ଜୟ ବୀଣାପାଣି ମାତା ଗୋ
ପାଦେ କରେ ମାଗୁଣି
ଅଧମକୁ ପାଦରେ ସ୍ଥାନ -
ଦେବୁ ଅଛି ମୁଁ ଜାଣି ।
ପାଦକୁ ଆଶରା ଯେ 'କରେ
. ତା'ର ମୂରୁଖ ପଣ
ଦୂର ହୋଇ ଜ୍ଞାନେ ଭୂଷିତ
ହୁଏ ସବୁଠି ଜାଣ ।
କାଳିଦାସ ପରି କବି ତ
ପୂର୍ବେ ମୂରୁଖ ପଣେ
ଅପମାନ ପାଇ ପୂଜିଲା
ତା'ର ହୃଦ କାନନେ |
ସଦୟ ହୋଇଲ ତାହାରେ
ଦେଇ ଯେ ଦିବ୍ୟ ଜ୍ଞାନ
ମହାକବି ନାମେ ଜଗତେ
ତାକୁ ଦେଲ ଯେ ସ୍ଥାନ ।
ପଙ୍ଗୁ ଲଙ୍ଘି ପାରେ ଗିରି ମା'
ତୋର କୃପା ବଳରେ
ମୂକ ଯେ ଭାରତ ଗାଅଇ
ନାମ ଜପି ମୁଖରେ,
ବସନ୍ତ ପଞ୍ଚମୀ ତିଥିରେ
ଆଜି ଭାରତବାସୀ
ପୂଜନ୍ତି ପାଦକୁ ପାଇତେ
ତୋର କରୁଣା ରାଶି ।
ଏମିତି ତିଥି ମା' ତୋହର
କାଳିଆ ରଥ ପାଇଁ
କାଠ ଅନୁକୂଳ ହୁଅଇ
ରଥ ଗଢିବା ପାଇଁ ।
ଜୀବନେ କିଛି ତ ମାଗୁନି
ମାଆ ପାଦେ ତୋହରି
କେବଳ ଆଶିଷ ଦିଅ ମା'
ବୁଦ୍ଧି , ଜ୍ଞାନର ବାରି ।
ବୀଣାର ଝଙ୍କୃତେ ସବୁରି
ଅଜ୍ଞାନ ପଣ ଯାଉ
ଜ୍ଞାନାଲୋକ ସବୁ ହୃଦରେ
ମାଆ ଉଦିତ ହେଉ ।
ସବୁ କଣ୍ଠେ ବସି ଦିଅ ମା'
ଏହି ଶୁଭ ସୁମତି
ହିଂସା, କପଟ ଅମାନୁଷିକ
କାର୍ଯ୍ୟେ ନ ରହୁ ମତି ।
ଦସ୍ୟୁ ରତ୍ନାକର ଯେପରି
ବୁଦ୍ଧି, ଜ୍ଞାନ ଲଭିଣ
ବାଲମିକ ମୁନି ହୋଇଣ
ରଚିଲେ ରାମାୟଣ ।
ପାଦ ଧୂଳି ସବୁ ମୁଣ୍ଡରେ
ପଡ଼ୁ ଏତିକି ଅଳି
ଜୀବନଟା ଧନ୍ୟ ହେଉ ମା'
କରେ ପାଦେ ଗୁହାରି ।।
ଏମ..ଭି : ୧୯ ମାଲକାନଗିରି
ନନ୍ଦୋର ଜି:-ଭଦ୍ରକ




0 Comments