ମୋ ସଂସ୍କୃତି - ନନ୍ଦିନୀ ରାଉତ

  


ସଂସ୍କୃତି ରେ ଭରା ମୋ ଦେଶ ଭାରତ 

    ରହିଅଛି କେଉଁ    କାଳୁ 

ବେଦ ର ଓଁକାର ଯେବେଠୁଁ ଶୁଭିଛି 

    ମୋ ସଂସ୍କୃତି ସେହି ବେଳୁ....। 1


ସତ୍ୟ, ତ୍ରେତା ଆଉ ଦ୍ୱାପର ଯୁଗରେ 

     ସତ୍ୟ ଶାନ୍ତି ଦୟା କ୍ଷମା 

ଗୁରୁ ବ୍ରହ୍ମା, ବିଷ୍ଣୁ ପୁଣି ମହେଶ୍ୱର 

     ଆଉ କି ଦେବା ଉପମା....। 2


ପିତା ମାତା ଥିଲେ ଜୀବନ୍ତ ଠାକୁର 

     ଜ୍ଞାନ ପୂଜା ପାଉଥିଲା 

ପୁତ୍ର ସ୍ନେହେ ପିତା ପ୍ରାଣ ତ୍ୟାଗ କରେ 

     ମୋ ଧର୍ମ ଦେଖାଇ ଦେଲା...। 3


ପତିର ଦୁଃଖ ରେ ପତ୍ନୀ ଦୁଃଖୀ ହୋଇ 

    କଷ୍ଟ କୁ ହସି ସହଇ 

ପତି ପ୍ରାଣା ସତୀ ପତି ସ୍ୱାର୍ଥ ପାଇଁ 

    ନିଜେ ଦୁଃଖ ଯାଏ ସହି...। 4


ଭାଇ ର ମଙ୍ଗଳ କାମନା ରେ ବ୍ରତୀ 

     ଶୟନ ଭୋଜନ ତ୍ୟାଗ 

ବିଳାସ ବ୍ୟସନ ପଛରେ ପକାଇ 

    ଭାତୃ ପ୍ରୀତି କଲେ ଆଗ...। 5


ପ୍ରଜା ସୁଖ ପାଇଁ ରାଜା ପାଏ ଦଣ୍ଡ 

    ପତ୍ନୀ କୁ କରଇ ତ୍ୟାଗ 

ସଭିଙ୍କ ମଙ୍ଗଳ ସମାଜ ଶିଖାଏ 

   ତୁଚ୍ଛ କରେ ରାଜ ଭୋଗ...। 6


ଅନ୍ୟାୟ ଅଧର୍ମ ଦୂର ପାଇଁ ଏଠି 

   ପ୍ରଭୁ ଅବତାର ନିଏ 

ପୃଥିବୀ ର ପାପ ଭାର ଦୂର କରି 

    ନିଜେ ସବୁ ଦୁଃଖ ସହେ... । 7


ସୂର୍ଯ୍ୟ ଚନ୍ଦ୍ର ବୃକ୍ଷ ପୂଜା ପାନ୍ତି ଏଠି 

    ସଭ୍ୟତା ମୋ ପୂଜା ପାଏ 

ବସୁଧା ଅଟଇ ଏକ ପରିବାର 

    ମୋ ସଂସ୍କୃତି ଶିକ୍ଷା ଦିଏ....। 8


ସାଗର ଗର୍ଭ ରେ ଯେହ୍ନେ ମିଶେ ନଦୀ 

     ତେସନେ ଯେ ସର୍ବ ଧର୍ମ 

ରାମ କି ରହିମ ନୁଁହନ୍ତି ଅଲଗା 

    ଏହା ଅଟେ ସାର ମର୍ମ....। 9


ଗୋଟିଏ ମାଆ ର ପୁଅ ଝିଅ ଆମେ 

    ବିଶ୍ୱ ଆମ ପରିବାର 

ହିଂସା ଦ୍ୱେଷ କ୍ରୋଧ ଦୂର କରି ସର୍ବେ 

    ଶାନ୍ତି ର ପ୍ରଚାର କର...।। 10


ବାଲିପଟ୍ଟା, ଅନୁଗୋଳ 

Post a Comment

0 Comments