ପଳାତକରପ୍ରତ୍ୟାଗମନ - ପ୍ରଶାନ୍ତ କୁମାର ହୋତା



ନବିନ ଦାସ ଜଣେ ସେବା ନିବୃତ ଅଧିକାରୀ I ରାଜ୍ୟ ସରକାରଙ୍କର  ପେନସନ ଆଜକୁ ପାଞ୍ଚ  ବର୍ଷ ହେଲା ପାଇ ଆସୁଛନ୍ତି।
ସବୁ କିଛି ଠିକଠାକ୍ ଚାଲିଥିଲା ।
ହଠାତ୍ ଦିନେ ସନ୍ଧ୍ୟା ବେଳକୁ ତାଙ୍କୁ କାଶ ଆସିଲା ତାପରେ ତାଙ୍କଠାରେ  ଜ୍ୱର ସହିତ ଅନ୍ୟ ସବୁ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଲା ଯାହାକି ଜଣେ କୋରୋନା ପଜିଟିବ ରୋଗୀଠାରେ ସାଧାରଣତଃ ଦେଖା ଯାଇଥାଏ I ଏତେ ଗୁଡାଏ ଲକ୍ଷଣ ଦେଖି ଘର ଭିତରେ ପରସ୍ପର କେତେ ଆଲୋଚନା ବି ସରିଲାଣି।
ବାସ୍ ତାପରେ ଯେମିତି ଘରେ ଉଥଲ ପୁଥଲ ଆରମ୍ଭ ହେଇଗଲା ।

ପରିବାରରେ ଚାକରାଣୀ ଠାରୁ ଆରମ୍ଭ କରି ସମସ୍ତ ସଦସ୍ୟ ମାନଙ୍କ ମୁହଁରେ ଏକ ଅଜଣା ଭୟର ଚି଼ହ୍ନ ସ୍ପଷ୍ଠ ଜଣାପଡି ଯାଉଥାଏ I

ସମସ୍ତଙ୍କ ସହାନୁମତିରେ ସେହି ଦିନ ତାଙ୍କର ସମସ୍ତ ବ୍ୟବହାରିକ ଜିନିଷ ସହ ଗୋଟେ ଖଟିଆ ଘରର ପଛପଟେ ଥିବା ପୁରୁଣା ଅବ୍ୟବହୃତ ବଖରାରେ ରଖି ଦିଆଗଲା  ।

ନବିନ ବାବୁ କିଛି ବର୍ଷ ତଳେ ଏହି ଘରକୁ ଭାଙ୍ଗି ତାଙ୍କ କାମବାଲୀ ର ରହିବା ପାଇଁ ବ୍ୟବସ୍ଥା କରିବେ ଭାବୁଥିଲେ। କିନ୍ତୁ ପୁଅ ବୋହୂ ଅଯଥା ଖର୍ଚ୍ଚ କହି ବିରୋଧ କରିବାରୁ କରି ପାରି ନଥିଲେ।  ଏହି ବଖରାରେ ଏବେ ନିଜେ ନବିନ ବାବୁ, ତାଙ୍କ ଖଟିଆ, ଓ ତାଙ୍କର ଏକାନ୍ତ ସମୟI

ନିଜର ଦୁଇ ପୁଅ ବୋହୁ ତାଙ୍କ ଠାରୁ ଦୂରତା ବଜାୟ ରଖିବା ସହିତ ପିଲା ମାନଙ୍କୁ ବି ନିଜ ଜେଜେଙ୍କ ପାଖକୁ ନ ଯିବା ପାଇଁ କଡା ନିର୍ଦେଶ ଦେଇଥାନ୍ତି I
ନବୀନ ବାବୁ ତଳେ ଆଉଟ ହାଉସରେ ରହିବା କ୍ଷଣି ସାଇ ପଡିଶା ବି ଫୁସଫାସ ହେବା ଆରମ୍ଭ କରିଦେଲେ। ବହୁତ ପ୍ରକାର ଅଯାଚିତ ଉପଦେଶ ଆସି ପହଞ୍ଚି ଗଲା।

ଏଇ ଖବର ସାହି ପଡିସା ଚାରିଆଡେ ବିଜୁଳି ମାରିଲା ପରି ଖେଳିଯିବା ପରେ ଆଉ କେହି ନବିନ ବାବୁଙ୍କୁ ଦେଖା କରିବାକୁ ବି ଭୟରେ ଆସିଲେ ନାହିଁ I

ନବୀନ ବାବୁଙ୍କ ସ୍ତ୍ରୀ ଶାଢ଼ୀ ପଣତକୁ ମୁହଁରେ ମାସ୍କ ପରି ବାନ୍ଧି ବୋହୁ ମାନଙ୍କୁ କହିଦେଲେ -  କିଏ ଜଣେ ଟିକେ ଦୂରରେ ରହି ଖାଇବାଟା ବଢ଼େଇ ଦିଅ । ହସ୍ପିଟାଲ ଵାଲା ନେବା ପାଇଁ ଆସିଲେ ସେ ଭୋକରେ ରହିଯିବେ ।
ହସ୍ପିଟାଲରେ ଖାଇବାକୁ ଦିଆଯାଏ। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ବୋହୁ ମାନେ ଉତ୍ତର ଦେଲେ।
ନବିନ ବାବୁଙ୍କ ସ୍ତ୍ରୀ ତଥାପି ଶାଶୁ ପଣିଆ ଦେଖାଇବାକୁ ଯାଇ କହିଲେ - ହୋଉ ହସ୍ପିଟାଲ ଖାଇବା ଆଉ ଘର ଖାଇବା ରେ କଣ କିଛି ଫରକ ନାହିଁ। ଯାଅ, ଆମ୍ବୁଲାନ୍ସ ଆସିଲା ପୂର୍ବରୁ କିଛି ଖାଇବା ନେଇ ଆସ । ଏଭଳି ଏକ ଆଦେଶ କେହି ଆଶା କରୁ ନଥିଲେ। ଶୁଣିଲା ମାତ୍ରେ ଚିନ୍ତା ଆରମ୍ଭ ହେଇ ଗଲା ଯେ ତାଙ୍କ ପାଖକୁ ଖାଇବା କିଏ ନେଇକି ଯିବ !

ଦୁଇ ବୋହୁ ପରସ୍ପର ଭିତରେ କଥା ହେଇ ଶାଶୁଙ୍କ ହାତରେ ଖାଦ୍ୟ ଥାଳି ଧରେଇ ମୁହଁ ମୋଡି ଦେଲେ I

ଥାଳି ଧରିବା କ୍ଷଣି ନବିନ ବାବୁଙ୍କ ସ୍ତ୍ରୀଙ୍କ ହାତ ଥରିବାକୁ ଲାଗିଲା । ତାଙ୍କୁ ଲାଗିଲା ସେ ଯେମିତି କରୋନାକୁ ଆମନ୍ତ୍ରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଜାଣିଶୁଣି ମରଣ ମୁହଁକୁ ପେଲି ହୋଇ ଯାଉଛନ୍ତି କି ପରି ଅନୁଭବ ହେଲା ତାଙ୍କର ! ଗୋଡ଼ ଦୁଇଟା ଯେମିତି କେଉଁ ଏକ ଅତଳ ଗର୍ଭକୁ ଖସି ଖସି ଯାଉଥିଲା !

ଏ ସବୁ ଦେଖି ବୋହୁମାନେ ଟୁପଟାପ୍ ହେଇ ଆଉଥରେ ଶୁଣେଇ କହିଲେ - ମା ଆପଣ ଯାଉ ନାହାନ୍ତି।
ଶାଶୁ ରାଗି ଯାଇ କହିଲେ - ମୋ କହିବା ଯଦି ଶୁଣି ପାରୁନ ମୋତେ ଉପଦେଶ ଦେବା ବନ୍ଦ କର।
ନବିନ ବାବୁଙ୍କ ସ୍ତ୍ରୀ ମୁହଁ ବାନ୍ଧି ଦୂରରୁ ଥାଳି ବଢ଼େଇବା ପାଇଁ ଗଲେ I

ସବୁ ବାର୍ତ୍ତାଳାପ ନବିନ ବାବୁ ଚୁପ ଚାପ ଶୁଣୁଥିଲେ, ମନଟା ହତାଶାରେ ଭାଙ୍ଗି ଯାଇଥିଲା। ତାଙ୍କର ଥର ଥର ଓଠରେ ସେ କହିଲେ , ମୋ ପାଖକୁ କେହି ନ ଆସିବାଟା ହିଁ ଭଲ I ତାଙ୍କୁ ଭୋକ ନାହଁ I
ପାଖକୁ କିଏ ଆସୁଛି। ଏଇ ଦୂରରୁ ଆମେ ଦେଉଛୁ। ତମେ ଦି'ଟା କଣ ଖାଇଦିଅ। ସେଠି ମିଳିବ ନମିଳିବ କିଛି ଭରସା ନାହିଁ।

ଏହି ସମୟରେ ଆମ୍ବୁଲାନ୍ସ ଆସିଗଲା । ନବିନ ବାବୁ କିଛି ନଖାଇ ଉଠିଲେ। ଆମ୍ବୁଲାନ୍ସ କୁ ଉଠିବା ପୂର୍ବରୁ ଥରେ ପଛକୁ ଚାହିଁ ନିଜ ଘରକୁ ଭଲକରି ଦେଖିନେଲ । ଆଉ ଫେରିବେ କି ନାହିଁ ଆଶା ବୋଧେ ମୋଉଳି ଯାଉଥିଲା। ନିଜେ କରିଥିବା ଘରକୁ ଦେଖିଲା ବେଳକୁ ଆଖିରୁ ଦୁଇ ଠୋପା ଲୁହ ବୋହି ଆସିଲା।
ପ୍ରଥମ ମହଲାର ଝରକାରୁ ମାସ୍କ ପିନ୍ଧିଥିବା ନାତି ନାତୁଣୀ ଓ ତାଙ୍କର ପଛପଟେ ଓଢଣା ଦେଇ ଠିଆ ହୋଇଥିବା ଦୁଇ ବୋହୁଙ୍କୁ ଦେଖିଲେ। ତାଙ୍କର ତୀକ୍ଷ୍ଣ ଦୃଷ୍ଟି ତାଙ୍କୁ ବିଚଳିତ କରିଦେଲା I ତଳ ମହଲରେ ଦୁଇ ପୁଅ ନିଜ ମାଆଙ୍କ ସହିତ ଛିଡା ହୋଇଥିଲେ I 
ଯାହା କିଛି ଘଟି ଯାଉଥିଲା ଏତେ ଅକସ୍ମାତ୍ ହେଉଥିଲା ଯେ ସେ କାହାକୁ କିଛି ବୁଝି ପାରୁ ନଥିଲେ ।

ଅନେକ ଭାବନା ତାଙ୍କ ଭିତରେ ଝଡ଼ ସୃଷ୍ଟି କରୁଥିଲେ I କ୍ଷଣକ ପାଇଁ ତାଙ୍କୁ ଲାଗିଲା ଯେମିତି ଜୀବନଟା 'ବିଦାୟ' ଦେବ ବୋଲି କହିବାକୁ ଆସିଛି I
       
ନବିନ ବାବୁ ଛଳ ଛଳ ଆଖିରେ ନିଜ ଘରର ଦୁଆର ମୁହଁରେ କରିଥିବା ପିଣ୍ଡି ଉପରେ ବସି ପଡିଲେ, କାନ୍ଥକୁ ମୁହଁ ଲଗେଇ ଚୁମ୍ବନଟିଏ ଦେଇ ଆସି ଆମ୍ବୁଲାନ୍ସ ରେ ବସି ପଡିଲେ I ତାଙ୍କ ସ୍ତ୍ରୀ ସାଙ୍ଗେ ସାଙ୍ଗେ ସାନିଟାଇଜର ଆଣି  ସେ ବସିଥିବା ଜାଗାରେ ସ୍ପ୍ରେ କରି ଦେଲେ I
ନାତି ବାଲକୋନିରୁ ଦେଖି ପଚାରିଲା - ଜେଜେ ମା କଣ କରୁଛ?
ନବୀନ ବାବୁଙ୍କ ସ୍ତ୍ରୀ ଉପରକୁ ଅନାଇ କହିଲେ ତୁ ବୁଝି ପାରିବୁନି। ଅପବିତ୍ର ହୋଇ ଯାଇଥିବା ଯାଗାଟି ବର୍ତ୍ତମାନ ପବିତ୍ର ହେଇଗଲା ।

ନବିନ ବାବୁ ଏସବୁ ଦେଖି ନିଜକୁ ସମ୍ଭାଳି ପାରିଲେ ନାହିଁ। ସଂସାର ଟା କେମିତି ଏକ ପ୍ରହେଳିକା ପରି ଲାଗୁଥିଲା ।
ପ୍ରତିଦିନ ତାଙ୍କ ଠାରୁ ବିସ୍କୁଟ ଖାଉ ଥିବା ବୁଲା  କୁକୁର ଗୁଡାବି ଏ ଦୃଶ୍ୟ ଦେଖି କାନ୍ଦି ପକେଇଲା I ଆଶ୍ଚର୍ଯ୍ୟ ଯେ କେହି ଗୋଟାଏ ବି ବୁଲା କୁକୁର ଭୁକୁ ନଥିଲେ ଯେମିତି ସେମାନେ ନୀରବରେ ସମ ବେଦନା ଜଣାଉଛନ୍ତି।
ନବିନ ବାବୁଙ୍କୁ ହସ୍ପିଟାଲ ନେଇ ଯାଉଥିବା ବେଳେ ଆମ୍ବୁଲାନ୍ସ ପଛେ ପଛେ ଲାଙ୍ଗୁଡ଼କୁ ହଲାଇ ହଲେଇ ବୁଲା କୁକୁର ଗୁଡାବି କିଛି ବାଟ ବଳେଇ ଦେଇ ଆସିଲେ ।
       
ଗୋପାଳ ବାବୁ ହସ୍ପିଟାଲରେ 14 ଦିନ ରହିଲେ, ତାଙ୍କର ସବୁ ପରୀକ୍ଷା ସାମାନ୍ୟ ଥିଲା I ତାଙ୍କୁ ପୁରାପୁରି ସୁସ୍ଥ ଘୋଷଣା କରି ଡିସ୍ଚାର୍ଜ କରି ଘରକୁ ଯିବା ପାଇଁ ଅନୁମତି ଦିଆ ଗଲା I କଣ୍ଟ୍ରୋଲ ରୁମ ରୁ ବାରମ୍ବାର ଫୋନ ଯିବା ସତ୍ତ୍ୱେ କେହି ପହଞ୍ଚି ନଥାନ୍ତି।
ସେ ହସ୍ପିଟାଲରୁ ବାହାରକୁ ଆସି ଦେଖନ୍ତି ତ ଏକ ନୂଆ ଦୁନିଆଁ ଯେମିତି ତାଙ୍କୁ ସ୍ଵାଗତ କରୁଛି I

ତାଙ୍କ ପିଲାମାନଙ୍କ ଗାଡି ତାଙ୍କୁ  ନବାକୁ ପହଁଚିବା ପୂର୍ବରୁ ସେ  ଅନ୍ୟ ଦିଗରେ ସେ ବାହାରି ଯାଇଥିଲେ I ସେ ଦିନଠାରୁ ତାଙ୍କୁ କେହି ଆଉ ଦେଖି ନାହାନ୍ତି I

ତାଙ୍କ ନିଖୋଜ ହବା ଖବର ପୋଲିସ ରେ ଦିଆ ହେଇଛି, ଖବର କାଗଜରେ ବି ଫଟୋ ସହ ପ୍ରକାଶ ପାଇ ସାରିଛି I ଖବରକାଗଜ ପଢି  ତାଙ୍କର ମନେ ପଡିଗଲା ଘର କଥା, ନିଜର ପରିବାର ର ଖୁସି ପାଇଁ ସେ କେତେ କଣ କରିଥିଲେ। କେତେ ଟଙ୍କା ଆନନ୍ଦରେ ଉଡେଇ ଦେଉଥିଲେ । ପିଲାମାନେ ଫେରିବା ଦିନ ବି ଟିକେ ଆଗରୁ ପହଞ୍ଚି ପାରିଲେ ନାହିଁ। କରୋନା କଣ ଭଲ ହେଲା ପରେ ବି ଆକ୍ରମଣ କରିବାର ସମ୍ଭାବନା ଅଛି। ତାହେଲେ ମୁଁ ଆଉ ଘରକୁ ଫେରିବି କାହିଁକି। ଯୋଉଠି ଉପସ୍ଥିତିର ଆଗ୍ରହ ନାହିଁ ସେଠି ଉପସ୍ଥାନ ମଧ୍ୟ ଉପକ୍ରମଣିକା ହେବାର ଯୋଗ୍ୟ ନୁହେଁ। ବରଂ ସଂସାରରୁ ସନ୍ୟାସ ନେଇଯିବା ଭଲ।
ନବିନ ବାବୁ - କଣ ଏତେ ଭାବୁଛନ୍ତି !
ଗୋପାଳ ବାବୁଙ୍କ ପ୍ରଶ୍ନରେ ନବିନ ବାବୁ ଚମକି ଉଠିଲେ ।
କଣ ହେଲା ଚୁପ୍ ରହିଲେ ଯେ - ମୋ ପ୍ରଶ୍ନର ଉତ୍ତର ଦେଲେ ନାହିଁ ।
ନବିନ ବାବୁ ସାମାନ୍ୟ ହସି କହିଲେ - ଉତ୍ତର କଣ ଦେବି ! ଭାବୁଥିଲି ଦୁନିଆଟା କେତେ ସ୍ଵାର୍ଥପର । ଏଠି କେହି କାହାର ନୁହନ୍ତି। ନିଜ ସ୍ଵାର୍ଥ ପାଇଁ ସମସ୍ତେ ବ୍ୟସ୍ତ ।
ଗୋପାଳ ବାବୁ ପ୍ରଶ୍ନିଳ ଦୃଷ୍ଟିରେ ଦେଖୁଥିଲେ ନବିନ ବାବୁଙ୍କୁ । କହିବେ  କି ନାଇଁ ଏହି ଦ୍ଵନ୍ଦ୍ଵରେ ରହି ଶେଷରେ କହିଲେ - ନବିନ ବାବୁ, କାହା ସ୍ଵାର୍ଥ କଥା କହୁଛନ୍ତି। ଏ ସ୍ଵାର୍ଥ କେବେ ବା ନଥିଲା ? ଆଗରୁ ବି ଏ ସ୍ଵାର୍ଥ ଥିଲା ଏବେ ବି ଅଛି ଓ ଏମିତି ରହିଥିବ। ଏଥିରେ ଏତେ ଆଶ୍ଚର୍ଯ୍ୟ ପ୍ରକାଶ କରିବାର କଣ ଅଛି !
ମାନେ ! ନବିନ ବାବୁ ପ୍ରଶ୍ନ କଲେ ।
କାହା ପାଖରେ ସ୍ଵାର୍ଥ ନାହିଁ କହିଲ । ମୋ ପାଖରେ ନାହିଁ ନା ତମ ପାଖରେ ନାହିଁ । ମାନବୀୟ ଚରିତ୍ର ଦୃଷ୍ଟିରୁ ସ୍ଵାର୍ଥ ଯେତେବେଳେ ଆଉ କାହାର ସ୍ଵାର୍ଥରେ ବାଧା ଦିଏ ସେତେବେଳେ ଜଣେ ଆଉ ଜଣଙ୍କୁ ସ୍ଵାର୍ଥପର ବୋଲି ଆରୋପ କରେ କିନ୍ତୁ ସେ ବୁଝି ପାରେ ନାହିଁ ଯେ ସେ ଯାହା କହୁଛି କେବଳ ତା ସ୍ଵାର୍ଥ ପାଇଁ କହୁଛି ।

ନବିନ ବାବୁଙ୍କ ଦୃଷ୍ଟି ଭଙ୍ଗି ବଦଳି ଗଲା । ସେ ଅନୁସନ୍ଧିତ୍ସୁ ହୋଇ ଗୋପାଳ ବାବୁଙ୍କୁ କହିଲେ - ତମେ ମୋର ବନ୍ଧୁ ବୋଲି ମୁଁ ଏମିତି କହିଦେଲି। ତାପରେ ତମେ ଏଇଠି ଆଶ୍ରମ କରି ଅଛ ବୋଲି ମୁ ମଧ୍ୟ ଏଠି ବାକି ଜୀବନ ଶେଷ କରିଦେବି ବୋଲି ଭାବିଲି । ମୋର କଣ ଏଥିରେ ସ୍ଵାର୍ଥ ଅଛି ମୁଁ ଜାଣି ପାରୁନି। ଆପଣଙ୍କ କଥାରୁ ଆପଣ ମୋତେ ହିଁ ସ୍ଵାର୍ଥପର ବୋଲି ଆକ୍ଷେପ କରୁଛନ୍ତି ବୋଲି ବୁଝି ପାରୁଛି ।
ଆରେ ନା ନା - ଏମିତି ଭାବନ୍ତୁ ନାହିଁ। ଗୋପାଳ ବାବୁ ତୁରନ୍ତ କଥାକୁ ସହଜ କରିବା ପାଇଁ କହିଲେ ।

ନବୀନ ବାବୁ କିନ୍ତୁ ବ୍ୟସ୍ତ ହେଇପଡି କହିଲେ, ଆପଣ ମୋତେ ସତ କୁହନ୍ତୁ ଗୋପାଳ ବାବୁ । ଆପଣଙ୍କ ମନରେ କିଛି ଗୋଟିଏ ତ ନିଶ୍ଚୟ ଅଛି। ଦୟାକରି ମୋତେ କୁହନ୍ତୁ । ଆପଣ ମୋର ବନ୍ଧୁ ହେଲେ ବି ମୋ ଆଖିରେ ଆପଣ ଜଣେ ଜ୍ଞାନୀ ଗୁଣୀ ଓ ମୁଁ ଆପଣଙ୍କୁ ଗୁରୁ ପରି ମାନେ। କିଛି ଗୋପନ ନରଖି ମୋତେ କୁହନ୍ତୁ । ମୋର ଯଦି ଚିନ୍ତାଧାରାରେ କିଛି ଭୁଲ୍ ଥାଏ ମୁଁ ନିଶ୍ଚୟ ନିଜକୁ ସଜାଡି ନେବି।

ଗୋପାଳ ବାବୁ ନବିନଙ୍କୁ ଭିନ୍ନ ଏକ ଦୃଷ୍ଟିକୋଣରୁ ଦେଖୁଥିଲେ।
ନବିନ ଗୋପାଳ ବାବୁଙ୍କୁ ପୁଣି ଥରେ ଅନୁରୋଧ କଲେ ।
କହିବାର ପ୍ରକୃତ ସମୟ ଆସି ଯାଇଛି ବୋଲି ଭାବି ଗୋପାଳ ବାବୁ ଆରମ୍ଭ କଲେ - ଦେଖନ୍ତୁ ନବିନ ବାବୁ ଆମର ପ୍ରସଙ୍ଗ ଉଠିଥିଲା ସ୍ଵାର୍ଥପର କଥାରୁ। ତମେ ଥରେ ଚିନ୍ତା କଲ ତମେ ଯୋଉ ପରିବାର ସହିତ ଏତେବାଟ ଆସିଲ କୋଉ କାରଣରୁ ହଠାତ୍ ବୀତସ୍ପୃହ ହେଇଗଲ । ଯୋଉ ବ୍ଯବହାର ଘର ସଦସ୍ୟ ମାନେ ଦେଖେଇଲେ, ସେଥିରେ ତମକୁ ବୋହୁତ ଆଘାତ ଲାଗିଲା। ସେୟାତ! ଟିକିଏ ଚିନ୍ତା କରି କହିଲ! ସତରେ ଏତେବଡ଼ ଭୁଲ ସେମାନେ କଣ କଲେ । ସରକାର ପ୍ରତି ମୂହୁର୍ତ୍ତରେ ଚେତାବନୀ ଦେଉଛନ୍ତି । ସାମାଜିକ ଦୂରତା ରଖିବା ପାଇଁ କୁହା ହେଉଛି। ସେଇଟା ତ ସରକାରଙ୍କର ଗାଇଡ ଲାଇନ୍। ସମସ୍ତେ ସେୟା କରିବେ। ସମସ୍ତଙ୍କ ସ୍ଵାସ୍ଥ୍ୟଗତ କାରଣରୁ ସେପରି ଦୂରତା ରଖିବା ମଧ୍ୟ ଉଚିତ୍ । ତମେ ନିଜେ ତମ ଆଡୁ ସେମାନଙ୍କୁ ପାଖକୁ ଆସିବା ପାଇଁ ବାରଣ କରିବାର ଥିଲା। ତମେ କିନ୍ତୁ ସ୍ଵାର୍ଥପର ହୋଇ ତାଙ୍କ ଠାରୁ ସେବା ଆଶା କଲ। ସେବା ନମିଳିବାରୁ ତମେ ଏହାକୁ ତମର ଅପମାନ ମନେକରି ଘର ଛାଡିଦେଲ। ଏଇଟା କଣ ମନର ଅହଙ୍କାର ନୁହେଁ । ନିଜକୁ ଅତିରିକ୍ତ ଭାବେ ଠିକ୍ ଭାବିବା ଓ ଅନ୍ୟର ଭୁଲ୍ ନିଜ ଆଖିରେ ଜଳ ଜଳ ହୋଇ ଦିଶିବା, ସେଥିରେ ପ୍ରତିକ୍ରିୟାଶୀଳ ହେବା, ଏସବୁ କଣ ନିଜ ଅହଂ ଭାବ ର ପ୍ରକାଶ ନୁହେଁ! ଯେଉଁ ବ୍ୟକ୍ତି ସାମୁହିକ ଭଲ ଚିନ୍ତା କରିଥାଏ ତାର ଦୃଷ୍ଟିକୋଣ କେବେ ଏପରି ହୁଏ ନାହିଁ। କାରଣ ସେ ନିଜ ସ୍ବାର୍ଥ ଅପେକ୍ଷା ଅନ୍ୟର ସ୍ଵାର୍ଥ କୁ ଆଗ ଗୁରୁତ୍ବ ଦେଇଥାଏ।
ମୁଁ କହୁନି ସେମାନଙ୍କ ବ୍ୟବହାର କରି ସମ୍ପୂର୍ଣ୍ଣ ଠିକ ଥିଲା। ସେମାନେ ନିଜ ଆଚରଣକୁ ଆହୁରି ମାର୍ଜିତ କରି ପାରିଥାନ୍ତେ ଯାହା ସେମାନେ କରି ପାରି ନାହାନ୍ତି। ସେଥିପାଇଁ ସେମାନଙ୍କୁ ସତଶିକ୍ଷା ଦେବା ଯାଗାରେ ଏତେ ପ୍ରତିକ୍ରିୟାଶୀଳ ହେବା କଣ ଠିକ୍।
ତମର ଆଜି କରୋନା ନେଗେଟିଭ ହେଲା ବୋଲି ତମେ ଏତେ ଦୃଢତାର ସହ କହି ପାରୁଛ ଓ କାହାର କିଛି କ୍ଷତି ହେଇ ନାହିଁ ବୋଲି ଭାବି ପାରୁଛ । ଥରେ ଚିନ୍ତା କଲ ଯଦି ତମର ପଜିଟିଭ୍ ହେଇଥାନ୍ତା ଓ ତମ ପୁଅ ବୋହୁ ନାତି ନାତୁଣୀ ସମସ୍ତେ ଏ ରୋଗରେ ଆକ୍ରାନ୍ତ ହେଇଥାନ୍ତେ ତାହେଲେ ଏବେ ଯାହା ଭାବୁଛ କଣ ସେୟା ଭାବି ପାରନ୍ତ ! କେବେ ନୁହେଁ। ତମେ ନିଜକୁ କେବେ ବି କ୍ଷମା କରି ପାରି ନଥାନ୍ତ।

ଗୋପାଳ ବାବୁ ପରିସ୍ଥିତି କୁ ହାଲୁକା କରିବା ପାଇଁ ଆଉ ଟିକିଏ ସଜାଡି ହୋଇ ବସିଗଲେ ତାପରେ ଟିକେ ହସି କହିଲେ - ନବୀନ ବାବୁ ! ଜାଣିଛନ୍ତି ତମକୁ ଘରେ ସମସ୍ତେ ମନେ ପକାଉଥିବେ। ତମ ସ୍ନେହର କଣ ସେମାନେ ହକଦାର୍ ନୁହନ୍ତି । ତମେ ଯେମିତି ବୁଲା କୁକୁରକୁ ସ୍ନେହ ଦେଇ ନିଜର କରି ପାରିଛ । ସେମାନେ ବି କୁକୁର ଗୋଟେ ଆଣି ସ୍ନେହ ଦେଇ ନିଜର କରି ପାରିବେ। ସେ କୁକୁର କେବେ ତାଙ୍କୁ ଛାଡି ଯିବ ନାହିଁ। ତା ମାନେ କଣ ସେମାନେ କହିବେ ଯେ ତମେ କୁକୁର ଠୁ ବି ହୀନ। ନା କେବେ ନୁହେଁ । ତେଣୁ ସେମିତି ତୁଳନା ବା କଳ୍ପନା କେବେ କର ନାହିଁ । କୁକୁର ର ମାନସିକତା ଓ ମଣିଷର ମାନସିକତା ସମାନ ନୁହେଁ।
ଗୋପାଳ ବାବୁ ମନ ପକାଇବା ଭଙ୍ଗୀରେ ସ୍ମରଣ କରି କହିଲେ - ତମେ ଏଠାରେ ସବୁଦିନ ଗୀତା ପଢୁଚ। ମୁଁ ଆଜି ତୁମକୁ ଗୀତାର ଗୋଟିଏ ସୁନ୍ଦର ଶ୍ଳୋକ ଶୁଣାଉଛି।

ନବୀନ ବାବୁ ମନୋନିବେଶ କୁ ଦୃଢ କରିବା ପାଇଁ ନିଜକୁ ଆଉ ଟିକେ ସ୍ଥିର କରିବାକୁ ଚେଷ୍ଟା କଲେ।
ଗୋପାଳ ବାବୁ ଗୀତା ର ଶ୍ଳୋକ ଆରମ୍ଭ କଲେ -
ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ
ତତ୍ ସ୍ଵୟଂ ଯୋଗ ସଂସିଦ୍ଧଃ କାଳେ ନାତ୍ମନି ବିନ୍ଦତି।

ତମେ ଏହାର ଅର୍ଥ ଜାଣିଛ ନବୀନ ବାବୁ। ତଥାପି ଅର୍ଥ କୁ ପୁନଃ ପୁନଃ ମନ୍ଥନ କଲେ ଜୀବନ ଶୈଳୀରେ ତାର ପ୍ରଭାବ ପଡିଯାଏ। ସେଥିପାଇଁ ମୁଁ ଆଉଥରେ ସ୍ମରଣ କରେଇ ଦେଉଛି।
ଏହି ସଂସାରରେ ଜ୍ଞାନ ପରି ପବିତ୍ର କିଛି ନାହିଁ। କିନ୍ତୁ ସଂଯମତା ହିଁ ଜ୍ଞାନ ଆହରଣ କରିବାର ପ୍ରକୃଷ୍ଟ ଉପାୟ। ମନକୁ ଉତକ୍ଷିପ୍ତ କରାଇଲେ ସଂଯମତା ହରାଇବା ସ୍ଵାଭାବିକ ଓ ଜ୍ଞାନ ଆହରଣ କରିବାରେ ପ୍ରତିବନ୍ଧକ। ସେଥିପାଇଁ ଏପରି କହିଲି। ବାକି ତମର ଇଛା।

- ଦୀର୍ଘ ନିଃଶ୍ଵାସ ପକାଇ ନବିନ ବାବୁ କହିଲେ, ତାହେଲେ ମୋର ଭୁଲ ହେଇଗଲା ।
- ଚିନ୍ତା କରନି ନବିନ ବାବୁ, ଯୋଉ ମଣିଷ ନିଜ ଅହଙ୍କାରକୁ ବୁଝିପାରେ ତାର ଚେତନାର ଉର୍ଦ୍ଧ୍ଵଗତି ଆରମ୍ଭ ହେଲା ବୋଲି ଜାଣ। ମୋ ମତରେ ତମେ ଏବେ ଘରକୁ ଯାଅ। ସମସ୍ତଙ୍କୁ ଆଶ୍ଵାସନା ଦିଅ କି ତମେ କାହା ଉପରେ ଦୁଃଖୀ ନୁହଁ । କିଛି ଦିନ ସମସ୍ତଙ୍କୁ ଭଲ ପାଇ ଆନନ୍ଦରେ ସମୟ କାଟ। ତାପରେ ସମସ୍ତଙ୍କ ଜ୍ଞାତସାରରେ ନିଜ ଇଛା ହେଲେ ମୋ ଆଶ୍ରମକୁ ପୁଣି ଫେରି ଆସିଲେ ମନରେ କୌଣସି ଅବଶୋଷ ନଥିବ ଓ ସାଧନା ପଥରେ ଆଉ କୌଣସି ବ୍ୟାଘାତ ଆସିବ ନାହିଁ ।
ନବିନ ବାବୁ ଉଠି ଠିଆ ହେଲେ । କହିଲେ, ତାହେଲେ ମୋର ଆଉ ବିଲକୁଲ ବିଳମ୍ବ କରିବା ଉଚିତ୍ ନୁହେଁ ।
ଗୋପାଳ ବାବୁ ହସି ହସି କହିଲେ - ବିଲକୁଲ୍ ନୁହେଁ। ସଂସାର କ୍ଷେତ୍ରରୁ ଅସନ୍ତୋଷରେ ପଳାତକ ହେଇ ରହିବା ଅପେକ୍ଷା ପଳାତକର ପ୍ରତ୍ୟାଗମନ ହେଲେ ଅସୁବିଧା କଣ!
ନବିନ ବାବୁ ବି ପୂର୍ଣ୍ଣ ସନ୍ତୋଷରେ ସମର୍ଥନ କରି ହସି ପକାଇଲେ ।

ପ୍ରଶାନ୍ତ କୁମାର ହୋତା


Post a Comment

0 Comments