ମହାମାରୀ କରୋନା ସଂକ୍ରମଣରେ
ମୋ ପ୍ରାଣଟି ଚାଲିଯାଇଛି
ହସ୍ପିଟାଲର ବାରଣ୍ଡା ହିଁ
ମୋର ଆଶ୍ରୟସ୍ଥଳୀ ପାଲଟିଛି
ମୁଁ ଶବ କହୁଛି ........
ମୋ ତେଲ ଲୁଣ ଦୁନିଆଁର
ଅନେକ ସମ୍ପର୍କ ଥାଇ ବି ଆଜି ମୁଁ
ଅନାଥ ହେଇରହିଛି
ଆତ୍ମୀୟ ସ୍ୱଜନ କି ଜ୍ଞାତି କୁଟୁମ୍ବ ବି
ମୋ ପାଖରୁ ଦୂରେଇଯାଇଛି
ମୁଁ ଶବ କହୁଛି.....
ମୋର ମୃତ୍ୟୁକାଳରେ ମୁଁ
ମୋର ପରିବାରକୁ ନା ଦେଖିପାରୁଛି
ନା କାହା ସାଥେ କଥା ହେଇ ମୁଁ
ମୋର ଶେଷ ବାର୍ତ୍ତା ଦେଇପାରୁଛି
ମୁଁ ଶବ କହୁଛି.......
ମୋର ମର ଶରୀରକୁ
ନା ମୋର ଦାୟାଦ କାନ୍ଧ ଦେଇପାରୁଛି
ନା ମୋ ଭିଟାମାଟିରେ ମୁଁ
ଚିର ନିଦ୍ରାରେ ଶୋଇପାରୁଛି
କେବଳ ହସ୍ପିଟାଲର କେତେଜଣ କର୍ମଚାରୀଙ୍କର ହାତରେ
କେଉଁ ଏକ ଇଲାକାରେ ଦହନ ହେଉଛି
ମୁଁ ଶବ କହୁଛି......
ମୋର ମର ଶରୀରରୁ ଆଉ କାହାକୁ ପୁଣି
ବାୟୁରେ ସଂକ୍ରମିତ ହେବ ବୋଲି
କଳା ପଲିଥିନରେ ଘୋଡେଇ ଦିଆଯାଉଛି
ତାକୁ ନା ମୋର ଆତ୍ମୀୟଙ୍କୁ ଦେଖେଇ ଦିଆଯାଉଛି
ନା ଜାଣିହେଉଛି ନା ଚିନ୍ହିହେଉଛି
କେତେବେଳେ କେଉଁ ଶବକୁ ଦହନ କରିଦିଆଯାଉଛି
ମୁଁ ଶବ କହୁଛି.......
ମୃତ୍ୟୁ ଉତ୍ତାରୁ ମୁଁ ଆମ୍ବୁଲାନ୍ସ ରେ ବୁହାହୋଇ
ଦହନ ପାଇଁ ମୃତ୍ୟୁଶାଳାରେ ପହଞ୍ଚୁଛି
କେତେବେଳେ ମୋର ପାଳି ଆସିବ ଅପେକ୍ଷା କରି
ଦିନ ଦିନ ଧରି ସେଇ ଚାରିଚକରେ ପଡିରହୁଛି
ମୁଁ ଶବ କହୁଛି.......
ସ୍ଥାନ ଅଭାବରୁ ଜଣଙ୍କର ଜୁଇ ନିଆଁ
ଶୀତଳ ନହେଉଣୁ ଆଉ ଜଣଙ୍କର ଦାହ ସଂସ୍କାର କରାଯାଉଛି
ଏଇ ହାଡ଼ର ମରୁଭୂମିରେ ଶେଷକୃତ୍ୟ ସାରି
ମାଟିରେ ମୁଁ ଏକାକାର ହେଇଯାଉଛି
ମୁଁ ଶବ କହୁଛି........।।
ଦୀପକ କୁମାର ପାତ୍ର
ବୋରିଆ, କେସିଙ୍ଗା, କଳାହାଣ୍ଡି




0 Comments