ଛଳନା ନଈରେ ବିଶ୍ୱାସର ସୁଅ
କେତେ ଶକ୍ତ ଦିଅ କହି,
କେତେ ବାଟ ଚାଲେ ମିଥ୍ୟାର ପଥିକ
ସତ୍ୟ ପଥେ ପାଦ ଥୋଇ।
ସମୟ ଗର୍ଭରେ ଯୌବନ ଆୟୁଷ
କେତେଦିନ ଦିଅ କହି,
ଜଟିଳ ଜୀବନ ଜ୍ୟାମିତି କଷିବା
କେତେ ଦିନ ସାଥେ ରହି।
ସମ୍ପର୍କ ବୃକ୍ଷରେ ସନ୍ଦେହ ପୋକଟି
କାହିଁ ଲାଗେ ଦିଅ କହି,
ସମ୍ପର୍କ ପ୍ରାଙ୍ଗଣ କାହିଁକି ପାଲଟେ
ଯୁଦ୍ଧକ୍ଷେତ୍ରେ ରକ୍ତ ନଈ।
ଚନ୍ଦ୍ରମା ଜୋଚ୍ଛନା ପାଖେ ଅମାବସ୍ୟା
କେତେ କ୍ଷଣ ଦିଅ କହି,
ଜଳନ୍ତା ନିଆଁରେ ପାଉଁଶ ଅସ୍ତିତ୍ୱ
କାହା ପାଇଁ ହଜି ଥାଇ।
ଆଖି ପଲକରେ କଳ୍ପନାର ସ୍ବପ୍ନ
କେତେ ଦୃଢ଼ ଦିଅ କହି,
ଅହଙ୍କାରୀ ପାଇଁ ଜ୍ଞାନର ମହତ୍ତ୍ୱ
କେତେ ମାନ ରଖିଥାଇ।




0 Comments