ଲଣ୍ଠନ - ମମତାମୟୀ ବିଶ୍ବାଳ



ଆଜି ମୁଁ ଅଲୋଡା

ଟଙ୍ଗା ହୋଇଛି 

ଭଙ୍ଗା ଚାଳିଆର ପଛପଟେ ।


ହେଲେ ମୋର

ନାହିଁ ଆଉ

କାଚର ଆବରଣ

ସେ ଭାଙ୍ଗି ଗଲାଣି 

କେଉଁ କାଳୁ............।


ଦିନଥିଲା 

ମୁଁ ଥିଲି

କେତେ ଆପଣାର

ସୂର୍ଯ୍ୟ ନଇଁବା ପୂର୍ବରୁ

ନବ ବଧୂଟି

ମୋ ଦେହର କାଚକୁ 

ଚିକ୍କଣ କରି ପୋଛୁଥିଲା

ଆଉ ମୋ ଭୋକିଲା ପେଟରେ

ଭରି ଦେଉଥିଲା ମାଟିତେଲ ଗୁଡ଼ା ।


ଆଉ ସାରା ରାତି ସମସ୍ତେ 

ଶୋଇଗଲା ପରେ ବି

ଜୁଳୁଜୁଳୁ ଜାଳି ପାଉଁଶ ହୋଇଛି

ମୋ ଦେହର ସଳିତା ।


ଅନ୍ଧାରକୁ ପରାଜୟ କରି 

ମୁଁ ଜଳୁଥିଲି 

ଆଉ ଆନନ୍ଦ ବି ପାଉଥିଲି

କାହିଁକି ନା 

କେତେ କେତେଙ୍କ 

ଜୀବନ ଗଢୁଥିଲି,


ଆଜି ଚାରି ଆଡ଼େ

କେତେ ରଙ୍ଗ ବେରଙ୍ଗର ଆଲୋକ

ବିଦ୍ୟୁତର ଚାରିଆଡେ ଦଖଲ ।


ସୋଲାର, ଇନଭର୍ଟର, ଚାର୍ଜ ଲାଇଟ 

ସବୁ ନେଇ ଯାଉଛନ୍ତି 

ମୋ ଜାଗା ।


ସବୁ ପରେ ବି 

ମୋ ପାଖରେ ଯେଉଁ 

ସ୍ମୃତି ଅଛି

ଯେଉଁ ଆପଣାର ଭାବ

ମୁଁ ଦେଖିଛି 

ଦେଖି ପାରିବେନି

କେବେ ଆଉ 

ଏ ଆଧୁନିକ ଯୁଗର

ସୁଇଚ ଟିପା ଆଲୋକମାନେ ।।




ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ

ମୟୂରଭଞ୍ଜ




Post a Comment

0 Comments