ଫେରିବ ଉଷା - ବୈଦ୍ୟନାଥ ପଣ୍ଡା

 


ଫେରିବ ଯେ ଉଷା    ଦେଖାଇବ ଦିଶା

            ବିକଶି ନବ ପଲ୍ଲବ

ବିହଙ୍ଗ କୁଜନେ        ସୁମଧୁର ଗାନେ

         ହସି ଉଠିବ ରାଜୀବ ।

ନାନା ଜାତି ଫୁଲ       କଦମ୍ବ ତମାଳ

         ସ୍ୱାଗତ କରିବେ ଆସି

ଗାଉଥିବେ ଗୀତ       ଭ୍ରମର ସହିତ 

          ମଧୁମକ୍ଷିକା ଯେ ଆସି ।

ପ୍ରାଚୀଭାଗେ ଆସି        ଅନ୍ଧକାର ନାଶି

         ରବୀପ୍ରଭା ବିକଶିବ

ନୂତନ ଆଶାରେ        ଜନମାନସ ରେ

        ନବ ଆଶା ସଞ୍ଚରିବ ।

ତନ୍ମୟ ତଲ୍ଲୀନ         ହେବ ପ୍ରାଣ ମନ

        ନବ କିରଣ କୁ ଦେଖି

ପ୍ରତିଟି ପ୍ରାଣରେ         ଆନନ୍ଦଯେ ଭରେ

      ଗାଏ କେତେ ରାଗ ଚୋଖି ।

ଆଳସ୍ୟ ବିହୀନ        ହେବ ତନୁ ମନ

      ସ୍ୱକର୍ମରେ ଧାଇଁଯିବ

ନୂତନ ଦିବସ       ଭରଇ ହରଷ

          ଧର୍ମ ପଥ ଦେଖାଇବ ।

ଆଶା ପୁଷ୍ପ ରେଣୁ        ଝରେ ଝୁଣୁ ଝୁଣୁ

           କର୍ମ ମୟ ଜୀବନରେ

ନିରାଶା ପୁଷ୍ପକୁ          ମନୁ ଧ୍ବଂସୀ ବାକୁ

           ସଂଗ୍ରାମ ସଦା କରେ ।

ସଫଳ ବିଫଳ        ନୁହଇଁ ଟି ମୂଳ

         କର୍ମ ମୟ ଜୀବନରେ

କର୍ମ ବଳେ ସାଧି      ଦୁଃସହ ବାରିଧି

           ପାରି ହେବାକୁ ଅଚିରେ ।

ଆସିଅଛି ଉଷା        ନାଶିବାକୁ ତୃଷା

           ଜାଗ୍ରତ ହୁଅରେ ଜନ

ପ୍ରତି ପ୍ରତି କ୍ଷଣ           ଦେଇ ମନ ପ୍ରାଣ

          ଜୀବନର ମୂଲ୍ୟ ଜାଣ ।

ଦେଖ ଦେଖ ଧନ         ଗଗନେ ତପନ

        ହୋଇ ଶ୍ରେଷ୍ଠ ସର୍ବ ମତେ 

କର୍ମ ବୀର ହୋଇ       କର୍ମ କରୁଥାଇ

        ଶିକ୍ଷା ଦେବା ପାଇଁ ତତେ ।

ଆଦିତ୍ୟ ଯେମନ୍ତେ        ଉଇଁ ରୀତି ମତେ

         ତମସାକୁ କରେ ନାଶ

ସେହିପରି ତୁହି       କର୍ମ ଜ୍ଞାନେ ରହି

         ଅଜ୍ଞାନ ଦାରିଦ୍ର୍ୟ ଧ୍ବଂସ  ।।



  ଅବଦଲ ପୁର, ଯାଜପୁର

  ଦୂରଭାଷ- 9439854199.

Post a Comment

0 Comments