ସର୍ବଂସହା ନାରୀ - ଶିବେନ୍ଦୁ ସାରସ୍ଵତ ପଣ୍ଡା


ଦୁଇଟି କୁଳର ହିତ ସାଧୁ ବୋଲି
ନାମଟି ତୋର ଦୁହିତା,
ତୁ ଏକା ଜାଣିଛୁ ଅନ୍ତର ତଳେ ତୋ
କେତେ କଥା କେତେ ବ୍ୟଥା।
ଜନମ ଦେଉଛୁ କଷ୍ଟପାଇ ନିଜେ
ଦଶ ମାସ ଦଶ ଦିନ,
ଲାଳନ କରିଛୁ ତାରଣ କରିଛୁ
କରି ନିଜ କଥା ହୀନ।
ମୃଦୁ ମଳୟରେ ଯୋଛନା ପରଶି
ସାଜିଛୁ କେବେ ପ୍ରେୟସୀ,
ସ୍ନିଗ୍ଧ ଚାହାଣୀରେ ଦୁଃଖ ହରିଥାଉ
କଥା ସହ ଅଳ୍ପ ହସି।
ଖୋଲି ଦେଇଥାଉ ଗପର ପେଡ଼ିକୁ
କେବେ ତୁ ଜେଜେମା ସାଜି,
ସ୍ନେହ ଶରଧାର ଅସରାକୁ ମେଲି
ସେ ଖୁସିରେ ଯାଉ ହଜି।
ଅଇରିକୁ ତୁହି ମିତ୍ର କରୁ ବୋଲି
ନାମଟି ତୋହର ନାରୀ,
ତୋ ମିଠା କଥାରେ ଆପଣପଣରେ
ମନ ମୋହୁ ତୁ ସବୁରି।
ସଂସାର ରଥର ଅଟେ ତୁ ସାରଥୀ
ସେନେହ ଶରଧାଧାରୀ,
କେହି ଅଛି ଏହି ମରତ ଭୁବନେ
ହେବାକୁ ତୋହାର ସରି।


ଗ୍ରାମ- ବକ୍ତାରପୁର
ପୋ-  ଖଡିଅଣ୍ଟା
ଥା- ପଟ୍ଟାମୁଣ୍ଡାଇ
ପିନ୍- 754215


Post a Comment

0 Comments