ତୁମେ କାହାର - ଗୌତମସେନ୍ ହାଁସଦାଃ



ତୁମେ ଯେବେ ପାଖକୁ ଆସ ମୁଁ ଶଙ୍କିଯାଏ
ଧରା ନ ଦେଇ ପଛେଇଯାଏ ଦ୍ୱି-ପାଦ ପଛକୁ
ପୁଣି ଯେବେ ରୁଷିକି ଫେର ମୋ ପାଖରୁ
ପଛରୁ ବାହୁ ପ୍ରସାରୀ କୋଳେଇବାକୁ ଗୋଡାଏ
ପାଖେଇ ଗଲାବେଳେ ହଠାତ୍‌ ବୁଲିପଡ ତୁମେ
ମୁଁ ହାବୁଡରେ ପଡିଯାଏ ତୁମର
ତିନ୍ତିଯାଏ ତୁମ ପ୍ରେମରେ 
ଶରୀରଟା ବି ଭିଜେ ଝାଳରେ।

ମହ ମହ ସୁଗନ୍ଧ ଆସେ କେଉଁଠୁ
ଆଖି ବୁଜିଲେ ପ୍ରେମ ରାଗିଣୀ ଝଙ୍କୃତ ହୁଏ 
ହୃଦୟ ତନ୍ତ୍ରୀ ମୋର ନାଚି ଉଠେ 
ନିଭୃତ କୋଣରେ ଦୀପଟିଏ ଜଳେ 
ଆଶାର ଆଲୋକ ପରି ଦିଶ ତୁମେ
ପଚାରିବସେ-ତମେ ମୋତେ ଭଲପାଅ..?

ଟିକେ ହସିଦେଇ ଉତ୍ତର ଦିଅ-ଖାଲି ତୁମକୁ ନୁହେଁ
ଅନେକ ଜଣଙ୍କୁ ଭଲପାଏ, ତୁମପରି।

ମୁଁ ରାଗିଯାଏ, ତାଗିଦା କରେ-ସତକୁହ
ତୁମେ ମୋର ନା ଆଉ କାହାର ?

ମୁଣ୍ଡପାତି ତା'ର କିନ୍ତୁ ଉତ୍ତର ଦିଅ- 
"ମୁଁ କେବଳ ତୁମର ନୁହେଁ ସମସ୍ତଙ୍କର"।


ଗୌତମସେନ୍‌ ହାଁସଦାଃ
ମୟୂରଭଞ୍ଜ


Post a Comment

0 Comments