ରଙ୍ଗ ତୁଳୀ - ବାସନ୍ତୀ ଲତା ଜେନା




ରଙ୍ଗ ତୂଳୀ ହାତେ ଧରି ମନେ ଭାବିଲି
ହୃଦୟର ପ୍ରତିଛବି   ଅlଙ୍କିବି ବୋଲି ,
ହୃଦେ ମୋର ବିରାଜିତ ଜଗତ ନାଥ
ତାଙ୍କ ସାଥେ ଶୋଭା ପା'ନ୍ତି ଜଗତମାତ l୧l

ମନ ମୋହନିଆ ସେତ କଳା ଠାକୁର
ଦୁନିଆଟା ବଶିଭୂତ ତାଙ୍କ ପୟର,
ତାଙ୍କ ରୂପ କାନ୍ତି ମୋର ନୟନ ଝୁରେ
ସକାଳ ସଂଜରେ ଦେଖେ ଠାକୁର ଘରେ   l୨l

ସୁଦକ୍ଷ ବିନ୍ଧାଣି ପ୍ରଭୁ ଦିଅ ଆଶିଷ
ତୁମ ରୂପ ଅଙ୍କିବାରେ ମନ ହରଷ,
ରଙ୍ଗରେ ସଜାଇ ଦେବି ତୂଳୀ ମାଧ୍ୟମ
ଜୀବନ୍ତ ହୋଇବେ ପ୍ରଭୁ ଏ ମହୀଧାମ l୩l

କର୍ଣ୍ଣରେ କର୍ଣ୍ଣ କୁଣ୍ଡଳ ଗଳାରେ ହାର
କଉସ୍ତଭ ମଣି ଦିଶେ କେଡେ ସୁନ୍ଦର,
ଆୟୁଧରେ ସଜାଇବି ହସ୍ତ ତୁମର
ଚିତ୍ରକର ତୂଳୀ ଧରେ ତୁମ ଇଛାର  l୪l

ପ୍ରକୃତିର ସବୁଜିମା ତୁମ ଭିଆଣ
ସୁଖ ଦୁଃଖ ହସ କାନ୍ଦ ତୁମରି ଦାନ,
ଯାହାତ କରେ ମାନବ ତୁମ ଆଦେଶେ
ପ୍ରେମ ରଙ୍ଗ ତୂଳୀ ଧରେ ତୁମ ନିର୍ଦ୍ଦେଶେ  l୫l

ସପ୍ତ ରଙ୍ଗ ଇନ୍ଦ୍ରଧନୁ ଦେହେ ଭରିଛ
ସବୁ ରଙ୍ଗ ଜଗତରେ ବୁଣି ଦେଇଛ,
ସ୍ନେହ ଶ୍ରଦ୍ଧା ଭକ୍ତି ମୈତ୍ରୀ ପ୍ରେମ ସରସ
ସେ ରଙ୍ଗରେ ତୂଳୀ ଧରେ ମନ ହରଷ l୬l

ରାଧା କୃଷ୍ଣ ରାସ ଲୀଳା ଯୁଗ ଯୁଗର
ପ୍ରେମ ରଙ୍ଗ ଭରି ଦିଅ ଜୀବ ମଧ୍ୟର,
ହେ ବିଶ୍ୱ ନିୟନ୍ତା ପାଦେ କରେ ଜଣାଣ
ପ୍ରଣତି ମୋ ଘେନା କର ହେ ନାରାୟଣ    l୭l


ଗାନ୍ଧୀନଗର, ନବରଙ୍ଗପୁର  

Post a Comment

0 Comments