ଆକାଶରେ ତାରାଫୁଲ ଫୁଟିଗଲେ
ଆଖି ଲାଖିଯାଏ ତାହାକୁ ଦେଖି
ସେହି ଫୁଲ ପରି ମନ ସଜାଇଲେ
ସଭିଙ୍କ ନଜର ରହିବ ଲାଖି ।
ତାରାଫୁଲ ହସୁ ଉକୁଟି ସୁଷମା
ମୋହି ପାରିଥାଏ ଯେପରି ମନ
ସେପରି ମନର ସୁଷମା ମହକେ
ବାନ୍ଧିଣ ପାରିବା କୋଟିଏ ଜନ ।
ତୋଳି ପାରିବାନି ସିନା ତାରାଫୁଲ
ମନଫୁଲ କିନ୍ତୁ ପାରିବା ତୋଳି
ଯଦି ସେ ମନରେ ଦେଇ ପାରୁଥିବା
ଟିକିଏ ମମତା, ଆଦର ବୋଳି ।
ତାରା ଜ୍ୟୋତି ସିନା ଆଲୋକିତ କରେ
ସୂକ୍ଷ୍ମ ଅଂଶରେ ଆମ ଏ ଧରା
ହେଲେ ମନଫୁଲ ଆଭାର ପ୍ରକାଶ
ଉଜ୍ଜ୍ବଳ କରେ କ୍ଷିତି ସସାଗରା ।
ଉଜ୍ଜ୍ବଳ ନକ୍ଷତ୍ର ମନଟିକୁ କରି
ଯଦି ଗୋଟିଗୋଟି ସଜାଉଥିବା
ସେ ମନ ସୌନ୍ଦର୍ଯ୍ୟେ ହୃଦୟୁ ହୃଦୟ
କିଆଁ ଆମେ ଜିତି ନ ଚାଲୁଥିବା ?
ବିନୋଦିନୀ ଦାଶ
କୁରୁଆଁ, ମୁଗପାଳ, ଯାଜପୁର




0 Comments