ରାସ୍ତା - ସୁମିତା ଚାରୁଦର୍ଶିନୀ


ସନ୍ତର୍ପଣରେ ପକାଏ 
ପାଦ ପରେ ପାଦ 
କିଛି ସମ୍ଭାବନା ର ମାଟି 
କିଛି ଆଶା ର କଅଁଳ ଘାସ 
ଆଉ ସେଇ କଥା କେଇ ପଦ  ।

ପାହାନ୍ତିଆ ଧୂସର ଆକାଶ 
ଝାପ୍ସା ଦିଶେ ଆଗେ ଥିବା 
କଙ୍କରିଳ, ଖାଲ ଢିପ 
ବଳକା ରାସ୍ତାର ଅବଶେଷ  
ଆଉ ମୋର ଅବଶିଷ୍ଟ ଆୟୁଷ  ।

ମୁଁ ଓ ମୋର ସ୍ୱପ୍ନ ଅଭିମାନ 
ନିଜ ସାଥେ ପ୍ରବଞ୍ଚନା ଖାଲି 
ଜିତିବା ବା ହାରିବା ର ଭ୍ରମ 
ନିଜ ଆତ୍ମସୁଖ ପାଇଁ 
ମୁଁ ଯେ ଆତ୍ମା ରେ ମଗନ  ।

ଚାଲିବାରେ ଥକିଯାଏ ପାଦ 
ଖାଲି କେତୋଟି ଥୁଣ୍ଟା ପ୍ରଶ୍ଵାସ 
କିଛି ମିଛ ଆଶ୍ୱାସନା 
ଜିଇଁବାକୁ କରିଥିବା ପାପ 
ଆଉ ସାଥେ ପୁଳେ ଅଭିଶାପ  ।

ଆଜି ଏକୁଟିଆ ରାସ୍ତାରେ 
ଅନ୍ଧାରିତ ଛଳନା ରେ 
ଖୋଜିବାକୁ ଇଚ୍ଛା ତୁମ ଛାଇ 
କଥା ତ ନ ଥିଲା ଆସିବ ବୋଲି 
ହାତ ଧରି ମୋତେ ନେବା ପାଇଁ  ।

ତଥାପି ଅପେକ୍ଷା ର ମନ୍ତ୍ର 
ନିଃସ୍ୱ ହାତେ ଧରି 
ନୀରବତା ର ସମ୍ଭାଷଣ ପରେ 
କ୍ଷୀଣ ହସ ଟିଏ ଅଧରରୁ ଆସେ ମୋର ଝରି  ।

ସୁମିତା ଚାରୁଦର୍ଶିନୀ 
ବାରିପଦା

Post a Comment

0 Comments