ପ୍ରେମ ନୁହେଁ ଏକ ଫଗୁଣ ବଉଳ
ଜଳିବ କୁହୁଡି ଛୁଇଁ ,
ପ୍ରେମ ପରା ଏକ ଗୋଲାପର ଫୁଲ
ହସେ ତା ପ୍ରିୟକୁ ଚାହିଁ ।
ପ୍ରେମ ନୁହେଁ ଏକ ଅମାବାସ୍ୟା ରାତି
ଅନ୍ଧାରରେ ଥିବ ଭିଜି ,
ପ୍ରେମ ପରା ଏକ ପୂର୍ଣ୍ଣିମାର ଚାନ୍ଦ
ଉଇଁ ଥାଏ ତିଥି ଖୋଜି ।
ପ୍ରେମ ନୁହେଁ ଏକ କଜ୍ବଳର ଗାର
ଲିଭିଜିବ ଲୁହ ଧାରେ ,
ପ୍ରେମ ପରା ଏକ ସପନ ନାୟିକା
ରହିଥାଏ ପଲକରେ ।
ପ୍ରେମ ନୁହେଁ ଏକ ଗ୍ରୀଷ୍ମର ଦହନ
ବୈଶାଖର ବୈଶାଖୀ ,,
ପ୍ରେମ ପରା ଏକ ମଳୟର ବାଆ
ବସନ୍ତର ମୁକ ସାକ୍ଷୀ ।
ପ୍ରେମ ନୁହେଁ ଏକ ଭାସିଲା ବଉଦ
ଝରୁଥିବ ଅଭିମାନେ ,
ପ୍ରେମ ପରା ଏକ ଶ୍ରାବଣର ଧାରା
ଭିଜୁ ଥାଏ ମନେ ମନେ ।
ପ୍ରେମ ନୁହେଁ ଏକ ପାପର ପରଶ
ଅନୁତାପେ ହୁଏ ଶେଷ ,
ପ୍ରେମ ପରା ଏକ ପୁଣ୍ୟ ହୃଦୟର
ପୂର୍ଣ୍ଣତାର ପରିତୋଷ ,,
ପ୍ରେମ ନୁହେଁ ଏକ କଳଙ୍କ କାଳିମା
ଜୀବନର ଅବଶୋଷ ,
ପ୍ରେମ ପରା ଏକ ପବିତ୍ର ସମ୍ପର୍କ
ଦୁଇ ହୃଦ ଖୋଲା ହସ ।
ହରେରାମ ଦାସ
ବାଲେଶ୍ବର




0 Comments