ଓଃଃ, କି ଖରା !! ତଣ୍ଟି ଶୁଖୁଛି
ଆଣିଥିବା ପାଣି ଟୋପାକ ସରିଛି
କାକୁଡି..........., ହଁ, ହଁ, କାକୁଡି
କାକୁଡି କୋଉଠି ମିଳିଯାଆନ୍ତା କି !!!
ଭଲ ଲାଗନ୍ତା, କହି ଚାରିଆଡ଼କୁ ଅନାଇଲା ବୁଢ଼ୀ
ହାତରେ ତା'ର ଵିକିଆଣିଥିବା ଡାଲା
ଟଙ୍କା ତ ଧରିଛି, ଟଙ୍କା ଥାଉ ଥାଉ ମରିଯିବ ମଣିଷ ଏଠି
କାହିଁ, କେଉଁଠି କିଛି ଦିଶୁନି, ଗାଡ଼ି ନାହିଁ
କାହିଁକି ପର ବୁଦ୍ଧିରେ ଚାଲିଆସିଲା ଦରଵ ବିକି
ପଇସା ଦୁଇ ପଇସା ଲାଭ ହେଲା ବି
ଭୋକଶୋଷରେ ଆଉଟୁପାଉଟୁ ଵୁଢୀ
ଆସିଲା ଗୋଟେ ମଟର ସାଇକେଲ
ଵାପାରେ ମୋତେ ଟିକେ ଆଗକୁ ନେଇଯା,
ପିଲା ରହିଲା ବି, କ'ଣ ହେଲା ମାଉସୀ
କୋଉଠି କାକୁଡି କି ତରଭୁଜ ଅଛି ??
ବସ୍ ଆସିବାକୁ ଆଉ ଘଡ଼ିଏ ବେଳ
ମୋତେ କାକୁଡି କିମ୍ବା ତରଭୁଜ ପାଖରେ ଛାଡି ଦେ
ଧରମ ହେଵରେ ବାପ, ପ୍ରଭୁ ମଙ୍ଗଳ କରିବେ
ମୋ ପାଖରେ ଆଉ ହେଲମେଟ ନାହିଁ
ପୋଲିସ ଜେଲରେ ରଖିବେ ଧରି ନେଇ
ଆରେ ବାପ, ମୁଁ କହିବି ବା, ମୁଁ କହିଛି
ତୋର କିଛି କରିବେନି କେହି
ଅନ୍ୟର ସାହାଯ୍ୟ କଲେ ପ୍ରଭୁ ଖୁସି ହୁଅନ୍ତି
ଆରେ ଇୟେ କି ନିୟମ ସହରରେ ବା ??
ମୁଁ ତୋ ସାଙ୍ଗରେ ଯିବି,
ପୁଣି ଆଉ ସେ ମୁଣ୍ଡୁଟା କୋଉଠୁ ଆଣିବି ??
ଆଉ ତୁ !!!
ତୁ ତ ଲଗେଇଚୁ, କୋଉଠୁ ଆଣିବୁ ମୋ ପାଇଁ ??
ପିଲାଟା, ଦେଖୁଛି କହି ଗାଡ଼ି ଛାଡିଦେଲା
ବସିପଡ଼ିଲା ବୁଢ଼ୀ ଲଥ୍ କରି
ହାଁ ଟା କରି ଚାହିଁ ରହିଲା ସହର ଆଡେ
ପିଲାଟା କିନ୍ତୁ ଫେରିଲା ତରଭୁଜ କାକୁଡି ଧରି
କାକୁଡି/ତରଭୁଜ ଗୋଟେ ଆଣିଲୁନି
ହଁ ୟାକୁ ଖାଇ ଵସିଥା ବସ୍ ଆସିଲା ପର୍ଯ୍ୟନ୍ତ
କେତେ ଟଙ୍କାର ଇୟେ ?? ଭଗବାନ ମଙ୍ଗଳ କରନ୍ତୁ
ନା, ନା, ଟଙ୍କା ଦରକାର ନାହିଁ
ଚାକିରିର ପ୍ରଥମ ଦରମା ପାଇ ଯାଉଥିଲି
ତୁମ ପାଇଁ ଖର୍ଚ୍ଚ କରି ଆତ୍ମସନ୍ତୋଷ ଲାଗୁଛି
ବୁଢ଼ୀ ଏକଦମ୍ ହତଵାକ୍, ହେ ପ୍ରଭୁ !!
ଇୟେ ସହରିଆ ପିଲା,
ଆମ ଗାଁ ରେ ହୁଏତ ଏମିତି ମିଳିଵେନି
ହେ ପ୍ରଭୁ ! ଏ ପିଲାକୁ ଦେଖି ତୁମକୁ ଦେଖିଲି
ସବୁ ତୁମ ଲୀଳା ପ୍ରଭୁ, ତୁମ ଲୀଳା ।
କଳ୍ପନା ରାୟ
ଲଇଡା, ସମ୍ବଲପୁର




0 Comments