ଜୀବନ ସାଳିତା ଜଳି ଜାଳି ଯାଏ
ସରି ସରି ଯାଏ ଦିନ
ଖାଲି ହେଲେ ତେଲ ଲିଭି ଯିବ ଦୀପ
ଅଥୟ ହେଲାଣି ମନ ।
ସଂସାର ସାଗରେ ବୁଡି ମୁଁ ରହିଲି
ଭଜିଲିନି ପ୍ରଭୁ ନାମ
ପାପ ପ୍ରାଣୟରେ ଜୀବନ ସାରିଲି
ଚିନ୍ତିଲିନି ପୁଣ୍ୟ ଧାମ।
ବାର୍ଦ୍ଧକ୍ୟ ଅବସ୍ଥା ହେଲା ଉପନୀତ
ଶରୀର ହେଲା ଶିଥିଳ
ବାଳୁତ ଅବସ୍ଥା ପୁନଃ ସଂସ୍ଥାପିତ
ଭୋଗୁଅଛି କର୍ମ ଫଳ ।
ଦୁର୍ଲଭ ଜୀବନ ପାଇଥିଲି ସିନା
ସୁଲଭରେ ସାରିଦେଲି
ପାପିଟିଏ ହୋଇ ସଂସାର ପଙ୍କରେ
ଘାଣ୍ଟି ହେଉଅଛି ଖାଲି ।
ଆହେ ଦୀନବନ୍ଧୁ ଜଗତର ସିନ୍ଧୁ
ହେ ପ୍ରଭୁ କଳା ବଦନ
ଅବଶିଷ୍ଠ ଦିନ ଗାଉ ତୁମ ନାମ
ଏତିକି ମିନତି ଘେନ ।
*ଜୟ ଜଗନ୍ନାଥ..........👏*
*ରଞ୍ଜନ କୁମାର ପଣ୍ଡା*
*କୋରାପୁଟ*




0 Comments