ଶରଧାବାଲି - ଅଜୟ କୁମାର ମହାନ୍ତି


ଚକାନୟନକୁ ସୁମରଣା କଲି
ଶରଧା ବାଲିରେ ଥାଇ
ଏ ଘୋର ବିପଦୁ ଉଦ୍ଧାର କର
ଜଗନ୍ନାଥ ଲକ୍ଷ୍ମୀ ସାଇଁ।
ବଡ଼ ଦାଣ୍ଡେ ଯେବେ ପାଦ ଥାପିଲି ମୁଁ
ଦେହରେ ବୋଳିଲି ଶରଧା ବାଲି
ମନ୍ଦିର ତୋହର ମନାରେ କାଳିଆ
ନିରାଶ ମନରେ ଫେରି ଆସିଲି।
ଶରଧା ବାଲି ଲୋ ଶରଧା ବାଲି
କେତେ ପୂଣ୍ୟବତୀ ତୁହି
କେତେ କେତେ ଭକ୍ତ ଚରଣ ବାଜିଛି
କେ ପାରିବ ଭଲା କହି।
ବରଷକ ଥରେ ତିନି ରଥ ଚଢ଼ି
ଜଗା ବଳିଆ ସୁଭଦ୍ରା
ମନ ଆନନ୍ଦରେ ମାଉସୀ ଘରଠୁ
ଆନନ୍ଦେ ହୁଅନ୍ତି ବିଦା।
କେତେ ପୂଣ୍ୟ ଫଳେ ଶରଧା ବାଲି ଲୋ
ପ୍ରଭୁଙ୍କ ପରଶ ପାଉ
ଧନ୍ୟ ତୋ ଜୀବନ ସେହି ଶ୍ୟାମଘନ
ପଦେ ଭକ୍ତି ରଖିଥାଉ।
ଶରଧା ବାଲିରେ ରଥ ଟାଣି ଦେଲେ
କୋଟି କୋଟି ପୂଣ୍ୟ ହୁଏ
ରଥରେ ବାମନ ଦରଶନ ମାତ୍ରେ
ଦୁଃଖ ଶୋକ ଦୂରେ ଯାଏ।
ଶରଧାବାଲିକୁ ଶରଧାରେ ଆଣି
ମଥାରେ ଦେଲେ କ ବୋଳି
ଜଗା ଦର୍ଶନର ପୂଣ୍ୟ ମିଳିଥାଏ
ପୂଣ୍ୟ ତାର ଅଛି ବୋଲି।
ଶରଧାବାଲି ଯେ ପୂଣ୍ୟ ତିର୍ଥ ପରା
ସକଳ ପାପ ବିନାଶେ
ଶରଧାବାଲିରେ ପାଦ ଦେଲେ ଥରେ
ଚନ୍ଦନ ଚନ୍ଦନ ବାସେ।
ଶରଧାବାଲିରେ ଏକା ଏକା ରହି
ଡାକିବା ହେ ପଦ୍ମମୁଖ
ଜଗତ ଉଦ୍ଧର ଆହେ ଚକ୍ରଧର
ସୃଷ୍ଟି କୁ ତୁମ୍ଭର ରଖ।

ଅଜୟ କୁମାର ମହାନ୍ତି ,
ହରିପୁର କବୀର ପୁର ,ଯାଜପୁର।

Post a Comment

0 Comments