ପିମ୍ପୁଡ଼ିଙ୍କ ଦଳ କଲେଣି ଚହଳ
ପଡ଼ିଆ ହେଲାଣି ଭରି,
ହାତୀର ଉତ୍ପାତ କରିବେ ନିପାତ
ନ ରହିବେ ଆଉ ଡରି।
କରନ୍ତି ବିଚାର ହାତୀ ଅତ୍ୟାଚାର
ସହି ନ ପାରିବେ ଆଉ,
ଅକାରଣେ ଦଳି ମାରେ ମହାବଳୀ
ସମ୍ଭାଳି ହେବ କି ଦାଉ?
ପଚାରିଲେ ଡାକି କଲେ ବକା ବକି
ପକାଇଲେ ଜୋରିମାନା,
ହାତୀକହେମୋର ଦୋଷକିପ୍ରକାର
ଦେବାକୁ କରଇ ମନା।
ଶକତି ମୋ'ଜାଣି କାଢୁଛ ଫୁଟାଣି
ଫୁଙ୍କି ଦେଲେ ଯିବ ଉଡ଼ି,
ମଳି ପରି ମୋର ଦେହଟା ତୁମର
ଆହୁରି ଛାଡ଼ୁଛ ରଡ଼ି।
ପଛେ ଥିଲେଯାନ ଦେଉଥାନ୍ତି ହର୍ଣ୍ଣ
ତୁମେ ଆସ ନ ଜଣାଇ,
ତୁମ ପରି ଆମ ଜୀବନ ସମାନ
ନ ବିଚାର କାହିଁ ପାଇଁ?
ନ ହୁଅ ଆଡ଼େଇ କହୁଛ ବଢ଼େଇ
ବାଟ ଚାଲେ ପାଦ ଗଣି,
ଆଖିକୁ ନଦିଶ ଦଳିହେଲେ ଦୋଷ
କେମିତି ନପାରେ ଜାଣି।
କଥା କଟାକଟି ହୁଅନ୍ତି କୁହାଟି
ଲାଗି ଗଲା ମହା ରଣ,
ଆସି ଗଲେ ମାଡ଼ି ସକଳ ପିମ୍ପୁଡ଼ି
କରିଦେଲେ ଆକ୍ରମଣ।
ହାତୀକୁବେଢ଼ିଲେ ଉପରେଚଢ଼ିଲେ
ନାକ କାନ ଶୁଣ୍ଢେ ପଶି,
ଆଖିରେପଶିଲେ ସର୍ବାଙ୍ଗଦଂଶିଲେ
ଏକତା ବଳରେ ମିଶି।
ପିମ୍ପୁଡ଼ିଙ୍କ ତ୍ରାସ ବଢଇ ସନ୍ତ୍ରାସ
କେହି ନ ଆସନ୍ତି ପାଶ,
ଡରିଗଲା ହାତୀ ଜଳା ପୋଡ଼ା ଅତି
ହୋଇଯିବ ସର୍ବନାଶ।
ଡରି କହେ ହାତୀ ନ କରିବ କ୍ଷତି
ଚଳେ,ବଳେକେଉଁକାଳେ,
ଛୋଟ ତୁମ ଦଳ ଜ୍ୱଳନ ପ୍ରବଳ
ଜଳେ ମୁହିଁ ହଳାହଳେ।
କହିଲା ହେ ଭାଇ ଆଉ ଜାଳ ନାହିଁ
ଛାଡ଼ି ଦିଅ ମୋର ଦେହ,
ଏତେ ବଡ଼ ହୋଇ ହାରି ଗଲି ମୁହିଁ
ଦୋଷରୁ ହେଲା ପ୍ରଦାହ।
କହିଲେ ପିମ୍ପୁଡ଼ି ପାପ କର୍ମ ଛାଡ଼ି
ଲାଗିଲେ ସଂସାର ହିତେ,
କ୍ଷୁଦ୍ର କି ବୃହତ ହୋଇଲେ ଜାଗ୍ରତ
ପୂଜା ପାଇବ ମରତେ।
ଏକତାର ବଳ ଜଗତେ ପ୍ରବଳ
କିଏ ହେବ ତାର ସରି,
ପାପେ ମହାବଳୀ ଆପେ ଯିବ ଜଳି
ନିଜ ଦୋଷେ ଯିବ ମରି।
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,
୯୫୮୩୪୩୮୧୭୪




0 Comments