ସାର୍ଥକ ଜୀବନ - ନରୋତ୍ତମ ପାତ୍ର


ବିଶ୍ୱାସ ଭାଙ୍ଗିବ ନାହିଁ କାହାଠାରେ
ଯେ ତୁମକୁ ସର୍ବଦା କରଇ ବିଶ୍ୱାସ
ବିଶ୍ୱାସଘାତକତା କର ଯଦି ଭାଙ୍ଗି
ଦିନେ ତୁମର ହୋଇଯିବ ସର୍ବନାଶ ।
କାହାକୁ ଯଦି ଦେଇଅଛ ବଚନ
ପାଳନାର୍ଥେ କେବେ ନଦେବ ପଛଘୁଞ୍ଚା
ଶତ ବାଧାବିଘ୍ନ ସତ୍ତ୍ୱେ ବି ରଖିବା -
ବଚନ ପୂର୍ଣ୍ଣ କରି ତାର ମନୋବାଞ୍ଛା ।
ପିତାଙ୍କ ବଚନ ପାଇଁ ଯାଇଥିଲେ
ଚଉଦ ବର୍ଷ ରାମଚନ୍ଦ୍ର ବନବାସ
ରାମାୟଣ କହେ ପ୍ରାଣ ବିନିମୟେ
ବଚନ ରଖିବାର କରିବ ପ୍ରୟାସ ।
ସମ୍ପର୍କ ଭାଙ୍ଗିବ ନାହିଁ କେବେହେଲେ
ଯା'ସଙ୍ଗେ ଅଛି ତୁମ ସମ୍ପର୍କ ଘନିଷ୍ଠ
ମୂର୍ଖପଣେ ଯଦି ଭାଙ୍ଗିଦେବା ତାହା
ଭୋଗିବା ଶେଷେ ଆମେ ବହୁ ଦୁଃଖ କଷ୍ଟ ।
ସୁସମ୍ପର୍କ ଯୋଡ଼ିବାକୁ ଲାଗିଥାଏ
ଆମରି ପାଇଁ କେତେ ମାସ ଯେ ବରଷ
ମାତ୍ର ସାମାନ୍ୟ ଭୁଲ୍ ନିମନ୍ତେ ଆମ
କ୍ଷଣିକ ମଧ୍ୟେ ତାହା ହୋଇଯାଏ ଧ୍ୱଂସ ।
କା'ହୃଦୟେ କେବେ ଦେବନାହିଁ ବ୍ୟଥା
ବାଧିଲା ଭଳି କହିଣ କଟୁ ବଚନ
ହୃଦୟ ଯଦି କାହାର କନ୍ଦାଇଲ
ତା'ଅଶ୍ରୁଜଳେ ନିଶ୍ଚେ ଭୋଗିବ କଷଣ ।
ମଣିଷ ଜୀବନେ ଏହି କଥାମାନ
ମନଧ୍ୟାନ ଦେଇ ସର୍ବଦା ଚଳୁଥିବ
ତାହେଲେ ମଣିଷ ଜୀବନ ଆମର
ଏ ଦୁନିଆରେ ନିଶ୍ଚେ ସାର୍ଥକ ଲଭିବ ।

ନାସିଗାଁ, କଳାହାଣ୍ଡି

9938120998

Post a Comment

0 Comments