ଅକ୍ଷୟ ତୃତୀୟା - ବାସନ୍ତୀ ଲତା ଜେନା


 ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଆମ ଉତ୍କଳ ପ୍ରଦେଶ  l ଆରାଧ୍ୟ ଦେବତା ବଡ଼ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ  l ତାଙ୍କର ନୀତି କାନ୍ତିକୁ ଧରି ଓଡ଼ିଶାର ବାରମାସରେ  ତେର ପର୍ବ ପାଳିତ ହୁଏ  l ରାତି ପାହିଲେ ଅକ୍ଷୟ ତୃତୀୟା  l ସନିଆର ବାପା ମା ଙ୍କର ଆନନ୍ଦ କହିଲେ ନ ସରେ  l ସନିଆର ବାପା ରଘୁଆ ହାଟକୁ ଯାଇ ନୂଆ ଗଉଣି, ନୂଆ ବୋଝ କିଣି ଆଣିଛନ୍ତି  l ନିଜ ପାଇଁ ଧୋତି ଗାମୁଛା କିଣିଛନ୍ତି  l ଆସନ୍ତା କାଲିକୁ ଧାନ ଅନୁକୂଳ ହେବ  l ଜମିରେ ଅକ୍ଷିମୁଠି ବୁଣାଯିବ  l ମା ଲଷ୍ମୀଙ୍କୁ ସ୍ୱାମୀ ସ୍ତ୍ରୀ ଦ୍ଵିଜଣ ଯାକ ବାରବାର ଡାକୁଛନ୍ତି  l ମା ଗୋ ଏ ବର୍ଷ ଯେମିତି ଫସଲ ଭଲ ହେଉ  l ରାତ୍ରିରେ ଖିଆ ପିଆ ସାରି ସନିଆ, ରଘୁଆ, ରତନୀ ଓ ରଘୁଆର ମା ଶୁକୁରି ଶୋଇ ପଡିଲେ  l ବଡି ଭୋରୁ ରତନୀ ଉଠି ଦାଣ୍ଡ ଦୁଆରରେ ଗୋମୟ ପାଣି ଛାଟିଲା  l ଘର ଦ୍ୱlର ଲିପା ପୋଛା କଲା  l ଶୌଚ ସାରି ତରତରରେ ଗାଧୋଇ ପଡିଲା  l ଅରୁଆ ଚାଉଳ ବାଟି ବୋଝ, ଗଉଣୀକୁ ଝୋଟି ଚିତାରେ ସଜାଇଲା  l ଦlଣ୍ଡ ଦୁଆରରେ ଝୋଟି ଦେଲା  l ସେଠାରେ କଳସ ଗୋଟିଏ ବସାଇଲା  l କଳସ ତଳେ ଧାନ କିଛି ରଖିଲା  l ଆମ୍ବ ଡାଳ ତା ଉପରେ ଥୋଇଲା  l ଦୁବ, ବରକୋଳି ପତ୍ର ଓ ଫୁଲ ରଖି କଳସରେ  ସଜାଇଲା  l ଧୂପ ଦୀପ, ଚନ୍ଦନ, ସିନ୍ଦୂର ସବୁ ରଖିଲା  l ବୋଝରେ ଧାନ ରଖି ହଳଦୀ, ଚନ୍ଦନ, ସିନ୍ଦୂର ଲଗlଇ ଦେଲା  l ଗଉଣିରେ ଚକୁଳି ପିଠା କ୍ଷିରୀ କରି ରଖିଲା  l ଏହି ସମୟରେ ରଘୁଆ ଗାଧୋଇ ନୂଆ ଲୁଗା ପିନ୍ଧି ସେଠାକୁ ଆସିଲା  l ରଘୁଆ ମହାଲଷ୍ମୀଙ୍କୁ ଭୋଗ ଲଗାଇଲା  l ରଘୁଆର ସ୍ତ୍ରୀ ରତନୀ ଶଙ୍ଖ ବଜାଉଥାଏ  l ହୁଳହୁଳି ପକାଉଥାଏ  l
               ରଘୁଆ ଅକ୍ଷୀ ମୁଠି ବୁଣିବା ପାଇଁ ଧାନ ବୋଝ ଓ ଗଉଣି ଧରି ଜମିକୁ ବାହାରିଲା  l ସାଙ୍ଗରେ ତାର ପୁଅ ସନିଆ ଗଲା  ହଳ ଲଙ୍ଗଳ ନେଇ  l ଜମି ପାଖରେ ପହଂଚି ରଘୁଆ ଜମିର ପୂର୍ବ ଦିଗରେ ଐଶାନ୍ୟ କୋଣରେ କିଛି ମାଟି ଖୋଳି ସେଠାରେ ଗୁଆ ଓ ଅକ୍ଷୀ ମୁଠି ବୁଣି ମାଟି ଘୋଡାଇ ଦେଲା  l କ୍ଷିରୀ,ପିଠା ଥୋଇ  ଭୋଗ ଲଗାଇଲା  l ଧୂପ ଦୀପ ଜାଳିଲା  l ମା ଲଷ୍ମୀଙ୍କୁ ଆରାଧନା କରି କହିଲା କୃପା କରିବୁ ଲୋ ମା,ଏ ବର୍ଷ ଯେପରି ଫସଲ ଭଲ ହେବ  l ପେଟ ପାଟଣା କଥା  l ଦୟା କରିବୁ ଲୋ ମା   l ଏତିକି କହି ସାଷ୍ଟାଙ୍ଗ ପ୍ରଣିପାତ କଲା  l
             ତା ପରେ ଜମିରେ ମୁଠା ମୁଠା ଧାନ ଛାଟି ଜମିକୁ କର୍ଷଣ କଲା  l ଦିନ ଦ୍ବିପ୍ରହରରେ ଅକ୍ଷୀ ମୁଠି ବୁଣି ରଘୁଆ ଘରକୁ ଫେରିଲା  l ଖାଇ ପିଇ ଟିକେ ଦlଣ୍ଡ ପିଣ୍ଡାରେ ଶୋଇ ପଡିଲା  l ଗଛ ଲତାର ସୁଲୁସୁଲୁ ପବନରେ ରଘୁଆକୁ ନିଦ ହୋଇଗଲା  l ସନିଆର ଜେଜେମା ଦାଣ୍ଡ ପିଣ୍ଡାରେ ବସି ଆମ୍ବରୁ ଚୁପା ଛଡାଉ ଥିଲେ l ଆମ୍ବୁଲ କରିବା ପାଇଁ  l ସନିଆ କହିଲା, ଜେଜେମା ଅକ୍ଷୀ ମୁଠି ତ ବାପା ବୁଣି ଦେଲେ  l ଆଜି ଦିନକୁ ଅକ୍ଷିମୁଠି ଦିନ ନ କହି କାହିଁକି ଅକ୍ଷୟ ତୃତୀୟା କହନ୍ତି   ? ଜେଜେମା ତାକୁ ବୁଝାଇ କହିଲେ ଅକ୍ଷୟ ମାନେ ଯାହାର କ୍ଷୟ ନାହିଁ  l ତୃତୀୟା ମାନେ ନିତି  l ଅର୍ଥାତ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କହନ୍ତି  l ଏହି ଦିନ ଯେଉଁ କର୍ଯ୍ୟ କଲେ ସବୁ କାର୍ଯ୍ୟ ଶୁଭ ହୋଇ ଥାଏ  l  ଏହା ଓଡ଼ିଶାର କୃଷି ଭିତିକ ଗଣ ପର୍ବ  l ପବିତ୍ର ଦିବସ  l ସିଦ୍ଧିର ଦିବସ  l ଆଜିର ଦିନରେ ପାଞ୍ଜି ଦେଖି ଶୁଭ ଦିନ ନିର୍ଣ୍ଣୟ କରିବା ଦରକାର ହୁଏ ନାହିଁ  l  ଅକ୍ଷୟ ତୃତୀୟରେ ଗୃହ ନିର୍ମାଣ, ଗୃହ ପ୍ରତିଷ୍ଠା, ବିବାହ, ଉପନୟନ ଯାହା କଲେ ସବୁ ଶୁଭ ହୁଏ  l
             ଜାଣିଛୁ ସନିଆ !  ଆଜି ଦିନରେ ମା ସୀତା ଜନ୍ମ ହୋଇ ଥିଲେ  l ରାଜା ଜନକ ଜଣେ ରାଜା ହେଲେ ବି ସେ କୃଷି କାର୍ଯ୍ୟ କରୁ ଥିଲେ  l  ଅକ୍ଷୟ ତୃତୀୟା ଦିନ ସେ ଅକ୍ଷୀ ମୁଠି ବୁଣି ଜମିରେ ହଳ କରୁଥିବା ସମୟରେ ସୀତାଙ୍କୁ ମାଟି ତଳୁ ପାଇ ତାଙ୍କୁ ନିଜ ଝିଅ କରି ରଖି ଥିଲେ  l ସୀତା ଭୂମିରୁ ଜନ୍ମ ହୋଇ ଥିବାରୁ ତାଙ୍କୁ ଭୂମିଜା ବୋଲି କହନ୍ତି  l ସନିଆ କହିଲା ଆଉ କଣ ହୁଏ ଜେଜେମା ?  ସୁକୁରି କହିଲା ଆଜି ଦିନରେ ବଳଦେବଙ୍କର ରୋହିଣୀ ସହିତ ବିବାହ ହୋଇ ଥିଲା  l ଭଗବାନ ବିଷ୍ଣୁ ଷଷ୍ଠ ଅବତାରରେ ପର୍ଶୁରାମ ରୂପେ ଜନ୍ମ ନେଇ ଥିଲେ  ପୃଥିବୀ ପୃଷ୍ଠରେ  l ଆଜି ଦିନରେ ଜୟ ଦେବ ଜନ୍ମ ହୋଇଥିଲେ  l ସେ ଗୀତ ଗୋବିନ୍ଦ ଲେଖି ଥିଲେ  l ସେହି ଗୀତ ଶୁଣି ବଡ଼ ଠାକୁର ଶୋଉଥିଲେ l ଆଜି ଦିନରେ ବଡ଼ ଠାକୁରଙ୍କର ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ ହୁଏ  l ଚନ୍ଦନ ଯାତ୍ରା ଆରମ୍ଭ ହୁଏ  l ଶ୍ରୀଜଗନ୍ନାଥ ଓ ଲିଙ୍ଗରାଜ ପ୍ରଭୁ ଚାପ ଖେଳନ୍ତି  l ଅର୍ଥାତ ଜଳ କ୍ରୀଡା କରନ୍ତି  l ଏ ସବୁ ଘଟିଥିଲା ସତ୍ୟ ଯୁଗ ଶେଷ ଓ ତ୍ରେତୟା ଯୁଗ ଆରମ୍ଭରେ  l ସନିଆ କହିଲା, ଜେଜେମା ! ତୁମେ ଏତେ କଥା କେଉଁଠୁ ଜାଣିଲ ? ଜେଜେମା କହିଲେ ଏ ସବୁ ପୁରାଣରେ ଲେଖା ଅଛି  l ତୁ ପଢିଲେ ବହୁତ କଥା ଜାଣି ପାରିବୁ  ll

ବାସନ୍ତୀ ଲତା ଜେନା
ଗାନ୍ଧିନଗର, 
ପୋଷ୍ଟ / ଜିଲ୍ଲା :  ନବରଙ୍ଗପୁର

Post a Comment

0 Comments