ରଶ୍ମିତା ଆରମ୍ଭ କଲା ତା ଜୀବନର କାହାଣୀ- ମୋ ଜନ୍ମସ୍ଥାନ ଗୋନାସିକା ପାର୍ବତ୍ୟାଞ୍ଚଳ ଅଧୀନସ୍ଥ ନିଘଞ୍ଚ ବନାନୀ ମଧ୍ୟରେ ଥିବା ସୁନ୍ଦର ଉପତ୍ୟକା, ନାଁ ଟି ତା'ର ଜୁଆଙ୍ଗ ପୀଢ l ସେଠାରେ ପାଖାପାଖି ପଚାଶ ହଜାର ଜୁଆଙ୍ଗ ସମ୍ପ୍ରଦାୟ ର ଲୋକ ବସବାସ କରନ୍ତି l ସେମାନେ ନିଜର ଜୀବିକା ନିର୍ବାହ ପାଇଁ ମୁଖ୍ୟତଃ ଚାଷବାସ,ବାଉଁଶ ଡାଲା ତିଆରି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଉପରେ ନିର୍ଭର କରନ୍ତି l ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ହେଉଛି ଗୋନାସିକା ପର୍ବତ, ଯାହାକି ପୁରାଣରେ ଗୁପ୍ତଗଙ୍ଗା ନାମରେ ପ୍ରସିଦ୍ଧ ଏବଂ ସେହି ପର୍ବତର ପାଦ ଦେଶରେ ବ୍ରହ୍ମେଶ୍ୱର ମହାଦେବଙ୍କ ମନ୍ଦିର କାହିଁ କେଉଁ କାଳରୁ ବିଦ୍ୟମାନ l ଆମ ଜାତିରେ ଅଧିକାଂଶ ପୁରୁଷ ଚାଷ କରନ୍ତି ଆଉ ସ୍ତ୍ରୀ ଲୋକମାନେ ଘରେ ରହି ରୋଷେଇ ବାସ କରନ୍ତି l ସନ୍ଧ୍ୟା ହେଲେ ସଭିଏଁ ମଣ୍ଡଘରେ ବସି ପରସ୍ପର ଭିତରେ କଥା ହେବାସହ ନିଆଁ ଜାଳି ରାତ୍ରିର ଶୀତଳତା କୁ ଉପଭୋଗ କରନ୍ତି l ପାଠପଢା ରେ ସେମିତି ଏତେ ଗୁରୁତ୍ବ ନଥାଏ l ମୋର ବାପା ମାଆ ଛୋଟ ବେଳୁ ଚାଲି ଯାଇଥିଲେ ତେଣୁ ମୁଁ ମୋ ମାମୁଁ ଘରେ ରହି ପାଠ ପଢୁଥିଲି l ପଢା ପଢି ଖର୍ଚ୍ଚ ସବୁ Juanga development agency (JDA) କରୁଥିଲା l ସବୁ ପିଲାଙ୍କ ଭିତରେ ମୁଁ ଭଲ ପଢୁଥିଲି ଆଉ ମୋର ଉଚ୍ଚଶିକ୍ଷା ରେ ଅନେକ ଆଗ୍ରହ ଥିଲା l ସେ ବର୍ଷ ମୋର ଦଶମ ଶ୍ରେଣୀ ଥିଲା,ଚୈତ୍ର ମାସରେ ବାରୁଣୀ ସ୍ନାନ ଯାତ୍ରା ଆରମ୍ଭ ହୋଇ ଯାଇଥାଏ l ଏହି ଯାତ୍ରାରେ ବୈତରଣୀ ଘାଟ ରେ ବୁଡ ଦେଲେ ସକଳ ପାପ ମୋଚନ ହୁଏ ବୋଲି ଧାର୍ମିକ ବିଶ୍ବାସ ରହିଛି l ଏଇ ଅବସରରେ ବ୍ରହ୍ମେଶ୍ୱର ଶିବ ମନ୍ଦିର ପାଖରେ ଥିବା ବ୍ରହ୍ମାକୁଣ୍ଡ ଠାରେ ବଡ଼ ମେଳା ପଡେ l ମୁଁ ମୋର କିଛି ସାଙ୍ଗଙ୍କୁ ଧରି ମେଳା ବୁଲିବାକୁ ବାହାରିଲି l ଗଲାବେଳେ ଆମେ ଜୁଆଙ୍ଗ ଭାଷାରେ ଏମିତି କିଛି ଗୀତ ମନରୁ ଫାନ୍ଦି ବୋଲୁଥିଲୁ-
"ବସୁମାତା ପାଦେ କୋଟିଏ ଜୁହାର
ଧର୍ମ ଦେବ ଆମ ରବି,
ପାହାଡ଼ୀ ମୁଲକେ ଆମରି ଜନମ
ସାହା ପୁଣି ଗ୍ରାମଦେବୀ....
ଗୁପ୍ତଗଙ୍ଗା ତଟେ ଜୁଆଙ୍ଗ ବସତି
ଠାଏ ଠାଏ ଦିଶେ ଘର,
ଘଞ୍ଚ ଶାଳବଣେ ଉଭା ଗ୍ରାମଶିରୀ
ନଡିଆ ରଙ୍କୁଣୀ ମୋର
ଅଳ୍ପ ସମୟ ମଧ୍ୟରେ ଆମେ ଯାତ୍ରା ବୁଲି ବାରୁଣୀ ବୁଡ ପକେଇ ଘରକୁ ଆସିବାକୁ ପ୍ରସ୍ତୁତ ହେଲୁ l ଦେହ ମୋର ଓଦା ସରସର,ଚୁଟି ପୁରା ମୁକୁଳା l ତରତର ହୋଇ ଚାଲିକି ଆସିଲା ବେଳକୁ ଗୋଟେ ସହରୀ ଟୋକା ସହିତ ମୋର ଧକ୍କା ହେଇଗଲା, ହାଏ କି ଲାଜ କଥା.... ମୋ ଛୋପରୀ ସଖୀ ଦଳ ଦାନ୍ତ ଦେଖେଇ ଘୋଡ଼ୀ ପରି ହସୁଥିଲେ
(କ୍ରମଶଃ)........




0 Comments