ସୁନ୍ଦର ପୃଥିବୀ - ବାସନ୍ତୀ ଲତା ଜେନା


ସୌର ମଣ୍ଡଳରେ ତୃତୀୟ ଗ୍ରହଟି
ପୃଥିବୀ ନାମ  ଯାହାର
ବାୟୁ ଜଳ ତାପ ସାଇତି ରଖିଛି
ଜୀବନ ହୁଏ ସୁନ୍ଦର      l୧l

ତିନି ଭାଗ ଜଳ ଭୂପୃଷ୍ଠରେ ତାର
ଲବଣlକ୍ତ ହୋଇ ଅଛି
ଏକ ଭାଗ ସ୍ଥଳ ପ୍ରାଣୀ ଓ ଉଦ୍ଭିଦ
ଧରାରେ ଶୋଭା ପାଉଛି     l୨l

ଆବର୍ତ୍ତନ ଗତି ପୃଥିବୀ କରଇ
ଦିନ ରାତି ହୋଇ ଥାଏ
ପରିକ୍ରମଣ କଲେ ସୂର୍ଯ୍ୟ ଚାରିପଟେ
ଋତୁ ବଦଳୀ ତ ଯାଏ          l୩l

ସବୁତ ସୁନ୍ଦର ପୃଥିବୀ ମାତାର
ଛାଇ ବନଉପବନ
ଦ୍ବୀପ ମହାଦେଶ ତା କୋଳେ ମଣ୍ଡିତ
ଝରଣାର କୁଳୁତାନ       l୪l

ଶ୍ୟାମଳ ସୁନ୍ଦର ସବୁଜିମା ଆଭା
ତା ଦେହରେ ବିରାଜିତ
ନରପଶୁ ପକ୍ଷୀ କୀଟ ତରୁ ଲତା
ସମସ୍ତେ ହୁଅନ୍ତି ପ୍ରୀତ      l୫l

ଯାହା ପାଇଁ ଯାହା ଦରକାର ହୁଏ
ସବୁ ସାଇତି ରଖିଛି
ଆଧାର ପାନୀୟ ଯୋଗାଇ ଦେଉଛି
ସନ୍ତାନ ଖାଇ ହସୁଛି       l୬l

ମାତୃ ଗର୍ଭ ଛାଡି ବସୁଧାରେ ପାଦ
ଯେବେ ମୁଁ ପକାଇ ଥିଲି
ଶ୍ରଦ୍ଧାରେ ପୃଥିବୀ ଆଦରି ନେଲା ସେ
ତା କୋଳେ ଦୋଳି ଖେଳିଲି    l୭l

କେତେ ଅରଦଳୀ ସହିଛି ଜନନୀ
ଦିନେ ଗାଳି ଦେଇ ନାହିଁ
ସର୍ବଂସହା ସିଏ ଜନନୀ ପୃଥିବୀ
ସେବିବି ଚରଣ ଛୁଇଁ      l୮l

ଜହ୍ନ ଉପଗ୍ରହ ପୃଥିବୀର ପରା
ଦିଏ ଶୀତଳ  ଜ୍ୟୋଛନା
ଜହ୍ନ ଆଲୁଅରେ ଘଡିଏ ବସିଲେ
ଲିଭି ଯାଏ ତ ଯାତନା      l୯l

ବନ କାନନରେ ଫୁଲ ଫଳ ଭରା
ଶୋଭା ପାଏ ଏଭେରେଷ୍ଟ
ହିମାଳୟ ଗିରି ଜନନୀ ମୁକୁଟ
ମହୋଦଧି ହରେ ରିଷ୍ଟ        l୧୦l

ମନ୍ଦ ମନ୍ଦ ହୋଇ ସମୀର ବହଇ
ସ୍ପର୍ଶ କରେ ପ୍ରତି ପ୍ରାଣ
ପ୍ରଭାତ ବନ୍ଦନା ବିହଙ୍ଗ କରନ୍ତି
ମନ୍ଦିରେ ଦେବ ପୂଜନ       l୧୧l

ପଲ୍ଲୀ ପ୍ରକୃତିର ମନୋରମ ଦୃଶ୍ୟ
ଆତ୍ମା କରେ  ପୁଲକିତ
ଛିଟ ଶାଢ଼ୀ ପିନ୍ଧେ ମୋ ମାଆ ପୃଥିବୀ
ସ୍ନେହ ଭରା ତା ପଣତ       l୧୨l


ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର   

Post a Comment

0 Comments