ଓଡ଼ିଶାରେ ରହି ଓଡ଼ିଆ ନ କହି
ମାରୁଛ ଇଂଲିଶ ଛାଟ
ଓଡ଼ିଆ ମାଟିରେ ଜନ୍ମଲାଭ କରି
ପୁରାଉଛ ନିଜ ପେଟ।
ମାତୃଭାଷା ପ୍ରିତି ହୃଦୟେ ନ ରଖି
ଗାଉଛ ଦେଶର ଗୀତ
ସାହିତ୍ୟ ନାମରେ ଶୋଷଣ କରୁଛ
ଟଙ୍କାରେ ହେଉଛ ମିତ ।
ଭାଷା ସାହିତ୍ୟର ଉନ୍ନତି ନାମରେ
ଗଢୁଛ ସାହିତ୍ୟ କ୍ଷେତ୍ର
ବ୍ୟବସାୟ କରି ଭାଷାକୁ ବିକୁଛ
ମାନପାତ୍ରେ ତୁମ ନେତ୍ର ।
ଓଡ଼ିଆ ପୀରତି ଦେଖାଉଛ ପୁଣି
ସଭା ସମିତିକୁ ଯାଇ
ଭାଷାର ନାମରେ ଅମାପ ସମ୍ପତ୍ତି
ଦେଶରୁ ଯାଉଛ ନେଇ ।
ଧନ୍ୟରେ ଓଡ଼ିଆ ତୋ ସରଳ ପଣ
ପ୍ରାଣ ବିନ୍ଦୁ ଶୁଷ୍କ ତୋର
ଉତ୍କଳ ମାଟିର ମହତ ନାସନ୍ତି
ଆଖି ଆଗେ କିଛି ଚୋର ।
ମାନ ମତାଣିଆ କଥାକୁ କହନ୍ତି
ଜଗନ୍ନାଥ ନାମ ନେଇ
ଭାଷା ସାହିତ୍ୟର ବିକାଶ ନାମରେ
ଭୋକେଶନାଲ କୁ ଥୋଇ ।
ବିକାଶ ନାମରେ ସଂହାର ଚାଲିଛି
ଭାଷା ଚିହ୍ନ ବର୍ଣ୍ଣ ନାହିଁ
ଦୁର୍ଦ୍ଦିନ ସମୟ ଆସିଲାଣି ଭାଇ
ଭାଷା ସାହିତ୍ୟର ପାଇଁ ।
ସଜାଗ ପ୍ରହରୀ ସଚେତନ ହୁଅ
ଭାଷାର ସୁରକ୍ଷା ପାଇଁ
ଭାଷାକୁ ଯେ ଜନ ବିକ୍ରୟ କରନ୍ତି
ତା'ପଛେ ଯା'ଅନା ଧାଇଁ ।
ଉତ୍କଳ ଏକତା ପାଇଁ ମହାଜନେ
ପ୍ରାଣ ଦେଇଛନ୍ତି ଭାଇ
ତାଙ୍କର ମହତ୍ୱ ରଖିବା ଆମେରେ
ଭାଷାର ପ୍ରହରୀ ହୋଇ ।
ଉଠ ଉଠ ଭାଇ ସଚେତନ ହୋଇ
ଶୋଇଥିଲେ ଶୋଇଥିବୁ
ଉତ୍କଳ ଜନନୀ କ୍ରନ୍ଦନ ନିରବେ
ଶୋଇ ଶୋଇ ଶୁଣୁଥିବୁ ।
ତୋ ପୂର୍ବ ପୁରୁଷ ରଚି ଯାଇଛନ୍ତି
କେତେ ଯେ କାହାଣୀ ମାନ
ସେ କାହାଣୀରେ ଭରିରହି ଅଛି
ଭାଷା ସାହିତ୍ୟର ମାନ ।
ଉତ୍କଳ ଭାରତୀ ଗଳେ ଦେଇଛନ୍ତି
ଓଡ଼ିଆ ହୀରକ ମଣୀ
ଉତ୍କଳ ସନ୍ତାନ ହୋଇ ତୁ ଶୋଇଛୁ
ଶୁଣି ଅନ୍ୟର କାହାଣୀ ।
ଧନ୍ୟ ତୋ ଜୀବନ ଉତ୍କଳରେ ସ୍ଥାନ
ପାଇ ରହିଛୁ ନିରବ
ଉତ୍କଳ ପୀରତି ଅନ୍ତରରୁ ପୋଛି
କରୁଛୁ ପୁଣି ଗରବ ।
ସ୍ୱାର୍ଥ ତ୍ୟାଗ କରି ସମ୍ମାନ ଆଦରି
କର ଭାଷା ଜୟ ଗାନ
ଦେଖିବୁ ତୋ ଭାଷା ରହିବ ଉଚ୍ଚରେ
ପାଇ ବିଶ୍ୱରେ ସମ୍ମାନ ।
ଶୋଇ ରହିଥିଲେ ଗୋଡ଼ ଚାଟୁଥିବୁ
ଆନ ଜନେ ଶ୍ବାନ ହୋଇ
ଭାଷା ବିଭବ ତୋ ଲୋଟି ନେଇଯିବେ
ଧନ୍ୟରେ ଓଡ଼ିଆ ତୁହି ।।
ରଞ୍ଜନ କୁମାର ପଣ୍ଡା




0 Comments