ସାବିତ୍ରୀ ବ୍ରତ କଥା - ଗୋଦାବରୀଶ ଦାସ

  

ଇହ ପରକାଳ   ଦେବତା ଅଟନ୍ତି
      ନାରୀଙ୍କର ପାଇଁ ପତି
ଜନ୍ମ ଜନ୍ମାନ୍ତର   ପବିତ୍ର ବନ୍ଧନ
    ପତି ବିନା ନାହିଁ ଗତି।
ବିବାହ ବେଦୀରେ  ହାତଧରେ ନାରୀ
      ଏକାଠି ଚାଲିବା ପାଇଁ
ବ୍ରହ୍ମା ଯୋଡିଛନ୍ତି  ପବିତ୍ର ବନ୍ଧନ
       ସହଜେ ଛିଣ୍ଡଇ ନାହିଁ।
ସ୍ବାମୀ ସୁଖେସୁଖୀ ସ୍ବାମୀ ଦୁଃଖେଦୁଃଖୀ
       ନାମ ତା'ର ଅର୍ଦ୍ଧାଙ୍ଗିନୀ
ଓଷା ବ୍ରତ ଯେତେ  ପାଳନ କରନ୍ତି
      ରହିବାକୁ ସୀମନ୍ତିନୀ।
ପତିବ୍ରତା ନାରୀ  ଧରମ ବଳରେ
      ସିଦ୍ଧି କରେ ସର୍ବକର୍ମ
ମରଣ ମୁହଁରୁ  ସ୍ବାମୀଙ୍କୁ ଉଦ୍ଧାରେ
      ଏତ ନାରୀଙ୍କର ଧର୍ମ।
ନାରୀଙ୍କ ନିମିତ୍ତ  ଅଛି ଯେତେ ବ୍ରତ
      ସାବିତ୍ରୀ ବ୍ରତଟି ସାର
ସ୍ବାମୀଙ୍କ ଦୀର୍ଘାୟୁ  କାମନା କରନ୍ତି
       ପୂଜିଣ ପ୍ରଭୁ ପୟର।
ମଦ୍ର ନରପତି       ଅଟେ ଅଶ୍ବପତି
     କୌଶଲ୍ୟା ତାଙ୍କର ରାଣୀ
ସାବିତ୍ରୀ ନାମରେ  ଅନିନ୍ଦ୍ୟ ସୁନ୍ଦରୀ
      ଜନ୍ମିଲେ ଏକ ଦୁଲଣୀ।
ବିବାହ ବୟସ   ହେଲା ଉପନୀତ
       ରାଜା କଲେ ସ୍ବୟମ୍ବର
ଉପଯୁକ୍ତ ପତି     ନପାଇ ସାବିତ୍ରୀ
       ବାହୁଡିଲେ ନିଜ ଘର।
ଶାଲ୍ବ ଦେଶ ରାଜା  ମାଳବିକା ରାଣୀ
      ନାମଯେ ଦ୍ଯୁମତସେନ
ରାଜ୍ୟ ହରାଇଣ   ବୁଲୁଥିଲେ ବନ
       ସଙ୍ଗେ ପୁତ୍ର ସତ୍ଯବାନ।
ସଖୀଙ୍କ ଗହଣେ  ଦେଖିଥିଲେ ଦିନେ
      ସତ୍ଯବାନ ରୁପ ଶିରୀ
ମନେମନେ ପତି   ବରିଲେ ସାବିତ୍ରୀ
      ପିତାଙ୍କୁ କହିଲେ ଫେରି।
ନାରଦ ବୋଇଲେ  ଅତି ଭଲକଥା
       ରହିଅଛି ଏକ ଦୋଷ
ଏକ ବର୍ଷ ଯେବେ  ପୁରଣ ହୋଇବ
       ସତ୍ଯବାନ ଯିବ ନାଶ।
ଦୃଢମନ ନେଇ    ସାବିତ୍ରୀ କହିଲେ
       ବରିଅଛି କରି ପତି
ଅନ୍ଯ ପୁରୁଷର     ହାତ ଧରିବିନି
      ହେବିନାହିଁ ମୁଁ ଅସତୀ।
ଯେଉଁ ଦିନ ଏକ  ବରଷ  ପୁରିଲା
      ସାବିତ୍ରୀ କରିଲେ ବ୍ରତ
କାଠ କାଟୁକାଟୁ   ସତ୍ଯବାନ ବୀରେ
      ହୋଇଥିଲା ସର୍ପାଘାତ।
ସତୀଙ୍କ ତେଜରେ  ଶମନ ଦେବତା
       ପଶି ପାରିଲେନି କତି
ଅନୁନୟ କରି  ସାବିତ୍ରୀ  କହିଲେ
     ଫେରାଇ ଦିଅ ମୋ ପତି।
 ଦିଅ ଶତପୁତ୍ର     ପିତାଙ୍କ ନିମିତ୍ତ
     ମାଗୁଅଛି ଏହି ଭିକ୍ଷା
ଶାଶୁ ଶଶୁରଙ୍କୁ   ଚକ୍ଷୁଦାନ କର
      ସତ୍ଯ କର ତୁମ ରକ୍ଷା।
ମୋ କୋଳରେ ଏକ  ସୁଯୋଗ୍ଯ ସନ୍ତାନ
        ଦିଅ ମୋତେ ବରଦାନ
କହିଲେ ତଥାସ୍ତୁ      ଜନ୍ତୁପତି ପୁଣି
      ହରାଇଣ ବୁଦ୍ଧି ଜ୍ଞାନ।
ସାବିତ୍ରୀ ବୋଇଲେ  ସତୀ ନାରୀ ମୁଁଯେ
        ସ୍ବାମୀ ବିନା ପୁତ୍ର ଦାନ
କିପରି ସମ୍ଭବ     ହେ ମହାନୁଭବ
     ଫେରାଅ ମୋ ସତ୍ଯବାନ।
ସତୀତ୍ବ ବଳରେ     ମରଣ ମୁହଁରୁ
      ଫେରାଇ ଆଣିଲେ ପତି
ସେହିଦିନ ଠାରୁ  ସର୍ବ ହିନ୍ଦୁ ନାରୀ
      କରନ୍ତି ବ୍ରତ ସାବିତ୍ରୀ।


ଶଙ୍ଖମୂଳ, ରଣପୁର
ନୟାଗଡ

Post a Comment

0 Comments