ସମୟ ସକାଳ 7:15 ହେବ,ଭୁବନେଶ୍ବର ରେଳ ଷ୍ଟେସନ ର ଏକ ନମ୍ବର ପ୍ଲାଟଫର୍ମ ରେ ପ୍ରବଳ ଗହଳି ହୋଇ ସାରିଥିଲା l 7:30 ରେ ପୁରୀରୁ ଆସି ବଡ଼ବିଲ ଅଭିମୁଖେ ଯିବାକୁ ଥିବା 'ପୁରୀ-ବଡ଼ବିଲ ଇଣ୍ଟରସିଟି' କୁ ଅନେକ ଲୋକ ଚାହିଁ ବସିଥାନ୍ତି l ମାତ୍ର ସେ ଭିଡ ଭିତରେ ଗୋଟିଏ ଚେହେରା ବେଶ୍ ବାରି ହୋଇ ପଡୁଥିଲା, ଇଷତ ଗୋଲାପୀ ରଙ୍ଗର ଶାଢୀ ରେ 26-27 ବର୍ଷର ଗୋରା ଝିଅଟିଏ, ମୁହଁ ରେ ଅଦମ୍ୟ ଦମ୍ଭ ତଥା ଆଖିରେ ଭିନ୍ନ ଏକ ଚମକ ଦେଖିବାକୁ ମିଳୁଥିଲା ସେ ଝିଅଟିର, ଲାଗୁଥାଏ ସତେ ଯେମିତି ତା ମନ ଆଜି ବହୁତ ଖୁସି, ବ୍ୟସ୍ତତା ଏବଂ ଉତ୍କଣ୍ଠା ର ମିଶ୍ରିତ ଭାବନା ସେ ଚେହେରାରୁ ସ୍ପଷ୍ଟ ଜଣା ପଡୁଥାଏ l ଚାହୁଁ ଚାହୁଁ ଠିକ୍ ସମୟରେ ବଡ଼ବିଲ ଇଣ୍ଟରସିଟି ଆସି ପହଞ୍ଚିଗଲା, ତରତର ହୋଇ ଲୋକ ସବୁ ଟ୍ରେନ୍ ଭିତରକୁ ଯିବା ଆରମ୍ଭ କଲେ l ସେ ଭିତରେ ସେ ଝିଅଟି ମଧ୍ୟ ଝରକା ପଟୁ ନିଜ ବ୍ୟାଗ୍ ଟିକୁ ଗୋଟାଏ ସିଟ୍ ଉପରେ ଥୋଇ ନିଜ ବସିବା ସ୍ଥାନ ଅକ୍ତିଆର କରି ସାରିଥିଲା l କିନ୍ତୁ ସେ ଟ୍ରେନ୍ ରେ ଚଢିବା ବେଳେ ପଛରୁ ଜଣେ ବୟସ୍କ ମହିଳା ତାକୁ କହିଲେ- ଝିଅ ଲୋ, ତୋ ପାଖରେ ମୋ ପାଇଁ ଟିକେ ଜାଗା ରଖିଦବୁ l ଆଜ୍ଞା ମାଉସୀ ଆସନ୍ତୁ- ବୋଲି କହି ସେ ନିଜ ଜାଗାରେ ବସିଲା, ସେ ମହିଳା ଜଣକ ମଧ୍ୟ ସଙ୍ଗେ ସଙ୍ଗେ ଆସି ତା ପାଖେ ବସିଗଲେ ଆଉ ସେ ଝିଅଟିର ମୁଣ୍ଡକୁ ଆଉଁସି କହିଲେ- ଧନ୍ୟବାଦ ଝିଅ, ତୋ ପାଇଁ ସୁବିଧାରେ ବସି ପାରିଲି l ନାଇଁ ମ ମାଉସୀ, ଏଥିରେ ଧନ୍ୟବାଦ କଣ ଦେଉଛନ୍ତି, ସେଇଟା ମୋର କର୍ତ୍ତବ୍ୟ ଥିଲା... ଆଉ ଆପଣ କଣ କେନ୍ଦୁଝର ଯିବେ?- ଝିଅଟି ପଚାରିଲା l ହଁ ଲୋ ଝିଅ, କେନ୍ଦୁଝରର ପୁରୁଣା ବଜାର ରେ ମୋ ବାପଘର, ଗୋଟେ ବାହାଘର ଅଛି ତ ସେଥିପାଇଁ ଆସିଛି, ଆଉ ତୋ କଥା କିଛି କହ?-ଗୋଟିଏ ନିଶ୍ବାସ ରେ ମହିଳା ଜଣକ କହିଗଲେ l ମୋ ନାଁ ଡା. ରଶ୍ମିତା.... କ୍ଯାପିଟାଲ ହସ୍ପିଟାଲ ରେ ଏଇ ବର୍ଷେ ହେଲା posting ହେଇଛି l
ମାଉସୀ- ଆଲୋ ସାଙ୍ଗିଆ ଟା କହୁନୁ?
ରଶ୍ମିତା- Actually ମାଉସୀ, ମୁଁ ଗୋଟେ ଆଦିବାସୀ ଝିଅ, ପୁରା ନାଁ ହେଲା ଡା. ରଶ୍ମିତା ଜୁଆଙ୍ଗ,ଘର ଗୋନାସିକା l
ମାଉସୀ- ସତରେ ନା କଣ! ଝିଅ ତୁ ବଣୁଆଁ ଜୁଆଙ୍ଗ ମୁଲକରୁ ଏତେ ବାଟରେ ଯାଇ ପହଞ୍ଚି ପାରିଛୁ... ସାବାସ୍...
ରଶ୍ମିତା- ଏତେ ସହଜ ନଥିଲା ମାଉସୀ, କେତେ ଯେ ତିକ୍ତ ମଧୁର ଅନୁଭୂତି ମଧ୍ୟରେ ମୁଁ ଏଠି ପହଞ୍ଚିଛି କହିଲେ ଗୋଟେ ପୋଥି ହେବ!
ମାଉସୀ- ତା ହେଲେ ଆଉ ଡେରି କାହିଁକି ଝିଅ, ଲମ୍ବା ରାସ୍ତା ପଡ଼ିଛି କହିଚାଲ୍ ସବୁ....
ଟ୍ରେନ୍ ଛୁକ୍ ଛୁକ୍ କରି ଆଗେଇ ଚାଲିଥାଏ....
(କ୍ରମଶଃ)




0 Comments