ମୁଁ ଶିଶୁ ଶ୍ରମିକ କହୁଛି - ଦୀନବନ୍ଧୁ ବେଜ



ପେଟରେ ଭୋକର ତାଡ଼ନା
ପିଠିରେ ସାନ ପିଲାଟିଏ ଲାଉ,
ବାପ ମା'ଙ୍କ ଖୋଜା ପଡେନି...
କାହିଁକିନା ବାପା ମାଆଙ୍କର
ଛାଡପତ୍ରରୁ ଛିଟିକି ପଡ଼ିଥିବା,
ତାଙ୍କ ଖୁସି ଆନନ୍ଦକୁ କ୍ଷତାକ୍ତ
କରିଥିବାରୁ ବୋଧେ ଆମ୍ଭେ 
ତାଙ୍କପାଇଁ ଶାଗ ମାଛ ଭାଉ ।

ବାପା ଠିକାଦାର ନିର୍ମାଣର
ଆରପାଖ ସାହିବସ୍ତି ସର୍ଦ୍ଦାର
କନିଆଁର ଦୋକାଟିଆ ବର,
ମାଆ ପ୍ରେମିକା ସାଥି ଶ୍ରମିକର 
ଅଲୋଡା ଆମ୍ଭେ ସମାଜର..
ଏଣୁହେ ଭଦ୍ର ସମାଜ ସେବକ....
ତୁମେ ଦେଖି ନଦେଖିଲା ପରି
ଅନାଇ ଅନାଇ ଚାଲି ଯାଉଛ ।

ଆମ ପରି କେତେ ପିଲାଙ୍କର
ଘର ହେଉଛି ଝୁପୁଡ଼ି ହୋଟେଲ,
ଆଇଁଠା ପ୍ଳେଟ ସାବୁନ ପାଣି ଓ
କାହାର ଘର ଚାକର ହୋଇଅଛୁ
ସହାୟକ ପୁଣି କାହା ଦୋକାନର ।

ପୁଣି ମୋତେ ଦେଖିବ ରାଜମିସ୍ତୀ
ଛୋଟ ଶ୍ରମିକଟେ ଇଟା ଦେବାର,
ପୁଣି ମହାଜନ ବୁଢାର ଅସକତ
ଆଣ୍ଠୁଗଣ୍ଠିକୁ ମାଲିସ କରୁଥିବାର, 
ପୁଣି ବ୍ରଶ ଟିଏ ଧରି ବଗିରୁ ବଗିକୁ
ଜୋତା ପଲିସର  ରେଳ ଗାଡିର ।

ହେ ଭଦ୍ର ସମାଜ ଦେଖ ନିରିଖେଇ
ଆମ୍ଭେତ ସନ୍ତାନ ଭାରତ ମାତାର
ବିକାଶ କର ଆମ୍ଭ ଗୁଣାବଳୀର,
ଆମ୍ଭକୁ ବଂଚିବାକୁ ଦିଅ ସ୍ଵାଧୀନର
ଆମପାଇଁ କିଛି କର ଆଜିର ଦିନର 
ତେବେ ସାଫଲ୍ୟ ମଣ୍ଡିତ ହେବ
 ଚିରାଚରିତ ଏହି ଶ୍ରମିକ ଦିନର ।


                    ବାଷଠୀ, ବାସୁଦେବପୁର,
                         ଭଦ୍ରକ, ଓଡ଼ିଶା
                         ଉପସ୍ଥିତ ଠିକଣା:-
                     ମାଲାକାନଗିରି, ଓଡ଼ିଶା
               ଭ୍ରାମ୍ୟଭାଷ:-୭୬୮୩୯୨୦୨୨୧

Post a Comment

0 Comments