॥O୧॥
ହସରେ ଲୁହରେ ଦୁଃଖରେ ସୁଖରେ
ପାଶେସଦାରହେ ଯିଏ ,
ବିପଦେ ଆପଦେ ରଖେନିରାପଦେ
ଉତ୍ତମ ବନ୍ଧୁଟି ସିଏ ॥
॥ O୨॥
ଦେଖି ତାର ମୁଖ ମନପାଏ ସୁଖ
ଆଖିରୁ ସେ ବୁଝିଯାଏ,
ଓଠ ଥରି ଉଠେ ପାଟି ତ ନ ଫିଟେ
ଅନ୍ତରେ ସାନ୍ତ୍ଵନା ପାଏ ॥
॥ O୩॥
ଵନ୍ଧୁ ସିଏ ଜାଣ ଯେ ଏକଲା ପଣ
ହୃଦରୁ କରଇ ଦୂର,
ମଧୁର ତା କଥା ଘୁଞ୍ଚିଯାଏ ବ୍ୟଥା
ପରମସଖା ସେ ସାର ॥
॥ O୪॥
ବନ୍ଧୁବାନ୍ଧିରଖେ ରହେ ସଦାପାଖେ
ଶମଶାନେ ରାଜଦ୍ୱାରେ,
ଜୀବନ ପଥରେ ଧୀରେ ହାତ ଧରେ
ସିଏ ବନ୍ଧୁ ପ୍ରକୃତରେ ॥
॥ O୫॥
ମାନ ଅଭିମାନ ଭାବେ ସେ ସମାନ
ବନ୍ଧୁ ସ୍ଵାତନ୍ତ୍ର୍ୟତା ରଖି
ନ କହିଲେ କ୍ଷଣେ ମର୍ମପୀଡା ଜାଣେ
ମୁହଁ ଦେଲେ ଥରେ ଦେଖି ॥
॥ O୬॥
ସଜଫୁଟା ଫୁଲ ନାହିଁ ବନ୍ଧୁ ତୁଲ
ମହମହ ତାର ବାସ,
ନିଃସ୍ଵାର୍ଥପରତା ରହିଛି ସାଇତା
ମନ ନିର୍ମଳ ଆକାଶ॥
॥ O୭॥
ବନ୍ଧୁ ହୁଏ ସାହା ସଙ୍କଟରେ ଆହା
କିଏ ଦେଖାଇବ ରାହା .
ନିଜ ପ୍ରାଣ ଦେଇ ବନ୍ଧୁତା ରଖଇ
ଇତିହାସେ କହେ ଏହା ॥
॥ O ୮॥
କୃଷ୍ଣସୁଦାମାର ସଖ୍ୟଭାବ ଚିର
ସୁଗ୍ରୀବ ସଖା ଶ୍ରୀରାମ,
କର୍ଣ୍ଣ ଦୁର୍ଯ୍ୟୋଧନ ଗୋବିନ୍ଦ ଅର୍ଜୁନ
ପାଳିଥିଲେ ବନ୍ଧୁଧର୍ମ ॥
॥ O୯॥
ଆସ ମୋରଭାଇ ବନ୍ଧୁଟିଏ ହୋଇ
ବନ୍ଧୁତା ଧନ ଅର୍ଜିବା,
ତ୍ୟାଗ ଆୟୁଧରେ ଏଇଜଗତରେ
ଦୃଷ୍ଟାନ୍ତ ଆମେ ସୃଜିବା ॥
॥୧୦॥
ନୁହେଁ ଏ ବିଚିତ୍ର ସ୍ଥାନକାଳପାତ୍ର
ଦେଖି ବନ୍ଧୁତା କରିବା,
ବନ୍ଧୁତା ବନ୍ଧନ ନକରିବା ଛିନ୍ନ
ତେବେ ସୁଖୀ ଆମେ ହେବା ॥
ଅନୁପମା ସାହୁ
ବଡପଦନା, କେନ୍ଦୁଝର




0 Comments