ବୃଥା ପ୍ରୟାସ - ସନ୍ତୋଷ ପଟ୍ଟନାୟକ


ହଜିଲା ସ୍ମୃତିର ଅଭୁଲା ଅତୀତ
ଲୁଚାଇ ରଖିଲି ଯେତେ
ଛାଇ ହୋଇ ପାଖେ ଘୂରି ବୁଲୁଥିଲା
ଦୂରେଇ ନଦେଇ ମତେ
ବୃଥା ଅଭିଳାଷ ସତେ
ରଜନୀର ଧାରେ ସ୍ବପ୍ନ ଅଭିସାରେ
ବିନ୍ଧିଲା ମନ ତୁରିତେ... ।୦
ଜହ୍ନ ଆଲୁଅରେ ଦେଖିଲି ଭେଳିକି
ବାଦଲ ଛାଇର ଖେଳ
ହସ ହସ ମୁଖେ କେହି ଚନ୍ଦ୍ରମୁଖି
ଛାଟିଲା ମୁହଁକୁ ଜଳ
ନିଦ୍ରାରୁ ଉଠି ସଅଳ
ସ୍ଥିତି ଅନୁଧ୍ୟାନେ ମନ ଦେଇଦେଲି
ନଥିଲା ପ୍ରମାଣ ମେଳ ....।୧
ମାନସ ପଟଳେ ବିତା ଅନୁଭୂତି
ଲେଖି ବସିଗଲି ଯେବେ
ସେ'କାଳେ ପବନ ଦାଉ ତ' ସାଧିଲା
ଆଉ କି' ଲେଖିବି ତେବେ
ବସିଗଲି ଭାବ ଗର୍ଭେ
ଶୂନ୍ୟ ଆକାଶରୁ ନଜର ହଟିଲା
ପକ୍ଷୀଙ୍କର କଳରବେ .... ।୨
ସାଉଁଟି ଧରିଲି ଅସ୍ଥିତ୍ବ ନିଜର
ଚାଲିଲି ନଈର କୂଳେ
ଟାହି ଟାପରାର ଉଚ୍ଚାଙ୍ଗ ଶୁଭିଲା
ଦେଖିଲି ଲଳନା ଦଳେ
ସ୍ନାନରତ ଥିଲେ ମେଳେ
ଢ଼େଉଟିଏ ଆସି ବାଧା ଦେଲା ମୋତେ
ଚେତନାର ଆଢୁଆଳେ .... ।୩
ଫେରି ଆସିଲି ମୁଁ ' ଟିକିଏ ଦୂରକୁ
ବସିଲି ନଦୀର ତୀରେ
ଆନମନା ହେଲି କିଛି କ୍ଷଣ ପାଇଁ
ନାଉରୀର ଗୀତ ସୁରେ
ଭାବକୁ ବାନ୍ଧିଲି ଧିରେ
କଲମ ମୁନରୁ ଆବିଷ୍କାର ନାହିଁ
ଆଖିରୁ ଝରିଲା ଧାରେ ....।୪
କେହି ଜଣେ ଆସି କହିଗଲା ବସି
କାହିଁ କରୁ ଦୁଃସାହସ
ବୟସ ବୀଣାରେ ବିତିଲା ଫଗୁଣ
କରି ପାରିବକି ରାସ
ଜୀବନଟା ତୋର ବିଷ
ଫେରିଯା ଫେରିଯା କରନି ତୁ'ଆଉ
ତୋ'ର ଏ'ବୃଥା ପ୍ରୟାସ ..।।୫


ବେଗୁନିଆପଡା ବ୍ଳକ୍ , ତିରିଡ଼ା, ଗଞ୍ଜାମ

7984259080

Post a Comment

0 Comments