ଅସ୍ତିମ ଆଦିତ୍ୟ ପ୍ରାଚୀ ଅଭିମୁଖେ
ଲମ୍ବେଇଛି ସ୍ନିଗ୍ଧ କର,
ରକ୍ତିମ ସୁରଭି ଆକର୍ଷେ ଗଗନେ
ପାଇଛି କି ସତେ ବର ।।
ସତେ ସୁଲକ୍ଷଣୀ ବିଦୁଷୀ ବଧୂଟି
ବାହୁଡେ ବାହୁଡା ପଥେ ,
ରଙ୍ଗର ସିନ୍ଦୂର ଝଟକେ ମହୀରେ
ଚକିତ ହୁଏ ଆତିଥ୍ୟେ ।।
ଲାଲ୍ ଓଢ଼ଣାଟି ମହୀ ମଥା-ପରେ
ଅସ୍ତ ଅଂଶୁମାନ ସାଜେ,
ପ୍ରିୟ ପରସରେ ଲାଜେ ଲାଜେ ବସୁ
ପୀରତି ନିର୍ଝରେ ଭିଜେ ।।
ପୀତ ଲୋହିତର ମିଶ୍ରିତ ବର୍ଣ୍ଣରେ
ଝଟକେ ତୋୟାର ବକ୍ଷ,
ବାରୁଣୀ ସନ୍ଧ୍ୟାର ଦର୍ଶନେ ପ୍ରାଣୀର
ଆତ୍ମା ଲଭେ ସତେ ମୋକ୍ଷ ।।
ଗୋଧୂଳି ବେଳାରେ ରୋଷେ ଛପିଗଲା
ଧରା ପ୍ରିୟ ଅସ୍ତ ଭାନୁ,
ରବି ପ୍ରୀତି କାମ୍ୟ ପାଇବା ପାଇଁ କି
ଚାହେଁ ତା' ତରକି ତନୁ ।।
ଦିନମଣି ତୁମେ ଲୁଚିଯାଅ ନାହିଁ
କୃଷ୍ଣ ଜଳଧର କୋଳେ,
ଜୋଚ୍ଛନା ତୁମର ସୀତ ହୃଦ ତଳେ
ପ୍ରେମର ପ୍ରଦୀପ ଜାଳେ ।।
ତୁମ ପ୍ରୀତି ସ୍ବେଦ ସିକ୍ତ କରିଦେଲା
ତା' ସଦ୍ୟ ସବୁଜ ଦେହ,
କଟାକ୍ଷ ନଜରେ କେତେ ଚାହୁଁଛନ୍ତି
ଲାଜେ ଜାଗେ ପ୍ରେମ ମୋହ ।।
କାହିଁକି ମାପୁଛ ଏଇ କଳିକାଳ
ସୀମାହୀନ ନୀଚ ଦଣ୍ଡ,
କି କାରଣ-ହେତୁ ଅସାର ବିଚାର
କର ହୋଇ ଦାଣ୍ଡେ ରୁଣ୍ଢ ।।
ବିହଗେ କରନ୍ତି କଟାଳ ଭର୍ତ୍ସନା
ବୁକୁରେ ଭରଇ ବ୍ୟଥା,
ଗୁରୁଜନ ସମ ଗୋମାତା ଚାହାନ୍ତି
ସରମେ ନୁଅଁଇ ମଥା ।।
ସଲଜରେ ସରି ଗଣ୍ଡ ଦେଶ ଜଳେ
ଢ଼ାଙ୍କିଲି ବତୁରା ଦେହ,
ଶରୀର ମୋହର ଚୁଷନ୍ତି ଯେ ମୀନ
ପ୍ରତି ଅଙ୍ଗେ କାମ ଦାହ ।।
ପ୍ରିୟ ଆଗମନେ ଉଡୁରେ ମଗନ
ଲାଜରେ ହେଲା ବାୟାଣୀ,
ମହରଗୁ ଯାଇ କାନ୍ତାରେ ପତିତ
ପଥ ହୁଡିଗଲା ଜାଣି ।।
ଚୁମିବା ଆଳରେ ଆଘାତ ଲାଗଇ
କୋମଳ ଦେହ ତା' କ୍ଷତ,
କାମ ଆସକ୍ତିରେ ରକ୍ତାକ୍ତ କରିଲେ
ଦିଶଇ ବାରି ଲୋହିତ ।।
ବାହୁ ବନ୍ଧନରେ ତୋଳି ନିଅ ତୁମେ
ବକ୍ଷସ୍ଥଳେ ଦିଅ ସ୍ଥାନ,
ପ୍ରେମ ବନ୍ଧନରେ ଉପଶମ ହେଉ
ତା'ର ସେ' ଯନ୍ତ୍ରଣା ଦିନ ।।
ବାହୁ ବଗଲରେ ତୋଳିବି ପ୍ରେୟସୀ
ପ୍ରେମରେ ଦେବି ଭିଜେଇ,
ତାପିତ ହୃଦୟ ଶୀତଳ ହୋଇବ
ପ୍ରୀତି ସ୍ପର୍ଶ ମୋର ପାଇ ।।
ସପନେ ତୁମକୁ ସଜେଇବି ସାଥି
ବାକି ଅଛି କେତେ ରାତି,
ଅଳିକ ହେଲେ ବି ପ୍ରୀତି ମୁଁ ଲଭିବି
ପତି ଚିନ୍ତି ମୋର ମତି ।।
ସପନ ସୁନ୍ଦରୀ ଆଗମିବ ସତେ
ଭାବନାର ଦରବାରେ,
ମୃଦୁ ଚୁମ୍ବନରେ ପ୍ରୀତ କରିଦେବି
ଛନ୍ଦି ବାହୁ ବନ୍ଧନରେ ।।
ଅନୁରାଗ ଭାବ ଧରିତ୍ରୀ ଚିବୁକେ
କ୍ଷଣିକେ ପାଏ ପ୍ରକାଶ,
ବିରହ ବହ୍ନିରେ ଝାସ ଦିଏ ଧରା
ରହିଯାଏ ଅବସୋସ ।।"
ଜୟ ଶ୍ରୀ ଜଗନ୍ନାଥ
ସୁମିତ୍ରା ସାହୁ
ଯାଜପୁର




0 Comments