ନାରୀ - କବିଶ୍ରୀ ଗଗନ କୁମାର ଦାଶ


କେଉଁ ଭଲି ଭାବେ ପୂଜା ମୁଁ କରିବି

ଜାଣିପାରୁନି ମୁଁ ତୋତେ,

ଜନନୀ, ଭଗିନୀ, ଜାୟା କନ୍ୟା ରୂପେ

ପୂଜା ପାଉଛୁ ଜଗତେ ।


କେତେବେଳେ ତୁହି ମହାକାଳୀ ରୂପ

କେତେବେଳେ ଦୁର୍ଗା ଦେବୀ,

କେତେବେଳେ ଲକ୍ଷ୍ମୀ ସରସ୍ଵତୀ ସୀତା

କେତେବେଳେ ତୁ ଭୈରବୀ ।


ସାବିତ୍ରୀ ତୁ କେବେ ଛିନ୍ନମସ୍ତା କେବେ

ସୃଷ୍ଟି ର ପାଳନ ପାଇଁ,

ଭିନ୍ନ ଭିନ୍ନ ରୂପ ଧରୁ ତୁହି ମାଁ

କଳନା ତୋହର ନାହିଁ ।


ପଦ୍ମିନୀ ତୁହି ତ ଶୁକଦେଇ ତୁହି

ରାଣୀ ଲକ୍ଷ୍ମୀ ବାଇ ତୁହି,

ମାଳତୀ ତୁହି ତ ଚାନ୍ଦବିବି ତୁହି

ହୋଇଛୁ ଅହଲ୍ୟା ବାଇ ।


କେବେ ସରୋଜିନୀ କେବେ ତୁ କଳ୍ପନା

ନନ୍ଦିନୀ, ଇନ୍ଦିରା ତୁହି,

ତୋହର ବର୍ଣ୍ଣନା କରି ମୁଁ ନ ପାରେ

ଅକିଞ୍ଚିନ ଅଟେ ମୁହିଁ ।


କିନ୍ତୁ ଏବେ ନାରୀ ବଦଳି ଯାଇଛି

ବଦଳିଛି ନାରୀ ରୂପ,

ତୋତେ ମୁଁ ଦେଖୁନି ନମସ୍କାର ତୋତେ

କରିବାକୁ ଲାଗେ ପାପ ।


ଅତ୍ୟାଧୁନିକ ର ଦ୍ୱାହି ଦେଇ ନାରୀ

ଚିରାଫଟା ପିନ୍ଧି ବୁଲେ,

ଭିକାରୀ ଠୁ ହୀନ ତା ବେଶ ବିନ୍ୟାସ

ଗଞ୍ଜେଇ ମଦ ପିଇଲେ ।


ଅର୍ଦ୍ଧ ନଗ୍ନ ହୋଇ ନୃତ୍ୟ କରୁଅଛି

କିଛି ଅର୍ଥ ଲାଳସା ରେ,

ପିତା, ମାତା, ଭାଇ, ଭଗିନୀ ଭୁଲିଛି

ମିଛ ମାୟା ଏ ସଂସାରେ ।


ତା ଦେହ ଚର୍ମକୁ ଦେଖାଇ ସେହି ତ

ବିଭିନ୍ନ ଭଙ୍ଗୀରେ ବୁଲେ,

ତା ନରମ ମାଂସ ପାଇବା ପାଇଁ କି

ମାନବ ଘୂରେ ପାଗଳେ ।


ଭୃଣ ହତ୍ୟା କରେ ବୈଶ୍ୟାଳୟେ ରୁହେ

ଜନ୍ମ କରେ ଅତ୍ୟାଚାରୀ,

ତାହାରି ଗରଭୁ ଜନ୍ମ ହୋଇ ସେ

ସଂସାର କୁ ଦିଏ ସାରି ।


ନାରୀ ର ମର୍ଯ୍ୟାଦା ଭୁଲିଛି ସନ୍ତାନ

ଭୁଲି ଅଛି ଜାତି ଗୋତ୍ର,

ପରିବାର ଭୁଲି ହତ୍ୟା କରୁଅଛି

ବଞ୍ଚିଛି ନାମକୁ ମାତ୍ର ।


ସଂସ୍କାର ଭୁଲିଛି ସେବା ଭୁଲି ଅଛି

ଶିଶୁ ସ୍ନେହ ଭୁଲିଯାଇ,

ଅନାଥ ଆଶ୍ରମରେ ଶିଶୁ ତା କାନ୍ଦୁଛି

ଟୋପାଏ ଦୁଧର ପାଇଁ ।


ବଡ଼ ଲୋକି ନିଶା ଘାରିଛି ତାହାକୁ

ରାତି କାଟେ ଅନ୍ୟ ଘରେ,

ସକାଳୁ ଘରକୁ ଫେରି ଶୋଇଯାଏ

ଚାକରାଣୀ କାମ କରେ ।


ଦିନ ଦ୍ବିପହରେ ପହୁଡ଼ ଭାଙ୍ଗଇ

ଭୁଲିଛି ଠାକୁର ସେବା,

ନେତା ଅଭିନେତା ପାଦ ଚାଟୁ ଅଛି

କାହାକୁ  କହିବା ଅବା ।


ହେ, ନାରୀ ମୁଁ ତୋତେ ନମସ୍କାର କରେ

ବହୁତ ଦୁରରେ ରହି,

ଆସ ମାଁ ଓହ୍ଲାଇ କଳୁଷିତ ରାଜ୍ୟୁ

ଉଦ୍ଧାରିବା କୁ ମହୀ ।


ଦୂରୁ ନମସ୍କାର କରୁଅଛୁ ଆମେ

ଆସ ତୁହି ଅବତରୀ,

ପୁରୁଣା ଯୁଗର ନାରୀ ଟିଏ ହୋଇ

ସଂସାର ଦିଅ ଉଦ୍ଧାରି ।


ତୋ ବିନା ସୃଷ୍ଟି ସମ୍ଭବ ହୁଏନି

ବିନାଶ ହେବ ସଂସାର,

ସତ କର୍ମ କଲେ ସମ୍ମାନ ରହିବ

ନାରୀ ତୋତେ ନମସ୍କାର ।।


ଶୁଭଙ୍କର ନିବାସ

ମାଁ ମାଣିକେଶ୍ଵରୀ ମନ୍ଦିର ସାହି

ମୋହନା, ଗଜପତି-୭୬୧୦୧୫

Post a Comment

0 Comments