ନିଜ ପୁତ୍ରସମ ଚିନ୍ତିଣ ପାଳିଛୁ
କେତ ଖଗ-ମୃଗ-ଜନ।
ସ୍ନେହ ମମତାର ସୂତ୍ରରେ ବାନ୍ଧିଣ
ତୋ କୋଳ ଦେଇଛୁ ସ୍ଥାନ।।୧।।
ପିନ୍ଧିବାକୁ ବସ୍ତ୍ର ରହିବାକୁ ବାସ
ଉଦର ପୋଷଣେ ଅନ୍ନ।
ଶୁଦ୍ଧ ଅମ୍ଳଜାନ ଔଷଧ ଅମୃତ
ସମର୍ପି କଲୁ କଲ୍ୟାଣ ।।୨।।
ନିଷ୍ଠୁର ମଣିଷ ସ୍ବାର୍ଥଲିପ୍ସୁ ହୋଇ
ବିସ୍ମରଣେ ଅବଦାନ।
ପ୍ରକୃତି ବକ୍ଷରେ ଯନ୍ତ୍ର ସଞ୍ଚାଳଇ
ନଷ୍ଟଭ୍ରଷ୍ଟ କରେ ବନ ।।୩।।
ବିଷାକ୍ତ ଧୂମରେ ଦୂଷିତ ବାରିରେ
ଉଚ୍ଛନ୍ନ ଅଧୀର ତନୁ ।
କରୁଣ ଚିତ୍କାର ପ୍ରତିକ୍ଷଣ ଶୁଭେ
ପ୍ରକୃତି ମାତାର ମନୁ ।।୪।।
ବିବିଧ ପ୍ରକାରେ ଆକାଂକ୍ଷା ସାଧନେ
ସାମାଜିକ ଜୀବ ଅନ୍ଧ ।
ନମ୍ରତା ସାଧୁତା ଶିଷ୍ଟତାକୁ ଭୁଲି
ଭାଙ୍ଗିଛି ପ୍ରକୃତି ସ୍କନ୍ଧ ।।୫।।
ରଜନୀ ମଧ୍ଯାହ୍ନେ ଜହ୍ନ ହସୁଥାଏ
ବିତରି ଶୀତଳ ଜ୍ୟୋତ୍ସ୍ନା ।
ଜହ୍ନପରି ହସ ତୋ ପକ୍ଷେ ଯେପରି
ସତେ ଅବା ମୃଗତୃଷ୍ଣା ।।୬।।
ଇନ୍ଦ୍ରଜାଲ ଯୁଗେ କଳିଗ୍ରସ୍ତ ଜନେ
ସର୍ବଦା ସମ୍ପଦାଗ୍ରହୀ ।
ପ୍ରକୃତି ମାତାର କରୁଣ ରୋଦନ
ନିଃଶବ୍ଦେ କମ୍ପଇ ମହୀ ।।୭।।
ଜାଗିଉଠ ଆହେ ନିଦ୍ରିତ ମାନବେ
ରଖିବା ପ୍ରକୃତି ମାନ ।
ସର୍ଜିଣ କାନନ ସବୁଜ ନିଃଶ୍ୱାସେ
ତା ଦେହେ ଭରିବା ପ୍ରାଣ ।।୮।।
ପବିତ୍ର କୁମାର ସାହୁ (ସଂସ୍କୃତ ଶିକ୍ଷକ)
ଗ୍ରାମ/ପୋ- ଅତାସାହି
ଥାନା- ଘଷିପୁରା
ଜିଲ୍ଲା- କେନ୍ଦୁଝର
ମୋ: ୯୭୭୭୫୬୦୯୨୧




0 Comments