ବିଶ୍ୱ ହିତ ପାଇଁ ଜନମ ଯାହାର
ସେ ଆଜି ଦୁଃଖ ପାଉଛି ।
ଜନମ ଦେଇ ଯେ ସୃଷ୍ଟି ରକ୍ଷାକରେ
ସେ ପୁଣି ଆଜି କାନ୍ଦୁଛି ।
ନାରୀ ଶକ୍ତି ଆଜି ଆନ ହସ୍ତେ ବନ୍ଧା
ମୁକ୍ତି ପଥ ସେ ଖୋଜୁଛି
ନାରୀ ନାରାୟଣୀ କୁହନ୍ତି ସମସ୍ତେ
ଦୁଃଖ ଆଜି ସେ ପାଉଛି।
ସଂସାରର ଲିଳା ଯାହା ହାତେ ବନ୍ଧା
ସେ ଆଜି ପଡିଛି ବନ୍ଧା
ଆନ ସୁଖ ପାଇଁ ଜୀବନ ଯାହାର
ପାଦେ ତା' ସଂସାର ଛନ୍ଦା।
ଭଗିନୀ ରୂପରେ ଭାଇ ପାଇଁ ଚିନ୍ତେ
ମା' ରୂପେ ସନ୍ତାନ ପାଇଁ
ପତ୍ନୀ ରୂପେ ପୁଣି ପତିସେବା କରେ
ଜାଣନ୍ତି ଜଗତ ସାଇଁ ।
ମାତୃଶକ୍ତି ରୂପେ ଜଗତେ ବନ୍ଦିତା
ସେ ପୁଣି ଆଜି ଅବଳା
ସନ୍ତାନ ସୁଖରେ ଶତ ସିଂହ ବଳ
ସେ ପୁଣି ଆଜି ଦୁର୍ବଳା ।
ଏ ମହି ମଣ୍ଡଳେ ଅଟେ ସେ ମହିଳା
ମାତୃ ରୂପେ ପୂଜନୀୟା
ଆଜି ମୋ ଅନ୍ତରେ ଭିତରେ ବାହାରେ
ଦେବୀ ତୁଲ୍ୟ ବନ୍ଦନୀୟା ।
ହେ ବିଶ୍ୱ ନିୟନ୍ତା ହେ ସୃଷ୍ଟି କରତା
ଶକ୍ତି ଆଜି ଦିଅ ହେ ତା'ରେ
ମୋ ଜୀବନ ପଛେ କ୍ଷୀଣ କରିଦିଅ
ମାଆ ମୋ ନ କାନ୍ଦୁ ବାରେ ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ




0 Comments