ରାଧିକା ହାତରେ ଧରି ଫୁଲଥାଳି
ଗୋପାଙ୍ଗନା ମେଳେ ଚଳି
ଧାମନ୍ତି ସକଳେ ଗୋପ ଗାଆଁ ମୁଣ୍ଡେ
ବାନ୍ଧିବାକୁ ଫୁଲଦୋଳି।
ଦୋଳ ପୁନେଇଁରେ ଖେଳିବେଟି ହୋରି
ମାରି ରଙ୍ଗ ପିଚକାରୀ
ହୋଇଛନ୍ତି ସାଥୀ ଫଗୁଣ ଲଗନେ
ହେବା ପାଇଁ ରଙ୍ଗ ବୋଳି।
ଲୁଚି ନନ୍ଦବାଳ ଧରି ପିଚକାରୀ
ରାଧିକାକୁ ଦ୍ୟନ୍ତେ ମାରି
ଲାଜରେ କଣେଇ ଚାହାନ୍ତି ଆଉଡ଼େ
ମୁରୁକି ହସଟି ମାରି।
ରାଧିକା ଗାଲରେ ଶୋଭା ନାଲି ନୀଳ
ପୁଣି ଗୋଲାପି ଅବିର
ଦିଶେ ସୁଶୋଭିତ ଆହୁରି ଶାଣିତ
ବାଳା ଓଠ ଥରଥର।
ଫଗୁଣ ଆସିଛି ସାତରଙ୍ଗ ଘେନି
କୋଇଲିର କୁହୁ ତାନ
ରାଧାକୃଷ୍ଣ ପ୍ରେମ ବିତରି ବାସୁଛି
ଶୁଭେ ମୂରଲୀର ସ୍ୱନ।
ରାଗ ଅଭିମାନ ପାଶୋରି ମନରୁ
ପାହାନ୍ତି ମାରିଣ ବୁଡ଼
କରି ଭୋଜିଭାତ ହୋଇ ଦିଆନିଆ
ସମ୍ପର୍କ କରନ୍ତି ଦୃଢ଼।
ଦୋଳ ଯାତରା ଏ ଶୁଭ ମୁହୂର୍ତ୍ତରେ
ପ୍ରେମର ଅବିର ଛିଟା
ପରସ୍ପର ମଧ୍ୟେ ଖେଳନ୍ତି ଗୋପାଳ
ଓଗାଳ ଦାଣ୍ଡିଆ ପିଟା।
କୟାଁ, ମଙ୍ଗଳପୁର, ଯାଜପୁର
ଓଡ଼ିଶା - ୭୫୫୦୧୧
ଦୂରଭାଷ - ୯୫୪୦୩୦୮୦୯୫




0 Comments