ହେ ପ୍ରତିଭା ତୁମ ପଦ ଧୂଳି ଟିକେ ଦିଅ - କବି ଭାରତୀ ସରିତା ମହାନ୍ତି


ଏକ ହିଁ ଈଶ୍ୱର ଦ୍ଵିତୀୟ ତ ନାସ୍ତି

      ମଣିଷ ନିମିତ୍ତ ମାତ୍ର

ପୂର୍ଣ୍ଣ ବିକଶିତ ହୋଇଥାଏ ନର

      ସର୍ଜନା ତାଙ୍କ ବିଚିତ୍ର।


ଐଶ୍ୱରୀକ ଶକ୍ତି ପ୍ରତି ନର ଦେହେ

      ଭକତି ହୁଏ ଉଦିତ

ଭକତିରୁ ଶକ୍ତି ପାଇଥାଏ ମୁକ୍ତି

       ପ୍ରତିଭା ହୁଏ ଉଦିତ।


କର୍ତ୍ତବ୍ୟ ଈଶ୍ୱର ମଣେ ଯେଉଁ ନର

      ସଫଳତା ସିଡ଼ି ଚଢ଼େ

ଅଳ୍ପ ଅଳ୍ପ କରି ଅଭ୍ୟାସ ବଳରେ

       ପ୍ରତିଭା ତାହାର ବଢ଼େ।


ମାତୃ ଗର୍ଭ ଠାରୁ ସୁସ୍ଥ ପରିବେଶ

       ତା' ଜୀବନ ଗଢା ଯାଏ

ମାନବୀୟ ଗୁଣ କରି ଆଚରଣ

      ସୁନାଗରିକ  ସେ ହୁଏ।


ପ୍ରତି ନର ଦେହେ ଦେଖି ନାରାୟଣ

     କରି ଭକ୍ତି ଆରାଧନା

ହୃଦରେ ଦେବତା ତା'ର ପିତା ମାତା

       ରଖିଥାଏ ସଦଭାବନା।


ଘର ପରିବାର   ସମାଜ ଆଖିରେ

       ହୁଏ ଦିନେ ପ୍ରସ୍ଫୁଟିତ

ସଭିଙ୍କ ଆଗରେ ପ୍ରତିଭା ପୂଜନେ

       ହୁଏ ସିଏ ବିକଶିତ।


ସମୟକୁ ପୂଜା ବିଜୟର ଧ୍ଵଜା

    ଉଡ଼େ ତା'ର ଫର ଫର

ସୁଗୁଣରେ ସିଏ ହୁଏ ଅଧିକାରୀ

    ପୂଜା ପାଏ ପ୍ରତିଭାର।


ଗାଁ ଓ ମାଆର ସନମାନ ପାଇଁ

     ସଦା ଥାଏ ତତପର

ସମାଜ କଲ୍ୟାଣ ଉତ୍ସର୍ଗ ଜୀବନ

     କୃପା ପାଏ ପ୍ରଭୁଙ୍କର।


ଈଶ୍ବରଙ୍କ ବିନା ସବୁ ଅସମ୍ଭବ

     ହୁଏ ସେ ପ୍ରତିଭା ଧାରୀ

କର୍ମରେ ଆସକ୍ତି ଫଳ ପାଇଁ ନାସ୍ତି

     ପ୍ରିୟ ହୁଏ ସଭିଙ୍କର।


ଗୁରୁ ଲଘୁ ଆଉ ଈଶ୍ବରଙ୍କ ପାଇଁ

      ତା' ପ୍ରତିଭା ତ ବିକଶିତ

ଶାନ୍ତି ସନ୍ତୋଷରେ ଭକତି ଅନ୍ତରେ

      ଜ୍ଞାନ ହୁଏ ପ୍ରଜ୍ଜ୍ଵଳିତ।


ମାଧ୍ୟମ କେବଳ ପରିଶ୍ରମ ସାର

     ଭକ୍ତି ବଳେ ବଳିଆର

ତୁଣ୍ଡ ବାଇଦରେ ପ୍ରତିଭା ବିଚରେ

     ଇଛା ଥାଇ ପ୍ରଭୁଙ୍କର।


ଇଶ୍ଵର ପୂଜନ୍ତି ମନ୍ଦିରକୁ ଯାଇ

     ଭକତି ର ଅର୍ଘ୍ୟ ଢାଳି

ପ୍ରତିଭା ପୂଜନେ  ସଳିତା ବିହୁନେ

      ଦେଇଥା'ନ୍ତି କରତାଳି।


ଯା' ଦେହେ ପ୍ରତିଭା ହୁଏ ପ୍ରକଟିତ

     କିଏ ହୁଏ ଆନନ୍ଦିତ

କିଏ ଈର୍ଷାନ୍ବିତ ହୋଇ ଥାଆନ୍ତି ତ

      କିଏ କରେ ପ୍ରଣିପାତ।


କେହି ନୁହେଁ ହୀନ କେ' ନୁହେଁ ମହାନ

     ପ୍ରତିଭା ତ ବିଭୂ ଦାନ

ଖ୍ୟାତି ଅରଜନେ ସଂଘର୍ଷ ଜୀବନେ

      ଛାଡି ଯାଏ କିଛି ଚିହ୍ନ।


ମାଟି ଦେହ ତା'ର ମାଟିରେ ମିଶିବ

      ପ୍ରତିଭା ଥିବ ଜୀବିତ

କାଳ ଜୟୀ ହୁଏ ସେଇ ନର ପୁଣି

      ହୁଏ ସର୍ବଦା ପୂଜିତ।


କାହା ମୁଖେ ଶୁଭେ ଜୟ କାର ଧ୍ୱନି

       ଦିଅ ତୁମ ପଦ ଧୂଳି

ପ୍ରକୃତରେ ଯିଏ ପ୍ରତିଭାର ଧାରୀ 

        ଧର୍ମରୁ ନ ଯାଏ ଟଳି।।


ବାଲିଆପାଳବା, ଲେଶ୍ୱର

Post a Comment

0 Comments