ଆମ୍ବ ବଉଳ - ସୀମାଞ୍ଚଳ ପଣ୍ଡା


ମଧୁ   ଆଗମନେ   ମଳୟ  ପବନେ

ସହକାର  ଏବେ  ଉଠଇ  ହସି,

ମଧୁପ  ଗୁଞ୍ଜନେ  କୋକିଳର ତାନେ

ବକୁଳ ସମ୍ଭାରେ ଜଗତତୋଷି।

ଶୋଭା   ସୁବାସର   ଅମୃତ  ଆସର

ବସନ୍ତେ  ଉଷତ  ବିଶ୍ୱ  ଜୀବନ,

ବକୁଳ   ପୂଜନ   ଅମାବାସ୍ୟା   ଦିନ

ପଉଷ  ମାସର  ବିଧି  ବିଧାନ।

ଶୀତର  ସନ୍ତାପ  ବିନାଶେ  ପ୍ରକୋପ

ବସନ୍ତ ଆଗମେ ଧରଣୀଧାମେ,

କଷଣ     ହରଣ     ଉଲ୍ଲସିତ   ଜନ

ଜୀବନ ମଗନ ସକଳ କାମେ।

ଅଭାବ    ବିହୀନ    ଧରା   ପରସନ୍ନ

ଆହାର  ବିହାର  ସରସ  ଅତି,

ଭବ   ଭାବମୟ     ସୁଭାବ   ଉଦୟ

ବିଶ୍ୱ  ଉଲ୍ଲସିତ  ଶାଶ୍ୱତ ରୀତି।

ଦୋଳଯାତେ  ଧରା  ହୁଏ  ଆତ୍ମହରା

ହରଷେ ପରଶେ ଶୁଭସନ୍ଦେଶ,

ବସନ୍ତ    ପାର୍ବଣ    ମଙ୍ଗଳ  ମେଳନ

ରାଇଦାମୋଦରଯାତବିଶେଷ।

ପାଗ    ଅନୁକୂଳ    ଲଗନ    ମଙ୍ଗଳ

ଧରା  ମଧୁମୟ   ଉତ୍ତମ  ଅତି,

ରୂପ   ରଙ୍ଗ  ରସ    ଅତ୍ୟନ୍ତ   ସରସ

ବକୁଳସୁଗନ୍ଧେ ବାସେ ଧରତୀ।

ଆମ୍ବ ବଉଳରେ  ଶୋଭାର  ଆଭାରେ

ବସନ୍ତ ଆସନ୍ତେ  ଚମକେ  ଧରା,

ବରଷର    ସାର     ସରସ   ଆସର

ବିଲୋକିପୁଲକେସଂସାରସାରା।


ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,

୯୫୮୩୪୩୮୧୭୪

Post a Comment

0 Comments