ସାବିତ୍ରୀ....ସମର୍ପଣର ଅନ୍ୟ ଏକ ନାମ
ଭିନ୍ନ ଏକ ପରିଭାଷା...
ସମ୍ପୂର୍ଣ ସମର୍ପଣରେ ସିଦ୍ଧିର ମାର୍ଗ,
ସଫଳତା ଆଉ ସାର୍ଥକତାର ଏକ ଦୃଷ୍ଟାନ୍ତ
ଏକ ମାର୍ଗ ଦର୍ଶିକା.
ସାବିତ୍ରୀ. ସତୀତ୍ୱ ର ପରାକାଷ୍ଠା...
ଖାଲି ପୁରାଣର ପୁରୁଣା
ପୃଷ୍ଠାରେ ନୁହଁ ଲିଖିତ
ଅଛି ଅଧୁନାତନ.. ନୂତନତ୍ୱ.
ସାବିତ୍ରୀ... ଏକ ବଳିଦାନ...
ବିନୟତା. ବିଭୋରତା..
ବଳରେ ଯାର.... ବିଶାଳ
ବାରିଧି ବିନ୍ଦୁ ହୁଏ..
ବିଷମତା ଟାଳିହୁଏ
ବୈଷମ୍ୟ ଭେଦି
ଲକ୍ଷ ସ୍ପର୍ଶ କରି ହୁଏ.
ସାବିତ୍ରୀ... ଏକ ଶବ୍ଦ ନୁହେଁ..
ଏକ ଅଲୌକିକ ଶକ୍ତି
ଏକ ମହାମନ୍ତ୍ର...
ଯିଏ ଯୁଝିପାରେ
ପରାହତ କରିପାରେ
କାଳର କରାଳତା
ଆଉ ଛିନିପାରେ ସଫଳତା.
ସାବିତ୍ରୀ.. ଏକ ପୂଜା.. ଏକ ଭୋଗ
ଏକ ଯଜ୍ଞ ଏକ ନୈବେଦ୍ୟ
ଏକ ଆରତୀ ଏକ ଆଳତୀ...
ଯିଏ ତିମିର ବିନାଶି...
ଜାଳି ପାରେ ପଥେ ପଥେ
ଆଲୋକର ବର୍ତ୍ତି..
କରିପାରେ ସୃଷ୍ଟିର ପୁନରାବୃତ୍ତି .
ସାବିତ୍ରୀ.... ନମୁନା ଏକ ନିଷ୍ଠାର
ଯା ଦେହରେ ଖୁନ୍ଦା ଖୁନ୍ଦି
ଆତ୍ମ ପ୍ରତ୍ୟୟ ସହ..
ଶ୍ରଦ୍ଧା ଭକ୍ତି ପ୍ରେମର
ଫେଣ୍ଟା ଫେଣ୍ଟି ସମାହାର...
ଯିଏ କଣ୍ଟା ଆଉ ଅରଖ ରୁ
କାଢି ପାରେ ଖୁସି ଫୁଲ ଆଉ ଫଗୁଣର.
ସାବିତ୍ରୀ.. ଏକ ଆହ୍ୱାନ.. ପ୍ରେରଣା.. ଚେତନା
ନାରୀ ଜାତି ପାଇଁ...
ଯିଏ ଦେବ ବାଣୀ କୁ କରି ପାରେ ଦିବାସ୍ବପ୍ନ
ମଶାଣି କୁ କରିପାରେ ମହଲ, ମନ୍ଦିର
ତୋଳି ପାରେ ଜହ୍ନ..
ସାବିତ୍ରୀ... ସ୍ଥିତପ୍ରଜ୍ଞା.. ଜ୍ଞାନର ପ୍ରତୀକ
ପ୍ରଚଣ୍ଡ ଧୀଶକ୍ତି ପ୍ରଗାଢ଼ ଭକ୍ତି
ଆଉ ଶାଣିତ ଯୁକ୍ତିରେ...
ପ୍ରାଣ ଫେରି ପାଏ ପତି.
ସାବିତ୍ରୀ... ଏକ ଭାବନା..
ଇଚ୍ଛା ଶକ୍ତିକୁ ଦୃଢ଼ୀଭୁତ କରେ,
କର୍ତ୍ତବ୍ୟବୋଧ କୁ ତ୍ୱରାନ୍ୱିତ କରେ
ଫଳତଃ... ଅନ୍ଧ ହୁଏ ଚକ୍ଷୁଶ୍ମାନ
ଅପୁତ୍ରିକ ହୁଏ ପୁତ୍ରବାନ.
ସାବିତ୍ରୀ... ଏକ ଅଙ୍ଗୀକାରପଣ
ଏକ ସ୍ବୀକାର୍ଯ୍ୟ.. ଏକ ଆଦର୍ଶ, ଏକ ଅନୁଭବ
ଏକ ସଂକଳ୍ପ ପୁଣି ଏକ ଦର୍ଶନ..
ଯିଏ ଅନୁପ୍ରାଣିତ କରେ
ମାର୍ଗ ଦର୍ଶନ କରେ..
ଅନାବିଳ ଦାମ୍ପତ୍ୟ ପ୍ରେମ..
ମୁଗ୍ଧ ଅନ୍ତରଙ୍ଗତା. ବିଶ୍ୱାସ ସହ..
ସ୍ନିଗ୍ଧ ବାତ୍ସଲ୍ୟ ଆଉ ଅତୁଟ ପାରିବାରିକ ବନ୍ଧନର ll
ମିନତୀ ଦାଶ
ବାରିପଦା




0 Comments