ତୁମେ କାହିଁ ଏତେ ଭଲ ଲାଗ ମୋତେ
ଜାଣି ମୁଁ ପାରେନା ନିଜେ
ତଥାପି କାହିଁକି ତୁମରି ସ୍ମୃତିରେ
ବାରବାର ମୁଁ ଯେ ହଜେ ।
ତୁମେ ନୁହଁ କିଛି ପୁଣି ସବୁକିଛି
ଲାଗ ଅତି ଆପଣାର
ଦେଖିଲେ ତୁମକୁ କିଛି କୁହେ ନାହିଁ
ନ ଦେଖିଲେ ମୁଁ ଅଧିର ।
ତୁମରି ସେନେହ ବାନ୍ଧିଛି ମୋ ପାଇଁ
ମମତା ବନ୍ଧନ ଡୋର
ତଥାପି କେମିତି ଖିଅ ପାଏ ନାହିଁ
ତୁମ-ମୋ ସମ୍ପର୍କର ।
ଅନାବିଳ ତୁମ ସ୍ନେହ ମମତାକୁ
ପରଖିଛି ଏଇ ମନ
ତା'ରି ଭିତରେ ଭୁଲିଛି ମୁଁ ଯେତେ
ମାନ ଆଉ ଅଭିମାନ ।
ଜୀବନ ତ ଏଠି ଆପଣାର ନୁହେଁ
ଅଟଇ କ୍ଷଣଭଙ୍ଗୁର
ସମୟକୁ କାହିଁ ହାତରୁ ଛାଡିବା
ଗଢିବା ଘର ସ୍ମୃତିର ।
ସ୍ମୃତିରେ ଜୀଇଁବା ସ୍ମୃତିରେ ହଜିବା
ବଞ୍ଚିଥିବା ଯେତେଦିନ
ମିଛେ କାହିଁ ଏତେ ମାନ ଅଭିମାନ
କ୍ଷଣିକ ଅଟେ ଜୀବନ ।
ରଗଡ଼ି, ବାଙ୍କୀ, କଟକ




0 Comments