ପ୍ରତାରିଣୀ ମନିକା - ଦୀପକ କୁମାର ପାତ୍ର




ତମେ କହିଥିଲ ମନିକା ,
ତମ ଛଡା କିଛି ଲୋଡାନାହିଁ
ଖାଲି ତମର ଭଲପାଇବା ହିଁ ମୋର ମୂଳଧନ
ହେଲେ ତୁମେ କହିଥିବା କଥା କ'ଣ କଲ ? 
ଖାଲି କଥାରେ ହିଁ ରଖିଦେଲ 
ଗୋଟେ ଦୋକାନୀର ଉଧାରୀ ଖାତାରେ 
ଲିଖିତ ବକେୟା ସାମଗ୍ରୀ ଭାବରେ ।
ତୁମର ମନେଅଛି ,
ତୁମେ କହିଥିଲ ପ୍ରେମ ହିଁ ସବୁକିଛି
ବାକି ଯାହାବି ବିଳାସମୟ କୋଠା, ଘୋଡା ଗାଡି 
ସବୁ ବାସ୍ତବିକ ଦୁନିଆଁର ଅଳୀକ ମାତ୍ର
ହେଲେ ,
ଆଜି ତୁମେ କେଉଁ ପଥର ଯାତ୍ରୀ ?
ଶେଷରେ ତୁମେ ବି ବଶବର୍ତ୍ତୀ ହୋଇଗଲ
ସେଇ ତେଲ ଲୁଣ ଦୁନିଆଁର ବସ୍ତୁର ଜାଲରେ ।
କେତେ ଯେ କହିଥିଲ ,
ଭଲପାଇବାର ଆଖ୍ୟାନ ଦେଇ
କୃଷ୍ଣ ଙ୍କର ପ୍ରଣୟିନୀ ରାଧାଙ୍କ ଠାରୁ ଆରମ୍ଭ କରି 
ଦାସିଆ ବାଉରୀ ଯାଏଁ 
ବୃନ୍ଦାବନ ର ପ୍ରାକୃତିକ ରାସଲୀଳା ଠୁ ଆରମ୍ଭ କରି ଦ୍ଵାରିକା ପୁରୀର ପ୍ରଣୟ ପାରବାର ର ଦୂର ଦିଗବଳୟ ଶେଷ ସୀମା ଯାଏଁ
ନିଜକୁ ପ୍ରୀତି ସୁଷମାରେ ଏକାକାର କରିଦେଇ
ସେ କଥା ଗୁଡାକ କ'ଣ କ୍ଷ୍ୟଣିକରେ ଭୁଲିଗଲ ?
ଭାବନା,କଳ୍ପନା ଆଉ ଭଲପାଇବାକୁ 
କେବଳ ଆବଦ୍ଧ କରିଦେଇ ଚାଲିଗଲ 
ଲେଖକ ର ଅଭିମତର ଛାପଦେଇ
ପୁସ୍ତକ ପରିଧିର ଚାରିକାନ୍ଥ ମଧ୍ୟରେ ।।



ବୋରିଆ, କେସିଙ୍ଗା, କଳାହାଣ୍ଡି

Post a Comment

0 Comments