ଉତ୍କଳ ମାଟିରେ ଜନମ ମୋହର
ମନରେ ଗରବ ଜାଗେ
ଜାତି ମୋ ଓଡ଼ିଆ ଭାଷାମୋ ଓଡ଼ିଆ
ସରଗ ପରିକା ଲାଗେ।
ମୋପାଇଁ ସରଗ ମୋ ଜନମ ମାଟି
ସୁନ୍ଦର ତା' ପରିପାଟୀ
ଜଗନ୍ନାଥ ଦେଶ ବୋଲିଣ ବିଖ୍ଯାତ
ଧନ୍ଯ ମୋ ଉତ୍କଳ ମାଟି।
ତୋର ବିଲବାଡି ସବୁଜ ପ୍ରାନ୍ତର
ନଦନଦୀ କେତେ ବନ
ଦେଖିଦେଲେ ଥରେ ଆଖି ପୁରିଯାଏ
କିଣି ନେଇଥାଏ ମନ।
ଓଡ଼ିଆ ଜାତିର ଆରାଧ୍ୟ ଦେବତା
ବିଜେ ନିଳାଚଳ ଧାମ
କୋଣାର୍କ ମନ୍ଦିର କାରୁକାର୍ଯ୍ୟମୟ
ପୃଥିବୀରେ ତା'ର ନାମ।
ଉତ୍କଳ ମାତାର ସନ୍ତାନ ସନ୍ତତି
ସର୍ବେ ମୋ ଭାଇଭଉଣୀ
ଦେଇ ମନପ୍ରାଣ ରଖିଥିବା ଧ୍ଯାନ
ଗଢିବା ନୂଆ କାହାଣୀ।
ଜାତି ଭେଦଭାବ ଭୂଲିଯାଇ ଆମେ
ଓଡିଆର ଭାବ ବହି
ଗୋଟିଏ ସୂତ୍ରରେ ଆବଦ୍ଧ ସରବେ
ସଭିଏଁ ଭଉଣୀ ଭାଇ।
ବୀର ପ୍ରସବିନୀ ଉତ୍କଳ ଜନନୀ
ସିଏ ପରା ଆମ ମାଆ
ଶେଷ ରକ୍ତବିନ୍ଦୁ ପ୍ରତିଦାନେ ଆମେ
ରଖିବା ତାହାରି ନାଆଁ।
ମଧୁ ବାରିଷ୍ଟର ଗୋପବନ୍ଧୁ ଦାସ
ଜନମ ତୋହରି କୋଳେ
ଦୀନ ଦରିଦ୍ରର ସେବା କରିଥିଲେ
ବିପତ୍ତି ଆସିବା ବେଳେ।
ବକ୍ସି ଜଗବନ୍ଧୁ ଜୟୀ ରାଜଗୁରୁ
ବୀରତ୍ବର ଥିଲେ ସାକ୍ଷୀ
ମାଟି ପାଇଁ ସିଏ ଶହୀଦ ହୋଇଲେ
ଇତିହାସେ ନାମ ରଖି।
ସତ୍ଯ ଶାନ୍ତି ପ୍ରିତି ସମ୍ମିଳିତ ହୋଇ
ହସଇ ଉତ୍କଳ ଭୂଇଁ
ତୋକୋଳେ ଜନମି ବଡ ଭାଗ୍ଯବାନ
ମଥା ମୋର ଯାଏ ନଇଁ।
ପଢିବି ଓଡ଼ିଆ ଲେଖିବି ଓଡ଼ିଆ
ଓଡିଆରେ ରଖି ଲୟ
ପୃଥିବୀ ଭିତରେ ଯେଉଁଠି ରହିଲେ
ଓଡ଼ିଆ ମୋ ପରିଚୟ।
କୋଟିଏ ଜନତା ଗୋଟିଏ ସ୍ବରରେ
ଉତ୍କଳ ମାତାକୁ ଡାକ
ଉତ୍କଳର ଧୂଳି କପାଳରେ ବୋଳି
ରଖିବା ତାହାରି ଟେକ।।
ଗୋଦାବରୀଶ ଦାସ
ଶଙ୍ଖମୂଳ, ରଣପୁର
ଜିଲ୍ଲା- ନୟାଗଡ଼




0 Comments