ଆଲୋକିତ ହେଲା ପଲ୍ଲୀ-ରଙ୍ଗ ମଞ୍ଚ
ଅନ୍ଧକାର ଗଲା ହଜି,
ଅପସରି ଗଲେ ଗଗନ ମଣ୍ଡଳୁ
ନକ୍ଷତ୍ର-କୁସୁମ ରାଜି।
ଶୁଭ୍ରାଙ୍ଗନା ଉଷା ନବୀନ ଭୂଷାରେ
ମଞ୍ଚ କଲେ ପଦାର୍ପଣ,
ଦକ୍ଷିଣ ଦିଗରୁ ବହିଆସେ ମନ୍ଦ-
ମଧୁ ଶୀତ ସମୀରଣ।.............
ପ୍ରକୃତି ନିର୍ଦ୍ଦେଶେ ରାବିଲେ ବାୟସ
କୁକ୍କୁଟ ହରଷ ମନେ,
ଉଷା ଆଗମନ ବାରତା କହିଲେ
ପଲ୍ଲୀବାସୀ କାନେ କାନେ।
ତନ୍ଦ୍ରା ତେଜି ଖରେ ଆସ୍ତିକ ରମଣୀ
କଲେ ହର୍ଷେ କମ୍ବୁଘୋଷ,
ସେ ଶବଦେ କିବା ପଲ୍ଲୀ କୁଟୀରରୁ
ତୁଟିଲା ଯାମିନୀ ଦୋଷ।
ଦେବାର୍ଚ୍ଚନା ଆଶେ ଫୁଟିଲେ କୁସୁମ
ଉଦ୍ୟାନରେ ଦେବାଶିଷେ
ଲମ୍ପଟୀ ଭ୍ରମର ଛୁଟିଆସି କାହୁଁ
ବେଢି଼ଗଲେ ଚ଼ଉପାଶେ ।
ସ୍ବ-ସ୍ବ ନୀଡ ତେଜି ବିହଙ୍ଗମ ଗଣ
ଖାଦ୍ୟ ଅନ୍ବେଷଣ ଆଶେ,
ଦଳ ଦଳ ହୋଇ କଳ କଳ କଣ୍ଠେ
ଚ଼ଳିଗଲେ ବିହାୟସେ।
ସଂସାର ବିରାଗୀ ବୃଦ୍ଧ ଗଳା ଝାଡି଼
ମନବୋଧ ଚ଼ଉତିଶା,
ସଂଗୀତର ସ୍ବର ଲମ୍ବାଇ ଦେଲେଣି
ନାହିଁ ଜୀବନେ ପ୍ରତ୍ୟାଶା।
ଗ୍ରାମ୍ୟ ଦେବାଳୟୁଁ ଭାସି ଆସିଲାଣି
ବ୍ରାହ୍ମଣର ମନ୍ତ୍ରଧ୍ବନି,
ଜୟ ଜଗନ୍ନାଥ ଜଗନ୍ନାଥ ସ୍ବାମୀ
ନୟନ ପଥଗାମୀ।
ପୂର୍ବାଶାରେ ରବି ଉଇଁ ଆସିଲେଣି
ପାଦପ ଲତା ଗହଳେ,
ହର୍ଷୋତ୍ ଫୁଲ୍ଲ ଚିତ୍ତେ ପ୍ରସ୍ଫୁଟିତ ହେଲେ
କମଳ ପୁଷ୍ପ କମଳେ।
ତପନ ଲପନ ନିରେଖି ତପନ-
ମୁଖୀ ଆନନ୍ଦ ଲଭିଲା,
ସେ ମୁଖ ନିରେଖି କୃଷ୍ଣ ସୂତ ସୁଖେ
ଭକ୍ତି ପ୍ରଣାମ ବିହିଲା ।
କୁମାରପୁର, ଅନନ୍ତ ପୁର
ବାସୁଦେବ ପୁର, ଭଦ୍ରକ



0 Comments