କାକର ବିନ୍ଦୁକୁ ସବାରୀ କରି
ଦେଖ ଶୀତ ପୁଣି ଆସିଛି ଫେରି
ବସନ୍ତର ଅପେକ୍ଷାରେ ବସି ତ' ଥିଲି
ଆମ୍ବ ବଉଳକୁ ନିତି ନିହାରୁ ଥିଲି
କୋଇଲିର କୁହୁତାନ ଶୁଣିବି ବୋଲି
ଆମ୍ବ ତୋଟା ଆଡେ କାନ ଡେରିଯେ ଥିଲି
ଆଉ କିଛି ଦିନ ବାକିଯେ ଥିଲା
ବସନ୍ତ ଋତୁ ତ' ନ ଦେଲା ଧରା
ପତ୍ରଝଡା ତ' ମୋର ଅଟେ ଅତି ପ୍ରିୟ
ନୂତନତା ପାଇଁ ହୁଏ ପୁରାତନତାର କ୍ଷୟ
ସେ କ୍ଷୟ ଆଣେ ପ୍ରକୃତିରେ କେତେ ବିସ୍ମୟତା
ସୃଷ୍ଟି ହୁଏ କେତେ ପତ୍ର,ପୁଷ୍ପ ଆଉ ନବକଳିକା
କଅଁଳ ପତ୍ର ବି' ଫୁଲ ପରି ଦିଶେ
ଭ୍ରମିଯାଇ ପ୍ରଜାପତିଟି ପତ୍ରରେ ବି ବସେ
କେତେ ମନୋଲୋଭା ଲାଗେ ସେ ଦୃଶ୍ୟ
ଏସବୁ ତ' ପୁଣି ପ୍ରକୃତିର ବିସ୍ମୟ
ବାସ୍ତବ ଜୀବନେ ସୁଖ ଦୁଃଖ
ନାମେ ଦୁଇଟି ଋତୁ
ପରିବେଶ ଆଉ ବିଧାତା ଲେଖିଛି
ବାର ମାସ ସାଙ୍ଗେ ଛ'ଟି ଋତୁ
ସବୁ ଋତୁର ତ' ରୂପବର୍ଣ୍ଣ ଅଲଗା
କେବେ ଅନ୍ତରାତ୍ମା ଗୀତ ଗାଏ ପୁଣି
କେବେ ଲେଖି ହେଇଯାଏ କବିତା ନିଆରା
ଏ ଆନନ୍ଦ ମନ ହୃଦୟେ ଖେଳିଯାଏ
ଅନନ୍ୟ ଖୁସିର ଫୁଆରା
ସେ ଖୁସିକୁ ତ' ଧନ
ହାତ ମୁଠାରେ ନ' ରଖି ହୁଏ
କ୍ଷଣିକ ପାଇଁ ଆସି କ୍ଷଣକ
ମଧ୍ୟରେ ବିଦାୟ ନିଏ ।
ସବୁ ଋତୁ ସେଥିପାଇଁ ଭଲ ଖାଲି ଭଲ
ଗୋଟିକ ପରେ ଗୋଟିକୁ ଖାଲି
ଅନୁଭବ କରିଚାଲ
ମାଁ, ମାଟି, ପ୍ରକୃତି ଆଉ ପରିବେଶ
ସୁଝିକି ପାରିବା ଅମୂଲ ମୂଲ ତାହାର
ସଂସାର କୁ ଯୋଗେଇଛି ଯିଏ ଖୁସିର ଆହାର
ପ୍ରକୃତି ଆଉ ପରିବେଶ ସୁରକ୍ଷା ବିନା
ଅନ୍ୟ ଗତି ଆଉ ନାହିଁ କାହାର
ପ୍ରକୃତିର କରାଳ ରୂପକୁ ମନୁ ନ'ଯାଅ ପାସରି
ଯତ୍ନ କଲେ ନିଶ୍ଚେ ରତ୍ନଯେ ମିଳିବ
ଏକଥା କୁ କେବେ ନ'ଯାଅ ଭୁଲି
ଖରା ପରେ ବର୍ଷା,ବର୍ଷା ପରେ ଶୀତ
ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ
ଏସବୁ ତ' ଅଟେ ନିଅତି ର ଲେଖ
ସୁଖ କ୍ଷଣସ୍ଥାୟୀ ଦୁଃଖ ସହଚରୀ
ଆତ୍ମାଶାନ୍ତି ଥିଲେ ସବୁ ଯିବ ଅପସରି
ଜୀବନ ଋତୁ ତ' ଏମିତି ଯିବ ସରି
ହେଇ ଦେଖ କାକର ସବାରୀରେ
ଶୀତ ପୁଣି ଆସିଛି ଫେରି ।
ଭବାନୀପାଟଣା
କଳାହାଣ୍ଡି




0 Comments