ନାରୀ - ପ୍ରଭାକର ଦାଶ



କି ଭଳି ବର୍ଣ୍ଣୀବି ତୁମ

ମମତା ପ୍ରତିମା,

ଯେତେ ପରଖିଲେ ଯଶ

ହେବ ପ୍ରାୟ ଉଣା।


କି ଘେନି ମୁଁ ଦୀନ ତହିଁ

କରିବି ଅର୍ଚ୍ଚନ,

ମହିମା ଯାହାର ଶୋଭେ

କେତେ ଯେ ପୁରାଣ।


ତୋ ଉଦରୁ ପ୍ରସାରିତ

ଏ ସୃଷ୍ଟି ଉଦୟ,

ବିଶ୍ଵ ଲଭିଥାଏ ତୋର

ଶୁଭ୍ରାଲୋକମୟ।


ପୂର୍ଣ୍ଣମୟ ଜୀବନ ତୋ

ଜ୍ଞାନରେ ପୂରିତ,

ଆବାହନ କାଳୁ ତୁହି

ଜଗତେ ବନ୍ଦିତ।


ଜ୍ଞାନଲୋକ ପ୍ରଦାୟିନୀ

ତୁ ବିଶ୍ବ-ଭାରତୀ,

ଦେବଲୋକେ ଅବା ମର୍ତ୍ତ୍ୟରେ

ସବୁଠାରେ ଖ୍ୟାତି।


ସର୍ବଂସ୍ବହା ନାରୀ ତୁହି

ସ୍ବୟଂ ନାରାୟଣୀ,

ସୃଷ୍ଟିର ଆରମ୍ଭ ଜନ-

କଲ୍ୟାଣ-କାରିଣୀ।


ତୁ ପ୍ରତିଭା ତୁହି ଅଟୁ

ଲକ୍ଷ୍ମୀ-ସ୍ବରୂପିଣୀ,

ସମ୍ପଦ-ଦାୟିନୀ କେବେ

ବିପଦ-ନାଶିନୀ।


ସର୍ବ ଧର୍ମ ସୂକ୍ଷ୍ମ ମର୍ମ

ତୋହରି ଗର୍ଭରେ,

ଯାଚି-ଯାଚି ପ୍ରେମ ବାଢୁ

ଗୁଣ ଅନୁସାରେ।


ସଭିଙ୍କ ପ୍ରିୟ-ଭାଜନ

ହିମଛାୟା ପରି,

ଏଣୁ ଵ୍ରହ୍ମା ରଚିଗଲେ

ତୁମ୍ଭ ନାମ ନାରୀ।


ପ୍ରଭାକର ଦାଶ

ପାଟଣାଗଡ଼, ବଲାଙ୍ଗୀର

*ମହିଳା ଦିବସ ଉପଲକ୍ଷେ ସମର୍ପିତ*

Post a Comment

0 Comments