ଚଉପଦୀ - ଗୌରହରି ସାହୁ



        (ପ୍ରାନ୍ତାନୁପ୍ରାସ "ଠ")


  ଶ୍ରୀବତ୍ସ  ମାଇଲା ଗୋଇଠା
          ଖାଇଲା ଶବରୀ ଅଇଁଠା
ଏଡିକି ନିଲଠା କୋଉଠି ଥିଲା ଲୋ
                କେଉଁ ଗୁଣକୁ ପିନ୍ଧେ ମଠା।୦।
ରାଧା ରାଣୀ ପଛେ କାହ୍ନା ପ୍ରେମ ଅଠା
ବଇଁଶୀ ବଜାଏ ଯମୁନାର ପଠା
    ପଠାଇ ଅକ୍ରୁର କଂସ ମାମୁ ତାର,
                    ନେଇଗଲା ମଥୁରା କୋଠା।୧।
ଦିନେ ଖାଉଥିଲା ମାଟି ମୁଠା ମୁଠା
ଯଶୋଦା କହିଲା ପାଟି ତୋର ଉଠା
       ତା' ପାଟି ଭିତରେ ଚଉଦ ଭୁବନ
                    ପୁଅକୁ ଦେଖିଲା ସବୁ ଠା।୨।
ଗୋବର୍ଦ୍ଧନ ପୂଜା ବେଳେ ଖାଇ ପିଠା
ପାଟି ଗୋଟାକ ତା ହୋଇଅଛି ମିଠା
        ଦେବରାଜ ଇନ୍ଦ୍ର ପାଟି ହେଲା ଶିଠା
                ଦେଲାନି ଗୋଟେ ବି ଗଇଁଠା।୩।
ତାକୁ ପାଇବାକୁ ଗଉର ଉତ୍କଣ୍ଠା
ତାର ପଦେ ରଖ ଅନାବିଳ ନିଷ୍ଠା
      ସକଳ ଅଭିଷ୍ଟ କରିବ ସେ ପୂର୍ଣ୍ଣ
                     କାଳିଆଟା ନୁହଁଇ ଚୋଠା।୪।


ଗୌରହରି ସାହୁ(ଶିକ୍ଷକ)
ଏକଡାଳ, କାନପୁର, କଟକ

Post a Comment

0 Comments