ଓଡ଼ିଆ ରମଣୀ ଦେବୀ ସାବିତ୍ରୀଙ୍କୁ
ଆଦର୍ଶ ନାରୀ ଭାବରେ,
ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ପୂଜଇ
ଅଶେଷ ଭକତି ଭରେ ।
ସାବିତ୍ରୀ ଓ ସତ୍ୟବାନଙ୍କ ମୂରତି
ଆସ୍ଥାନେ ଠାକୁର ଘରେ,
ନାନା ଫଳ ପୁଷ୍ପ ଅର୍ପି ତାଙ୍କ ଗାଥା
ଭକ୍ତିରେ ଗାଏ ତୁଣ୍ଡରେ ।
ଆଜୀବନ ହେବା ସିମନ୍ତିନୀ ଇଚ୍ଛା
ରଖି ସେ ନିଜ ମନରେ,
ଉପବାସ ରହି ସ୍ୱାମୀଙ୍କ ଦୀର୍ଘାୟୁ
ହୃଦୟେ କାମନା କରେ ।
ଅପୁତ୍ରିକ ଥିଲେ ମଦ୍ରର ନରେଶ
ଅଶ୍ୱପତି ବିରସରେ,
ଋଷିଙ୍କଠୁ ପ୍ରାପ୍ତ ମନ୍ତ୍ର ନିୟମରେ
ଜପିଲେ ଭକ୍ତି ହୃଦରେ ।
ମନ ପ୍ରଭାବରୁ କନ୍ୟା ରତ୍ନ ଜନ୍ମି
ସାବିତ୍ରୀ ନାମକୁ ଧରେ
ଚନ୍ଦ୍ରକଳା ପରି ବଢ଼ି ସେ ସାବିତ୍ରୀ
ବାହାରେ ବନ ବିହାରେ ।
କାନନରେ ଋଷିମାନଙ୍କର ସେବା
କରି ଲଭେ ସେ ସନ୍ତୋଷ
ସେହିଠାରେ ଦିନେ ଦେଖିଲା ସାବିତ୍ରୀ
ଏକଇ ସୌମ୍ୟ ପୁରୁଷ ।
ଅବନ୍ତୀ ନରେଶ ଦ୍ୟୁମତ୍ସେନଙ୍କର
ପୁତ୍ର ସେଯେ ସତ୍ୟବାନ,
ଚକ୍ଷୁହୀନ ରାଜ୍ୟହରା ପିତା ସଙ୍ଗେ
ବନରେ କାଟନ୍ତି ଦିନ ।
ଏକଥା ଋଷିଙ୍କୁ ପଚାରି ଜାଣନ୍ତି
ରୂପବତୀ ସେ ସାବିତ୍ରୀ,
ସତ୍ୟବାନଙ୍କର ସୌର୍ଯ୍ୟବୀର୍ଯ୍ୟ ଦେଖି
ବରନ୍ତି ନିଜର ପତି ।
ଗୃହକୁ ଫେରନ୍ତେ ନିଜ ମନକଥା
ମାତାପିତାଙ୍କୁ ଜଣାନ୍ତି,
ଏହି ସମୟରେ ଦେବର୍ଷି ନାରଦ
ସେଠି ଉପସ୍ଥିତ ହ୍ୱ'ନ୍ତି ।
ସବୁକଥା ଶୁଣି କହନ୍ତି ନାରଦ
"ସତ୍ୟବାନ ଅଳ୍ପାୟୁଷ,
ଆଉ ମାତ୍ର ତାଙ୍କ ଆୟୁଷ ରହିଛି
ଆଜିଠାରୁ ଏକ ବର୍ଷ ।
କେମିତି କନ୍ୟାକୁ ବିବାହ ଦେବ ହେ
ରାଜନ ବିଚାର କର,
ବରଷକ ପରେ ବିଧବା ହୋଇବ
କନ୍ୟା ରତନ ତୁମର ।"
ଏ କଥା ଶୁଣିଣ ସାବିତ୍ରୀ ବୋଲନ୍ତି
"ଶୁଣ ଆହେ ଦେବ ମୁନି,
ମୋର ଭାଗ୍ୟେ ପଛେ ଯାହା ଲେଖାଥିବ
ନହୋଇବି ଦୋଚାରୁଣୀ ।"
ପ୍ରଶଂସିତେ ପୋତି ଆଶୀର୍ବାଦ କରି
ବ୍ରହ୍ମାସୁତ ଚଳିଯା'ନ୍ତି,
ଶୁଭ ଲଗ୍ନେ ପିତା ସେ ସତ୍ୟବାନଙ୍କୁ
ସାବିତ୍ରୀଙ୍କୁ ସମ୍ପାଦ୍ୟ'ନ୍ତି ।
ହରଷ ମନରେ ଚଲନ୍ତି ସାବିତ୍ରୀ
ସ୍ୱାମୀଙ୍କର ବନ ଗୃହେ,
ଶାଶୁଶ୍ୱଶୁରଙ୍କୁ ତୋଷି ନିତିନିତି
ସ୍ୱାମୀ ସଙ୍ଗେ ସୁଖେ ରହେ ।
ନାରଦଙ୍କ କଥା ଭାଳି ଦିନ ଗଣି
ମନ ତଳେ ରଖିଥା'ନ୍ତି,
ଜ୍ୟେଷ୍ଠ ଅମାବାସ୍ୟା ଆସି ଉପଗତେ
ବ୍ରତ ପାଳନ୍ତି ସାବିତ୍ରୀ ।
ପ୍ରତ୍ୟୁଷରୁ ଉଠି ନିତ୍ୟକର୍ମ ସାରି
ସ୍ଥାପି ଲକ୍ଷ୍ମୀ ନାରାୟଣ,
ସ୍ତୋତ୍ର, ମନ୍ତ୍ର ପାଠେ ଭକତି ହୃଦୟେ
କରନ୍ତି ତାଙ୍କ ପୂଜନ ।
ପୁଷ୍ପରେ ସଜାଇ ଧୂପ,ଦୀପେ ବନ୍ଦି
ନଇବେଦ୍ୟ ଯେ ବାଢ଼ନ୍ତି,
ନଡ଼ିଆ କଦଳୀ ଆମ୍ବ ଜାମୁକୋଳି
ନନା ବନ ଫଳ ଆଦି ।
ହୃଦୟେ ସୁମରି ଲକ୍ଷ୍ମୀନାରାୟଣ
ସ୍ୱାମୀଙ୍କ ଶୁଭ ମନାସି,
ଋଷି, ବ୍ରହ୍ମଣଙ୍କୁ ପବିତ୍ର ହୃଦୟେ
ଭୋଜନ, ଦାନରେ ତୋଷି ।
ଶାଶୁ ଶ୍ୱଶୁର ଓ ସ୍ୱାମୀଙ୍କୁ ପ୍ରଣମି
ସର୍ବଙ୍କୁ ଭୋଗ ବାଢ଼ନ୍ତି,
ନିଜେ ଉପବାସ ରହି ସେମାନଙ୍କୁ
କଥାରେ ଭୁଲାଇଥା'ନ୍ତି ।
ଦିବସ ତିନି ପ୍ରହରେ ସତ୍ୟବାନ
ଆଣିବାକୁ ଫଳ କାଠ,
ପିତାମାତାଙ୍କଠୁ ଅନୁମତି ନେଇ
ଯାଆନ୍ତି ନକରି ମଠ ।
ସାବିତ୍ରୀ ବି ତାଙ୍କ ସଙ୍ଗରେ ଚଳନ୍ତି
ପିତାମାତାଙ୍କୁ ପଚାରି
ମନତଳ କଥା ଚାପି ରଖି ବନ
ବୁଲିବା ବାହାନା କରି ।
ବନ ପ୍ରଦେଶରୁ ସତ୍ୟବାନ ଫଳ
ତୋଳି ସାବିତ୍ରୀଙ୍କୁ ଦେଇ,
କାଠ କାଟିବାକୁ ବୃକ୍ଷ ପାଶେ ଯାନ୍ତେ
ମୁଣ୍ଡଟି ଦିଏ ବୁଲାଇ ।
ଫେରି ସବିତ୍ରୀଙ୍କ କୋଳେ ମଥା ରଖି
ତାଙ୍କ ପଣତେ ଶୁଅନ୍ତି,
ଦିନାନ୍ତେ ସାବିତ୍ରୀ ଉଠାନ୍ତି ତାହାଙ୍କୁ
ହେଲେ ସେତ ନ ଉଠନ୍ତି ।
ସ୍ୱାମୀଙ୍କର ଶେଷ କାଳ ହେଲା ଜାଣି
ବିକଳ ହୋଇ ରୋଦନ୍ତି
ଯମଦୂତେ ଆସି ସତୀଙ୍କର ତେଜ
ଦେଖି ଯେ ଫେରି ଯାଆନ୍ତି ।
ସେଠୁ ଜନ୍ତୁପତି ଆସନ୍ତେ ତଡ଼ତି
ସତ୍ୟବାନଙ୍କ ନିକଟ,
ପରିଚୟ ଦେଇ ପ୍ରାଣ ବାନ୍ଧି ନେଇ
ଚଳିଯା'ନ୍ତି ଜନ୍ତୁରାଟ ।
ସବିତ୍ରୀ ପଛରେ ଗୋଡ଼ାଇ ଯାଆନ୍ତି
ଥର ଥର ତିନିଥର,
ମିଷ୍ଠ ସମ୍ଭାଷଣେ ଧର୍ମଙ୍କୁ ମୋହନ୍ତେ
ଯାଚିଦ୍ୟ'ନ୍ତି ତିନି ବର ।
ସେହି ବର ବଳେ ଶ୍ୱଶୁର ତାଙ୍କର
ଚକ୍ଷୁ, ରାଜ୍ୟ ଫେରିପା'ନ୍ତି,
ନିଜର ପିତା ପାଆନ୍ତି ଶତ ପୁତ୍ର
ନିଜେ ଶତ ପୁତ୍ରବତୀ ।
ସ୍ବାମୀଙ୍କ ବିନା କିପରି ପୁତ୍ର ଲାଭ
ଯମଙ୍କୁ ଯୁକ୍ତି ବାଢ଼ିଣ ?
ଫେରାଇ ଆଣିଲେ ତାଙ୍କଠାରୁ ସେତ
ସତ୍ଯବାନଙ୍କର ପ୍ରାଣ ।
ଜନ୍ତପତି ତାଙ୍କୁ ସତୀ ସାଧ୍ବୀ କହି
ନାମ ଦେଲେ ମହାସତୀ,
ସେହି ଦିନଠାରୁ ଏ ନାରୀ ଜଗତ
ସାବିତ୍ରୀ ବ୍ରତ ପାଳନ୍ତି ।
ପତି ଗୁରୁ, ପତି ପରମ ଦେବତା
ପତି ସେବା ନାରୀ ଧର୍ମ,
ପତି ପାଦେ ମତି ରଖେ ଯେଉଁ ସତୀ
ପ୍ରାପ୍ତ ସେ ବୈକୁଣ୍ଠ ଧାମ ।
ବିନୋଦିନୀ ଦାଶ
କୁରୁଆଁ, ମୁଗପାଳ, ଯାଜପୁର



0 Comments