ତୁମକୁ ଯେବେ ଦେଖିଲି ଅଳକାସାନ୍ୟାଲ
ମୋର ଅଶରୀରେ ଖେଳିଗଲା ଅନେକ
ଅହେତୁକ ସମୁଦ୍ର ଢେଉର ଝଡ଼
ଆକାଶରେ ଛାଇଥିଲା ତପନର ପ୍ରଖର କିରଣ
ବୈଶାଖର ଖରା ବି ଲାଗୁଥିଲା
ସତେକି ଛାୟାପ୍ରଦ ଘନର ଯବନିକା
ଉତ୍ତପ୍ତ ପିଚୁ ରାସ୍ତା ବି ହିମାଳୟ ପଥ
ଚାହୁଁ ଚାହୁଁ ଯେ ହଜିଗଲ ଅନେକ ଭିଡ଼ ଆଢୁଆଲେ
ତୁମକୁ ମୁଁ କେତେ ଯେ ଖୋଜିଲି
ହେଇଗଲି ନୟାନ୍ତ ବେସାହାରା ଦିଗହରା ।।
ତୁମକୁ ବା ଦେଖିଥିଲି ଅଳକାସାନ୍ୟାଲ
କେସିଙ୍ଗା ସହରର କୋଉ ଏକ
ଅଜଣା ଗଳି ରାସ୍ତାରେ
ଏକ ଅପନ୍ତରା ଘର ପାର୍ଶ୍ଵଦେଇ
ତୁମେ ସତେକି ଚାଲିଯାଉଥିଲ
ଏକ ନିର୍ଜନ କିଛି ଘାସ ବୁଦାବଣର ସଂକୀର୍ଣ୍ଣ ରାସ୍ତାରେ
ମୁହଁପୋତି ଏକାମୁହାଁ ହୋଇ
ମୋର ଅଚିହ୍ନା ଇଲାକାରେ ମୋର ଅଦେଖା ବାଟରେ ।।
ତୁମକୁ ଦେଖିଥିଲି ଢୋ ଢୋ ଖରାରେ
ଉତ୍ତାପ ଝାଞ୍ଜିକୁ ଆଡେଇ ଆସୁଥିଲ
ଓଢଣା ଆଢୁଆଲେ ମୁହଁ ଲୁଚେଇ ଲୁଚେଇ
ପାଦକୁ ପାଦ ଆଗେଇ
ସତେକି ମନ ମଧ୍ୟରେ ନୂଆ ଉନ୍ମାଦନାର
ଫୁଆର ଜନ୍ମାଇ
ଚାଲିଯାଉଥିଲ ଦୂର ଦିଗବଳୟର
ଅନ୍ତିମ ଆଭା ପର୍ୟ୍ଯନ୍ତ ଏକମୁହା ହୋଇ।।
ତୁମେ ସାକ୍ଷାତ ହୁଅ ପୁଣି
କଲେଜ ଛକର ଗେଟ୍ ପାର୍ଶ୍ଵରେ
ଦିନ ଦ୍ୱିପ୍ରହର ର ଧୂଳି ଉଡାରାସ୍ତାରେ
ଯାଉଥିଲ ଏକା ଏକା କିଛି ମନେ ମନେ ଆଣ୍ଡୁଳେଇ
ଝିକ୍ ମିକ୍ ଆଧୁନିକ ବସ୍ତ୍ର ପରିହିତା ହୋଇ
ଆଖିରେ କଜ୍ବଳ ଓ ମୁହଁରେ ସ୍ନୋ ପାଉଡର ର ପ୍ରଲେପ ଦେଇ
ଯେପରି କିଏ ତୁମର ଅପେକ୍ଷାର ଅନ୍ତକୁ ଜଗିରହିଛି
କଲେଜ ପରିଧି ମଧ୍ୟରେ
ମୀନ ନୟନରେ ନୟାନ୍ତ ହେଇ ।।
ତୁମକୁ ସନ୍ଧାନୀଲି ସେହି ଦିନୁ କେତେ
ବିଦ୍ୟାବିହାର ର କୋଣେ ଅନୁକୋଣେ ଯେତେ
ତୁମକୁ ଚିତ୍ରାୟିତ କରିଥିଲି ମନର ଚିତ୍ରକର ହସ୍ତେ
ତୁମେ ଯେଉଁ କଣେଇ ଚାହିଁ ଦେଇଯାଇଥିଲ ସତେ
ମନରେ ପ୍ରେମରାଗର ବୀଣା ବଜେଇ
ଚାଲିଗଲ ଯେ ତୁମେ ମନରେ ଆଶା ଦେଇ ।।
କାହିଁ ଗଲ କାହିଁ ଗଲ ସେଦିନୁ ନୟନ ମିଳାଇ
ଚାଲିଗଲ ଯେ ମୋ ମନେ ତୁମେ ବହ୍ନି ଜାଳିଦେଇ
ମୋ ସଙ୍ଗେ ସଙ୍ଗୀ ହେଲ ବିଦ୍ୟାବିହାର ରେ
ଏକାନ୍ତେ ପଚାରିଲି ପ୍ରେମ ପାରାବାରେ
ଶୁଣି ମୋ ବାର୍ତ୍ତା ଚୁପ୍ ରହି ଚାଲିଗଲ
ମୋ ପ୍ରଶ୍ନର ଉତ୍ତର ଯେ ଅଧାରେ ରଖିଲ ।।
କାହିଁ ଗଲ ତୁମେ ଯେ ମୁଁ ଖୋଜୁଛି ବାରେ ବାରେ
କାରୁଣ୍ଡ ମଣ୍ଡଳ କ୍ଷେତ୍ରେ କୋଶଳ ସହରେ
ତୁମକୁ ଯେ ମୁଁ ଖୋଜିବୁଲେ
ଏଇ ଏକାନ୍ତ ସମୟର ଚୋରାବାଲି ତୀରେ
ଏଇ ଏକାନ୍ତ ସମୟର ଚୋରାବାଲି ତୀରେ ।।
ବୋରିଆ, କେସିଙ୍ଗା, କଳାହାଣ୍ଡି




0 Comments