ଅଶିଣମାସିଆ ଶିରିଶିରି ବାଆ
ଛୁଇଁଲାଣି ଆସି ଧରଣୀ,
ପଚରପଚର କାଦୁଅକୁ ନେଇ
ବରଷା ନେଲାଣି ମେଲାଣି ।
ନଦୀପଠା ପୁଣି ବିଲପାଟପରେ
ଶୁଭ୍ର କାଶତଣ୍ଡି ଫୁଟିଛି,
ହୀରାମୁକୁଟକୁ ମଥାରେ ନାଇସେ
ମୁରୁକି ମୁରୁକି ହସୁଛି ।
ଦୂରଆକାଶରେ ଧଳାମେଘ ଖଣ୍ଡ
ଭିଣା ତୁଳାପରି ଭାସୁଛି,
ନଦୀ ଦରପଣେ ନିଜ ଛବିଦେଖି
ଖୁସିରେ ମନତା ନାଚୁଛି ।
ନୀଳ ଆକାଶରେ ରଙ୍ଗ ବୁଣିବୁଣି
ପ୍ରଜାପତି ଉଡେଛଟକେ,
କେଡେ ମନୋହର ଶୋଭା ଦେଖି ତାର
ମନ ତା ପାଖରେ ଅଟକେ ।
ଅଶୀଣକ୍ଷେତରେ ସୋରିସୋରି ବାଆ
କାଟିଥାଏ ଯେବେ ଭଉଁରି,
ଲାଗଇ ସତେକି ଶାଗୁଆ ସାଗରେ
ଉଠୁଛି ସାଗୁଆ ଲହରି ।
ବାଡିରେ ବାଡିରେ ଜହ୍ନିଫୁଲ ଲଟା
ଜହ୍ନିଫୁଲ ଭାରି ଫୁଲେଇ,
ସଞ୍ଜଗଲେ ନଇଁ ଦେଖି ତାର ଛଇ
ତାରା ଦିଏ ମୁହଁ ଲୁଚେଇ ।
ପୋଖରୀରେ ଫୁଟି ନାନାରଙ୍ଗ କଇଁ
ଖୁସିରେ ଆକାଶେ ଚାହିଁଛି,
କଇଁଆଡେ ଚାହିଁ ସାରାରାତି ଜହ୍ନ
ରୁପେଲି ଜୋଛନା ଢ଼ାଳୁଛି ।
ସଞ୍ଜନଇଁଗଲେ ଶେଫାଳିଫୁଲର
ଭୁରୁଭୁରୁ ବାସ ଚହଟି,
ପବନ ଢ଼େଉରେ ଦୋଳି ଖେଳିଖେଳି
ଚଉଦିଗ ଉଠେ ମହକି ।
ଜଳ ନିରିମଳ, ସ୍ଥଳ ନିରିମଳ
ନିରିମଳ ଦିଶେ ଆକାଶ,
ରାତି ନିରିମଳ,ଦିନ ନିରିମଳ
ସବୁଆଡ ଲାଗେ ସରସ ।
ପ୍ରକୃତିକୁ ଚାହିଁ ପଚାରିଲି କାହଁ
ସବୁ ନିରିମଳ ଦିଶୁଛି,
ହସିଦେଇ ମୋତେ ପ୍ରକୃତି କହିଲା
ଶରତ ମରତେ ଆସଛି ।।
ବିଦୁଲତା ସାହୁ
ଖୋର୍ଦ୍ଧା




0 Comments