ନଷ୍ଟନୀଡ଼ - ଶୁଭେନ୍ଦୁ କୁମାର ମହାପାତ୍ର




କଥାଥିଲା ଏମିତି

ସମ୍ପର୍କର ନିବିଡ଼ତାରେ

ଅଳିଆଗଦାରୁ କାଠିକୁଟା ଆଣି

ନିରାପଦ ନିକାଞ୍ଚନ ବୃକ୍ଷରେ 

ସୁରକ୍ଷିତ ନୀଡ଼ଟିଏ ଗଢିବା

ଯେଉଁଠି ନଥିବ ବ୍ୟାଧର ଦୌରାତ୍ମ୍ୟ

ଝଡବତାସର କୋକୁଆ ଭୟ

ସେଠି ଥିବ କେବଳ ସ୍ନେହଁର ପ୍ରଲେପ

ପ୍ରେମ ପୀରତିର ଉଷ୍ଣପ୍ରସ୍ରବଣ

ଅନାବିଳ ଆତ୍ମୀୟତାର ଆଶ୍ଲେଷ

ମୃଦ୍ୟୁ ସମୀରର  ନିବିଡ ଶିହରଣ!!

ସବୁ ଠିକ ଥିଲା

ଅକ୍ଷାଂଶ ଦ୍ରାଘିମା ଦୈର୍ଘ୍ୟପ୍ରସ୍ଥ

ବାସ୍ତୁଉପଚାରରେ ଦଶଦିଗପାଳ ପୂଜା

ଅଗ୍ନି ଐଶାନ୍ୟ ନୈରୁତ ବାୟୁକୋଣ

ପଞ୍ଚଗଵ୍ୟରେ ଶୋଧନ ହୋଇଥିଲା

ମନରେ ମିଳନର ଆବେଗତା ଥିଲା

ବିଶ୍ୱାସରେ ଅସ୍ଥା ଓ ଭରସା ଥିଲା

ପ୍ରେମରେ ଦୃଢ଼ତା ନିଷ୍କପଟତା ଥିଲା

ଆଖିରେ ପେନ୍ଥି ପେନ୍ଥି ସ୍ୱପ୍ନର ଗଜରା ଥିଲା

ନୂଆ ଏକ ନୀଡ ରଚନାରେ ଉନ୍ମାଦନା ଥିଲା

କିନ୍ତୁ କେମିତି ଗଢିବା ଆଗରୁ ଭାଙ୍ଗିଗଲା!!

ଏମିତି କେମିତି ହେଲା

ସଂସାର ସଜାଡ଼ିବା ଆଗରୁ ଉଜୁଡିଗଲା

ଆଶା ନିରାଶାକୁ ରୂପାନ୍ତରିତ ହେଲା

ମୃଦୁଭୂକଂପରେ ପୃଥ୍ୱୀ ଦୋହଲିଗଲା

ବୃକ୍ଷ ଧରାଶାୟୀ ହେଲା

ଡାଳ ପତ୍ର ଫଳ ପୁଷ୍ପ ଝଡିଗଲା

ତମେ ଉଡିଗଲ ନୂଆ ଏକ ନୀଡ ସନ୍ଧାନରେ

ମୁଁ କିନ୍ତୁ ଏବେବି ଭୂପତିତ ବୃକ୍ଷରେ

କାଠି କୁଟା ଦରାଣ୍ଡୁଛି, ଅପେକ୍ଷା କରିଛି

ସ୍ମୃତିସବୁ ଫର୍ଦ୍ଦ ଫର୍ଦ୍ଦ ରୋମନ୍ଥନ କରୁଛି

ପୁଣି ନଷ୍ଟନୀଡକୁ କାଳେ ଫେରିବ!!



ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର (ପ୍ର. ଶି )

ସାନକୁଆଁଲ ସରକାରୀ ୟୁ. ପ୍ରା ବିଦ୍ୟାଳୟ

ମଙ୍ଗଳପୁର, ଯାଜପୁର, ଓଡିଶା

Post a Comment

0 Comments