଘଟିଗଲା। ମା ଲଷ୍ମୀଙ୍କ ହାଡି ଚଣ୍ଡାଳ ବସ୍ତିରେ ବେହରଣଙ୍କୁ ନେଇ ବଡ଼ ଠାକୁରଙ୍କ ସମଗ୍ର ଅବୟବରେ ଅଗ୍ନି ଜଳିଗଲା। ସାନୁଜ ଜଗନ୍ନାଥଙ୍କୁ ଶତ ଧିକ୍କାରୀ ଯେତେଶୀଘ୍ର ବୋହୁ ମାଆଙ୍କୁ ଏ ବଡ଼ ଦେଉଳରୁ ବିତାଡିତ କରିବାର ଧମକ ଦେଇ ଚାଲିଗଲେ । ଜ୍ୟେଷ୍ଠ ଭ୍ରାତାଙ୍କ ଏପରି ଆଦେଶରେ ସ୍ତବ୍ଧ ପାଲଟିଗଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ , ଉପାୟ ନଥିଲା ଜ୍ୟେଷ୍ଠ ଭ୍ରାତାଙ୍କର ମୁଖ ନିଃସୃତ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ ପୂର୍ବକ ନିଜ ଆଦରର ସହଧର୍ମଣୀଙ୍କୁ ବିତାଡିତ କରିଦେଲେ । ଅପମାନ ଆଉ ଆତ୍ମଗ୍ଲାନୀରେ ସଢୀ ସଢୀ ପରିଶେଷରେ ମା ଲଷ୍ମୀ କଣ କଲେ..? ବିଶ୍ୱକର୍ମାକୁ ଡକାଇ ସ୍ବର୍ଣ୍ଣ ଅଟ୍ଟାଳିକା ଦାସ ଦାସୀଙ୍କୁ ନେଇ ଆରାମରେ ଚଳିଗଲେ। ହେଲେ ବଡ଼ ଦେଉଳରୁ ଅକାରଣେ ବିତାଡ଼ିତ ଦୁଃଖ ତାଙ୍କୁ ନାରୀରୁ ନିଆଁ ବନେଇ ଦେଲା। ନିଜ ଜିଦ୍ ରେ ଅଟଳ ରହି ପତି ଆଉ ଦେଢଶୁରକୁ ଦୀର୍ଘ ବାରବର୍ଷ କାଳ ଏତେ ନିର୍ଯାତନା ଦେଲେ ଯେ ସେ କାହାଣୀ ଥରେ ଯିଏ ଶୁଣିଛି ତା ଦେହ ଶିତେଇ ଉଠିଛି।
ନାରୀ ଯୁଗେ ଯୁଗେ ପୁରୁଷର କ୍ରୀତଦାସୀ, ସେ କଥା ବୋଧେ ମା ଲଷ୍ମୀ ଭୁଲି ଯାଇଥିଲେ । ତାଙ୍କର ଜିଦ ଆଗରେ ଦୁଇଭାଇ ମୁଣ୍ଡ ନୁଆଇଁ ଦେଲେ। କିଛିଟା ସର୍ତ୍ତାବଳୀରେ ବଡ଼ ଦେଉଳକୁ ପ୍ରତ୍ୟାବର୍ତ୍ତନ କରିବା ଜିଦ୍ କୁ ଦୁଇଭାଇ ସହଜରେ ମାନିନେଲେ । ସର୍ତ୍ତ ଥିଲା ଲଷ୍ମୀ ନିଜ ଇଛା ଓ ପସନ୍ଦରେ ଅଛୁତ ଜାତିଙ୍କ ଘରେ ଅନଧିକାର ପ୍ରବେଶ କରିପାରିବେ, ବଡ଼ ଦେଉଳର ଷାଠିଏ ପଉଟି ଅବଢ଼ା, ବ୍ୟଞ୍ଜନଙ୍କୁ ବ୍ରାହ୍ମଣ ହାତରୁ ଚଣ୍ଡାଳ ଛଡାଇ ଖାଇବେ । ଖାଇସାରି ସେ ହାତକୁ ମୁଣ୍ଡରେ ଘସିବେ । ବାନାମ୍ବର ଆଶ୍ଚର୍ଯ୍ୟ ହେଉଥିଲା..! ବାଃ..ସେତେବେଳେ ବି ସାମାଜିକ ସଂସ୍କାର ପ୍ରଚଳନର ପଚ୍ଛଦପଟେ ଥିଲେ ମା ଲଷ୍ମୀ ।
ମାଆ ଙ୍କ ପ୍ରଚଳନ ଜାତିଆଣ ବିଚାର ଆଜି କିନ୍ତୁ ପୁରା ମାତ୍ରାରେ ଏଠାରେ ପ୍ରଚଳିତ। ଏବେ ଆଉ ଜାତି କି ଅଜାତି ବାଛ ବିଚାର କିଛି ନାହିଁ। ଭଲପାଇବାର ଦ୍ୱାହି ଦେଇ ଫୂଲ୍ ରେସ୍ ରେ ଏଠି ଶହେ ଶହେରେ ଖେଳ ଚାଲିଛି । ନୈଷ୍ଠିକ ବ୍ରାହ୍ମଣ ବୋଲାଇ ଗର୍ବରେ ଛାତି ଫୁଲେଇ ଚାଲୁଥିବା ଜଣେ ଶାସନୀ ବ୍ରାହ୍ମଣଙ୍କ କନ୍ୟା ଚଣ୍ଡାଳ ପୁରୁଷ ବନ୍ଧୁଙ୍କ ସାଥିରେ ପଳେଇ ଯାଉଛି। କୋର୍ଟ ବିବାହ କରି ସଂସାର ଗଢୁଛି।
ବାନାମ୍ବର ଟିକେ ଚିନ୍ତାକଲା, ସବୁ ଦେବାଦେବୀ ଯାହା କରିଛନ୍ତି ତାହା କଣ ଭୁଲ..? ଅନ୍ଧାର ନଥିଲେ ଆଲୋକ ଯେ କଣ.. ଜାଣିବା କଷ୍ଟକର ହୋଇ ପଡ଼ିଥାନ୍ତା। ପାପ ଥିଲେ ତ ପୁଣ୍ୟ ଅଛି, ନୀତି ଥିଲେ ଅନୀତି , ଭଲ ଥିଲେ ଭେଲ ଅଛି। ସେ କାହିଁକି ନିଜ ଜାତିକୁ ଜାବୁଡି ଧରି ଏଠି ନିଠେଇ ପଡି ରହିବ। ବାନାମ୍ବର ଠିକ କଲା, ଜାତି ଅଜାତି ନିର୍ବିଶେଷରେ ନିଃସହାୟ ଅସହାୟ ଜନତାର କିଛିଟା ସେବାକଲେ ପୁଣ୍ୟ ଟିକେ ଅର୍ଜନ ହେବ।
ଚୁମୁକି ପୁଣି ଡାକିଲା ଦାଦା--ଦାଦା
ନିଅ ମାମି ତୁମକୁ ମିଠା ଦେଇଛି। ମିଠାଟା ଚୁମୁକି ହାତରୁ ନେଇ ପାଟିରେ ମାରୁ ମାରୁ ବାନାମ୍ବର ଭାବୁଥିଲା..! ନାରଣ ଭାଇନାର ବିଧବା ମାରା ଭାଉଜଟା ବୋଧେ ଭଲ ହେଇଗଲା ।
ଶ୍ରୀ ପ୍ରଶାନ୍ତ ନନ୍ଦ
ପୋଲସରା ଗଞ୍ଜାମ
( ଲେଖାକୁ ନେଇ କୌଣସି ପ୍ରକାର ମତବାଦ ଦେଖାଗଲେ ସୃଷ୍ଟି ସମ୍ଭାର ପରିବାର ଦାୟୀ ହେବନାହିଁ । )




0 Comments