ସାବିତ୍ରୀ - ପ୍ରେମ୍ କବି ଜଗବନ୍ଧୁ ସାହୁ



ପୂର୍ବେ ଜଣେ ନାରୀ ନାମ ତା ସାବିତ୍ରୀ
         ଥିଲା ସିଏ ପତିବ୍ରତା
ତାଙ୍କରି ଆଗରେ  ଯମ ରାଜାଙ୍କର
         ନଇଁ ଥିଲା ପୁଣି ମଥା

ସତ୍ଯବାନ ଥିଲେ ସ୍ବାମୀ ଯେ ତାଙ୍କର
         କରୁଥିଲେ ପାଦ ପୂଜା
ଦୁଃଖେ ସୁଖେ ଦିନ ବିତି ଯାଉଥିଲା 
       ନଥିଲା ଐଶୁର୍ଯ୍ୟ ଖୋଜା 

ଜଙ୍ଗଳରୁ କାଠ      ସଂଗ୍ରହ ନିମନ୍ତେ
      ସତ୍ଯବାନ ଗଲେ ବନେ
ସାବିତ୍ରୀ ବହନ  ସଙ୍ଗତେ ଚଳିଲେ
       ପହଞ୍ଚିଲେ ଘୋର କାନନେ

ଉଚ୍ଚବୃକ୍ଷ ପରେ    ଚଢି ସତ୍ଯବାନ 
        କରିଲେ ଛେଦନ ଡାଳ 
କିଛି କ୍ଷଣ ଅନ୍ତେ  ମୁହଁ ବୁଲେଇକି
        ପଡିଗଲେ ସିଏ ତଳ

ଯମରାଜା ଆସି      ସତ୍ଯବାନଙ୍କର
       ପ୍ରାଣଙ୍କୁ ନେଲେ ଯେ ହରି
ସତ୍ଯବାନଙ୍କର  ପୁନଃ ପ୍ରାଣ ଲାଗି
        ସାବିତ୍ରୀ କଲେ ଗୁହାରୀ

ପ୍ରତିବ୍ରତା ନାରୀ     ଦେଖି ଯମରାଜ
        କହିଲେ ଶୁଣ ହେ ନାରୀ
ସ୍ବାମୀ ପ୍ରାଣ ଛାଡି ଯାହା ମାଗ ତୁମେ
        ଦେଇ ଯିବି ସେଇ ପାରି

ପ୍ରଥମେ ମାଗିଲେ   ରାଜ ସିଂହାସନ
        ତାପରେ ସ୍ରହସ ଗାଇ
ଅନ୍ଧ ପିତା ମାତା    ପାଇଁ ଚକ୍ଷୁ ଦାନ
      ମାଗିଲେ ସାବିତ୍ରୀ ଦେଇ

ଏତେ ସବୁ ପରେ  ଯମରାଜା ପଛେ
       ସାବିତ୍ରୀ ଗଲେ ଯେ ପୁଣି
କହିଲେ ସାବିତ୍ରୀ ଆହେ ଯମରାଜା
       ଶେଷ ବର ଦିଅ ପୁଣି

ବିରକ୍ତ ହୋଇଣ    ଯମରାଜ କୁହନ୍ତି
       ମାଗ ଯାହା ଇଛା ତୁମ
ମାଗିଲେ ସାବିତ୍ରୀ ସ୍ବାମୀଙ୍କ ଔରଷୁ
         ଦିଅ ହେ ସାତ ସନ୍ତାନ

ତଥାସ୍ତୁ ବୋଲି  ଯେ  କହି ଯମରାଜ
       ଦେଇଗଲେ ସ୍ବାମୀ ପ୍ରାଣ
ସେଇ ଦିନ ଥିଲା ଜ୍ଯେଷ୍ଠ ଅମାବାସ୍ଯା
          ମନେ ରଖ ସାଧୁ ଜନ

ସେଥି ପାଇଁ ଆଜି  ନାରୀ ମାନେ ସବୁ
        ସଧବା ହୋଇବା ପାଇଁ
ବିଧି ବିଧାନରେ    ଏ ବ୍ରତ ପାଳନ୍ତି
          ସୁମରି କଳା ଗୋସାଇଁ

ଆମ୍ବ ପଣସ ଖଜୁରୀ   ସପୁରୀ ତାଳ
       ସଙ୍ଗେ ଜାଇଧୂଆ ନେଇ
ଅଳତା ପତର     କଳା କାଚ ଦେଇ
         ଯମଙ୍କୁ ପୂଜନ୍ତି ସେଇ

ପୂଜା ଶେଷ ପରେ ସ୍ବାମୀ ପାଦ ଧୋଇ
      ପିଅନ୍ତି ଯେ ସେଇ ପାଣି
ସୌଭାଗ୍ଯ ବତୀର     ଆଶିଷ ମାଗନ୍ତି
       ସ୍ବାମୀଙ୍କୁ ଦେବତା ମଣି
    
ସାବିତ୍ରୀ ହାତରେ   ଶଙ୍ଖା ବଜ୍ର ହେଉ
        ସିନ୍ଥିରେ ଝଟକୁ ସିନ୍ଦୁର
ଗଳେ ଶୋଭାପାଉ ଗଳାହାର ତାର
        ଶାଶୁଘର ହେଉ ମନ୍ଦିର
     
ସେଇ ଦିନ ଠାରୁ  ସାବିତ୍ରୀ ନାମରେ
        ଏ ବ୍ରତ ପାଳନ ହୁଏ
ଭାବନାରୁ କିଛି    ଶଦ୍ଦକୁ ସାଉଁଟି
         ଗୀତେ ଜଗବନ୍ଧୁ କହେ


ପ୍ରେମ୍ କବି ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ

Post a Comment

0 Comments