ପୁଣ୍ୟ ତିଥି ଆଜି ଅକ୍ଷୟ ତୃତୀୟା
ମାଟି ମାଆ ହେବେ ପୂଜା
ଘରଣୀ ମଣୀ ମୋ ସଅଳ ଉଠି ତୁ
ପୂଜା ଦ୍ରବ୍ୟ ସବୁ ସଜା ।
ଆମରି ସଂସ୍କୃତି ଆମ ପରମ୍ପରା
ଅଟଇ ବିଶ୍ୱ ବିଖ୍ୟାତ
ଦାନ ଧର୍ମ ପାଇଁ ଜଗତରେ ଖ୍ୟାତ
ଓଡ଼ିଆ ଜାତିର ହାତ ।
ଆଜ ଦିନ କଥା କିପରି ବର୍ଣ୍ଣିବି
ପାଉନାହିଁ ମୋର ଭାଷା
ଉତ୍କଳ ମାଟିର ଶ୍ରେଷ୍ଠ ପରମ୍ପରା
ଆଜିର ପବିତ୍ର ଓଷା ।
ଅକ୍ଷୟ ଏ ତିଥି ଚଷା ଭାଇ ପାଇଁ
ତେଣୁ ଆନନ୍ଦିତ ମନ
ଲଙ୍ଗଳ ମୁନରେ ଖୋଳି ତା କ୍ଷେତକୁ
ବୁଣେ ନିଜ ହାତେ ଧାନ ।
ଆଜି ଏ ତିଥିର ମହତ୍ୱ ତତ୍ତ୍ୱକୁ
କହୁଅଛି ଭାଇ ଶୁଣ
ସତ୍ୟ ଓ ତ୍ରେତୟା ଯୁଗର ଆରମ୍ଭ
ହୋଇଥିଲା ବୋଲି ଜାଣ ।
ରେବତୀ ରମଣ ବଳରାମ ଜାଣ
ଆଜ ରେବତୀ ବରିଲେ
ପବିତ୍ର ଦିବସ ଯେଣୁ ଅଟେ ଆଜ
ଚାପ ଖେଳି ବାହାରିଲେ ।
ନରେନ୍ଦ୍ର ପୋଖରୀ ରଥ ଖଳା ପୁଣି
ହସୁଛନ୍ତି ଆଜ ଦିନ
ଚାପ ଖେଳ ହେବ ରଥ ଗଢ଼ା ହେବ
ହସିବ ଓଡ଼ିଆ ମନ ।
ଗଙ୍ଗା ଆବିର୍ଭାବ ଜାନକୀ ଜନମ
ହୋଇଥିଲା ଆଜ ଦିନ
ଶ୍ରେଷ୍ଠ ଭକ୍ତ କବି ଜୟଦେବ ପୁଣି
ଜନମି ହରିଲେ ମନ ।
ପୁଣ୍ୟ ତୃତୀୟାର ପୁଣ୍ୟ ମହୋତ୍ସବ
ପାଳନ କରେ ଯେ ଜନ
ଆରମ୍ଭ ମାତ୍ରକେ ସଫଳ ହୁଅଇ
ନ ଘଟଇ କେବେ ବିଘ୍ନ ।
ପୁଣ୍ୟ ପରମ୍ପରା ଉତ୍କଳରେ ଭରା
ତେଣୁ ସେ ଜଗତେ ଧନ୍ୟ
ଏତିକି ଗୁହାରି ରଖ ଜଗନ୍ନାଥ
ଉତ୍କଳର ବଢୁ ମାନ୍ୟ ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ



0 Comments